• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରଗରମ ବିହାର ରାଜନୀତି । ଆସୁ ଆସୁ ଗେମ୍‌ ଷ୍ଟାର୍ଟ କରିଦେଲେ କି ଲାଲୁ । ନୀତୀଶଙ୍କୁ ଦିଲ୍ଲୀ ପଠାଇ ନିଜ ପୁଅ ତେଜସ୍ୱୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ କରିବା ଚକ୍କରରେ ଅଛନ୍ତି କି ଲାଲୁ । କାରଣ ଦଳର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରୁଥିବା ବେଳେ ଏଭଳି କିଛି ସଙ୍କେତ ଦେଇଛନ୍ତି ଖୋଦ୍ ଲାଲୁ । ତେବେ ଏମିତି କିଛି କଳ୍ପନା ବା ଚର୍ଚ୍ଚା ସେତେବେଳେ ମୁଣ୍ଡ ଟେକିଥିଲା, ଯେତେବେଳେ ଜେଡିୟୁ ସହ ଆର୍‌ଜେଡି ମେଣ୍ଟ କରିଥିଲା ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପି ସାଂସଦ ସୁଶୀଲ ମୋଦୀ ସେତେବେଳେ କହିଥିଲେ ଯେ, ନୀତୀଶ ଏବେ ପୁଣି ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସହ ହାତ ମେଳାଇଛନ୍ତି । ଲାଲୁ କେତେବେଳେ ଯେ ନୀତୀଶ କୁମାରଙ୍କୁ ହଟାଇ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଦେବେ, ତାହା କେହି ବି କହିପାରିବେ ନାହିଁ । ଏଭଳି ଚର୍ଚ୍ଚାର ମାତ୍ର କିଛି ଦିନ ବିତିଥିବା ବେଳେ ଲାଲୁ ନିଜେ କହିଛନ୍ତି ତେଜସ୍ୱୀ ସମ୍ଭାଳିବେ ବିହାର । ଆଉ ନୀତୀଶ ଯିବେ ଦିଲ୍ଲୀ । ଗଣମାଧ୍ୟମ ସାମ୍ନାରେ ଲାଲୁଙ୍କ ଏଭଳି ମନ୍ତବ୍ୟକୁ ନେଇ ସରଗରମ ହୋଇଛି ବିହାର ରାଜନୀତି ।

ଅନ୍ୟପଟେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଦିଲ୍ଲୀ ଆସନ ଉପରେ ନୀତୀଶଙ୍କ ଆଖି । ତେଣୁ ବିହାର କଥା ବୁଝିବେ ତେଜସ୍ୱୀ । ସେପଟେ ସବୁ ବିରୋଧୀଙ୍କୁ ଏକ୍‌ କରିବେ ଲାଲୁ । ଏଭଳି ନାନା କଳ୍ପନା ଜଳ୍ପନା ଏବେ ଭାରତ ରାଜନୀତିରେ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ବିହାରରେ ନୀତୀଶଙ୍କ ମନ ମାନୁନି । ଦିଲ୍ଲୀ ଗାଦିରେ ବସିବାକୁ ମନ ବଳାଇଲେଣି ନୀତୀଶ । ନୀତୀଶ ଯିବା ପରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ୱୀ । ଏକଥା ଆମେ ନୁହେଁ ବରଂ ଖୋଦ୍‌ ଲାଲୁପ୍ରସାଦ ଯାଦବ କହିଛନ୍ତି ।

ଲାଲୁ ଏହା ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ବିରୋଧରେ ଆମକୁ ଏକାଠି ହେବାକୁ ପଡିବ । ଏଥିପାଇଁ ସବୁ ଦଳ ଏକାଠି ହେବାର ଆବଶ୍ୟକତା ରହିଛି । ମୁଁ ଚାହୁଁଛି ତେଜସ୍ୱୀ ଯାଦବ ବିହାର କଥା ବୁଝନ୍ତୁ ଏବଂ ନୀତୀଶ ଦିଲ୍ଲୀ ଯାଆନ୍ତୁ । ଏଭଳି କହି ବିହାରରେ ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି ବୋଲି ସୂଚନା ଦେଇଛନ୍ତି ଲାଲୁ । ଅନ୍ୟପକ୍ଷରେ ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ବୈଠକ ବିଷୟରେ କହିବାକୁ ଯାଇ ଲାଲୁ କହିଛନ୍ତି ଆମେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଇଥିଲୁ, ଫଟୋ ଉଠାଇବାକୁ ନୁହେଁ । ତାଙ୍କ ସହ ହୋଇଥିବା କଥାବାର୍ତ୍ତା ଭଲ ଥିଲା । ନିର୍ବାଚନ ପରେ ତାଙ୍କୁ ପୁଣି ଭେଟିବି ।