• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି । ଏନଡିଏ ଏବଂ ଅନ୍ୟ ବିରୋଧୀ ଦଳ କାହାକୁ କରିବେ ପ୍ରାର୍ଥୀ ? ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏଥର ଏନଡିଏ ଜଣେ ଆଦିବାସୀ, ସଂଖ୍ୟାଲଘୁ ଅବା ମହିଳାଙ୍କୁ ରାଷ୍ଟ୍ରପତି କରିପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ସେଥିମଧ୍ୟରୁ ଓଡ଼ିଶାର ୨ ମୁହଁକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । 

ଅନ୍ୟପଟେ ନିର୍ବାଚନ ଗଣିତ କହୁଛି ଏହି ନିର୍ବାଚନରେ ଜଗନଙ୍କ ଓ୍ୱାଇଏସଆର୍ କଂଗ୍ରେସ ଏବଂ ବିଜେଡି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ସେହିପରି ବିରୋଧୀ ଦଳ ଗୁଡିକ ପ୍ରାର୍ଥୀ ଭାବେ କାହା ନାଁ ଘୋଷଣା କରୁଛନ୍ତି ତାହା ଉପରେ ମଧ୍ୟ ନଜର ରହିଛି ।

 

ଦେଶର ସର୍ବୋଚ୍ଚ ଶାସନ ମୁଖ୍ୟ ଆସନରେ ବସିବ କିଏ ? କିଏ ହେବେ ଦେଶର ପରବର୍ତ୍ତି ରାଷ୍ଟ୍ରପତି ? ଜାତୀୟ ଗଣ ମାଧ୍ୟମରେ କିଛି ନାଁ କୁ ନେଇ ଏବେ ଚର୍ଚ୍ଚା ହେଉଛି । ବିଜେପି ଜଣେ ଆଦିବାସୀ ମହିଳା ଅବା ସଂଖ୍ୟାଲଘୁ ବର୍ଗର ନେତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚା ଭିତରେ ଅଛନ୍ତି ଓଡ଼ିଶାର ୨ ବଡ଼ ନେତା । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ।

ସେହିପରି ଝାରଖଣ୍ଡର ପୂର୍ତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଅଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଚର୍ଚ୍ଚାର ପରିସରକୁ ଆସିଥିବା ଅନ୍ୟ ନେତାଙ୍କ ମଧ୍ୟରେ ଅଛନ୍ତି କେରଳର ବର୍ତ୍ତମାନର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ । ଛତିଶଗଡ଼ର ରାଜ୍ୟପାଳ ଅନସୁୟା ଉଇକେ, କର୍ଣ୍ଣାଟକର ରାଜ୍ୟପାଳ ଥାୱର ଚନ୍ଦ ଗେହେଲଟ୍ ଏବଂ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ । ତେବେ ବିରୋଧୀ ମଧ୍ୟ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବେ ଏଯାଏଁ ତାହା ସ୍ପଷ୍ଟ ହୋଇନି ।

ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଣିତ କହୁଛି ଦେଶରେ ସାଂସଦ ଏବଂ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ରହିଛି ୧୦ ଲକ୍ଷ ୯୮ ହଜାର ୮୮୨ । ଏନଡିଏ ପାଖରେ ବର୍ତ୍ତମାନ ୪୮.୮ ପ୍ରତିଶତ ଭୋଟ ଥିବା ବେଳେ ବିରୋଧୀଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ । ତେବେ ଏନଡିଏ ତା ପ୍ରାର୍ଥୀକୁ ରାଷ୍ଟ୍ରପତି କରିବାକୁ ହେଲେ ଆଉ ୨.୨ ପ୍ରତିଶତ ଭୋଟ ଆବଶ୍ୟକତା ରହିଛି । ଯଦି ବିଜେଡି ଏବଂ ୱାଇଏସ୍‌ଆର କଂଗ୍ରେସ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି, ତେବେ ସେହି ପ୍ରାର୍ଥୀ ସହଜରେ ବିଜୟୀ ହେବେ ।

ଏନଡିଏ, ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ବିଜେପିର ଜାତୀୟ ନେତୃବୃନ୍ଦ ଚେଷ୍ଟା ଚଳାଇଛନ୍ତି । ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓ୍ୱାଇଏସଆର କଂଗ୍ରେସ ନେତା ଜଗନ ମୋହନ୍ ରେଡ୍ଦି, ମୋଦି ଓ ଶାହଙ୍କୁ ଭେଟିଥିଲେ । ଉଭୟେ ବିଜେଡି ଏବଂ ୱାଇଏସ୍‌ଆର କଂଗ୍ରେସ, ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।