/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654526427.jpg)
Naveen Patnaik
ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଦେଶ ଗସ୍ତ । ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା କହୁଛି, ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ଦୁବାଇ ଯିବେ ଏବଂ ଏହିଦିନ ଇପିକଲ୍, ଫିକି ଓ ଦୁବାଇ ସ୍ଥିତ ଇଣ୍ଡିଆନ୍ କନ୍ସୋଲେଟ୍ ପକ୍ଷରୁ ସେଠାରେ ଆୟୋଜିତ ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗ ଦେବେ ।
ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନ୍ଭେଷ୍ଟମେଣ୍ଟ ହବ୍ ହୋଇଥିବାରୁ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ସେହିଦିନ ସଂଧ୍ୟାରେ ୟୁଏଇରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିବା ସହ ସେଠାରେ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ।
ଦୁବାଇ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ଇଟାଲି ଗସ୍ତରେ ଯାଇ ସେଠାରେ ରୋମ୍ ଇନଭେଷ୍ଟର୍ସ ମିଟ୍ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆପାତତଃ କିଛି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ କିନ୍ତୁ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଓଡ଼ିଶାକୁ ଏକ ଇନଭେଷ୍ଟମେଣ୍ଟ ହବ୍ରେ ପରିଣତ କରିବା ଓ ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ଲାଗି ୨୦୧୬ରୁ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର ।
ଏଥିପଇଁ ପ୍ରତି ଦୁଇବର୍ଷରେ ଥରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ବି କରାଯାଉଛି । ହେଲେ କୋଭିଡ୍ ପାଇଁ ୨୦୨୦ରେ ହୋଇ ପାରି ନଥିବା କନ୍କ୍ଲେଭ୍ ଆଗକୁ ହେବାର ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
ରାଜନୀତିକୁ ଆସିବା ପରଠୁ ଦୀର୍ଘ ୨୫ ବର୍ଷ ଭିତରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ବିଦେଶ ଗସ୍ତ । ରାଜନୀତିରେ ପାଦ ଥାପିବାର ୧୫ ବର୍ଷ ପରେ ଶେଷଥର ପାଇଁ ୨୦୧୨ ମେ’ ମାସରେ ଲଣ୍ଡନ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମ ପାଇଁ ବିଦେଶ ଯାଇଥିଲେ ନବୀନ । ହେଲେ ପ୍ୟାରୀମୋହନ ମହାପାତ୍ରଙ୍କ ମେ’ ୨୯ ମିଡ୍ ନାଇଟ୍ ଅପରେସନ୍ ଯୋଗୁଁ, ଗସ୍ତକୁ କାଂଟଛାଂଟ୍ କରି ତାଙ୍କୁ ଓଡ଼ିଶା ଫେରିବାକୁ ପଡ଼ିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)