• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟ ସରକାରଙ୍କ ବଜେଟ୍‌ରେ ନିର୍ବାଚନୀ ଗନ୍ଧ । ଭୋଟ୍ ହାତେଇବା ଲାଗି ଉଦ୍ଦିଷ୍ଟ ସରକାରଙ୍କ ଫ୍ଲାଗ୍‌ସିପ୍‌ ଯୋଜନାକୁ ଅଧିକ ଗୁରୁତ୍ୱ, ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ଗରିବ ଅଧିକ ଅଧିକ ଗରିବ ହେଉଥିବା ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ । ତେବେ ବିଜେଡି କହିଛି ବଜେଟ୍ ଲୋକଭିମୁଖୀ, ସରକାରଙ୍କ ଯୋଜନା ଦ୍ୱାରା ଲୋକେ ଉପକୃତ ହେଉଛନ୍ତି ।

ଏଥର ରାଜ୍ୟ ବଜେଟ ଫୋକସ୍‌ରେ ୨୦୨୪ ନିର୍ବାଚନ ଭୋଟରଙ୍କୁ ଆକୃଷ୍ଠ ଲାଗି କେତେକ ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ । ଚାଷୀ, ମହିଳା, ସ୍ୱାସ୍ଥ୍ୟ, ସ୍କୁଲ ରୁପାନ୍ତରୀକରଣ, ଧର୍ମପୀଠ ଉନ୍ନତିକରଣ ସହ ବିଜୁ ପକ୍କାଘର ଯୋଜନା ବାବଦକୁ ଦିଆଯାଇଛି । ଅଧିକ ଅର୍ଥ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ୧୨ ହଜାର ୬୨୪ କୋଟି ବରାଦ କରାଯାଇଥିବା ବେଳେ ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ରହିଛି ୨ହଜାର ୬୬୪ କୋଟି ।

କୃଷି ପାଇଁ ଅର୍ଥମନ୍ତ୍ରୀ ୨୧ହଜାର ୧୬୬ କୋଟି ଟଙ୍କା ଦେଇଥିବା ବେଳେ କାଳିଆ ଯୋଜନା ପାଇଁ ରହିଛି ୧ହଜାର ୮୭୪ କୋଟି । ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ମିଶନ୍ ଶକ୍ତି ପାଇଁ ୨ହଜାର କୋଟିର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ବିଜୁ ପକ୍କାଘର ଲାଗି ୫ହଜାର ୯୦୬ କୋଟି ଦିଆଯାଇଥିବା ବେଳେ ଫାଇଭ୍ ଟି ଅନ୍ତର୍ଗତ ସ୍କୁଲ୍ ରୁପାନ୍ତରୀକରଣ ଯୋଜନା ଲାଗି ଶହେ କୋଟି ଏବଂ ଧର୍ମପୀଠ ଉନ୍ନତିକରଣ ଯୋଜନାରେ ଏକାମ୍ର କ୍ଷେତ୍ର ଓ ସମଲେଇ ପୀଠ ବିକାଶ ଲାଗି ୨ଶହ କୋଟି ଟଙ୍କା ଲେଖାଏଁ ଅର୍ଥ ଦିଆଯାଇଛି । ସେହିପରି ଅବଢା ଯୋଜନା ପାଇଁ ୧ ହଜାର ୩୨୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

 

ସେପଟେ ବଜେଟ୍‌କୁ ନେଇ ଖପ୍ପା ବିରୋଧୀ । ଭୋଟ ହାତେଇବା ଆଶାରେ ବଜେଟ୍ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ । ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ସବୁବେଳେ ବଜେଟ ପ୍ରସ୍ତୁତି କରୁଛନ୍ତି । ତେବେ ଲୋକଙ୍କ ପାଖରେ ଏହାର ସୁଫଳ ପହଞ୍ଚୁ ନାହିଁ । ଗରିବ ଗରିବ ହୋଇ ରହିଥିବା କହିଛନ୍ତି ବିରୋଧୀ । ତେବେ ବଜେଟ୍ ଦ୍ୱାରା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ହୋଇଥିବା ଯୁକ୍ତି ବଢିଛି ବିଜେଡି ।

ଭୋଟରଙ୍କ ମନ କିଣିବା ଲାଗି କାଳିଆ ଓ ମିଶନ ଶକ୍ତି ଭଳି ଯୋଜନା ଲାଗି ପର୍ଯ୍ୟାପ୍ତ ଅର୍ଥ ବରାଦ ହୋଇଛି । ତେବେ ରାଜ୍ୟର ଅର୍ଥନୈତିକ ବିକାଶ ଲାଗି ଉଦ୍ଦିଷ୍ଟ ଭିତ୍ତିଭୂମି ଓ ଏମଏସଏମଇ ଭଳି କ୍ଷେତ୍ର ପାଇଁ କୌଣସି ଆଖିଦୃଶିଆ ଅର୍ଥ ବରାଦ ହେଉନି । ତେଣୁ ରାଜ୍ୟର ସାମଗ୍ରିକ ବିକାଶ କିଭଳି ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।