• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର ମୁଖ୍ୟାଳୟରେ ରାଜ୍ୟ ବିଜେପିର ମାନସମନ୍ଥନ । ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ରୋଡ୍‌ମ୍ୟାପ୍‌ । ଏନେଇ ଦଳୀୟ ନେତାଙ୍କ ସହ ବିଚାରବିମର୍ଶ କରିଛନ୍ତି ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦ୍ରଶ୍ୱରୀ । ଗତକାଲି କୋର୍ କମିଟି, ଜିଲ୍ଲା ସଭାପତି ଓ ପ୍ରଭାରୀମାନଙ୍କ ସହ ପୁରେନ୍ଦ୍ରଶ୍ୱରୀଙ୍କ ବୈଠକ ପରେ ଆଜି ସଂଯୁକ୍ତ ମୋର୍ଚ୍ଚା ବୈଠକ ହୋଇଥିଲା । ମହିଳା, ଯୁବ, ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି , କୃଷିକ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ବିଗତ ଦିନରେ ଦିଆଯାଇଥିବା ଦାୟିତ୍ୱ ମୋର୍ଚ୍ଚାମାନେ କେତେ ନିର୍ବାହ କରିଛନ୍ତି ତାର ସମୀକ୍ଷା କରାଯିବା ସହ ଆଗାମୀ ଦିନ ପାଇଁ ନୂଆ ଟାସ୍କ ଦିଆଯାଇଛି । ମାନସମନ୍ଥନ ଶିବିରରେ ପଞ୍ଚାୟତ ଓ ପୌର ନିର୍ବାଚନ ବିଫଳତାର ସମୀକ୍ଷା ମଧ୍ୟ ହୋଇଛି । ତୃଣମୂଳ ଅର୍ଥାତ ବୁଥସ୍ତରରେ ସଙ୍ଗଠନ ମଜବୁତ୍ କରିବା, କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ରାଜ୍ୟ ସରକାରଙ୍କ ବିଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ସ୍ଥିର କରାଯାଇଛି । ତେଣେ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ୩ ବର୍ଷ ପୂର୍ତ୍ତି ଅବସରରେ ଦଳ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହାକୁ କିପରି ସୁତାରୁରୂପେ ଆୟୋଜନ କରାଯିବ, ବୈଠକରେ ତା ଉପରେ ମଧ୍ୟ ଆଲୋଚାନ ହୋଇଛି ।

ବିଜେପିର ଟପ୍ ମୋଷ୍ଟ ପ୍ରାୟରିଟି ହେଉଛି ଦଳୀୟ ସଙ୍ଗଠନ । ତୃଣମୂଳସ୍ତରରେ କିଭଳି ମଜବୁତ୍ ହେବ ସେଥିଲାଗି ପ୍ରତି ସଂସଦୀୟ କ୍ଷେତ୍ରର ଶେହେଟି ଦୁର୍ବଳ ବୂଥ୍ ବୁଲି ସମୀକ୍ଷା କରିବାକୁ ସାଂସଦମାନଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ମଣ୍ଡଳୀୱାରୀ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳର ସମୀକ୍ଷା ହୋଇ ସାରିଛି । ଆସନ୍ତା ମାସରେ ପୁଣି ବିଜେପି ଚିନ୍ତନ ବୈଠକ ବସିବ । ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

୨୦୧୯ ନିର୍ବାଚନ ପରଠୁ ବିଜେପି ଓ ବିଜେଡି ମଧ୍ୟରେ ଭିତିରି ବୁଝାମଣା ନେଇ ଚର୍ଚ୍ଚା ଲାଗି ରହିଛି । ଆଗକୁ ଗୁରୁତ୍ୱପୂର୍ଣ୍ଣ ରହିଛି ରାଷ୍ଟ୍ରପତି ନିର୍ବାଚନ । ଏଥିରେ ବିଜେଡିର ଆଭିମୁଖ୍ୟ କଣ ହେଉଛି ତା ଉପରେ ନଜର ରହିଛି । ଅନ୍ୟପକ୍ଷରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି, ବିଜେଡି ଉପରେ ଅଲଆଉଟ୍ ଆଟାକ୍ କରୁଛି ନା ନରମ ଆଭିମୁଖ୍ୟ ରଖୁଛି, ତାହା ଆଗାମୀ ଦିନରେ ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟର ରୂପରେଖ ନିର୍ଦ୍ଧାରଣ କରିବ ।

ରିପୋର୍ଟର- ବିବର୍ତ୍ତନ ପଣ୍ଡା, ଜଗଦୀଶ ଦାସ ଓ ହରିହର ଚାନ୍ଦ