• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉପ-ନିର୍ବାଚନ ତାରିଖ ଘୋଷଣା ପରେ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଚୟନ କସରତ । କେଉଁ ଦଳରୁ କିଏ ପ୍ରାର୍ଥି ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଲ୍ପନା । ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିପାରେ । ସେହିପରି ୨୦୧୯ରେ ଏଠାରେ ହାରିଯାଇଥିବା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବିଜେପି ଆଉ ଥରେ ସୁଯୋଗ ଦେଇପାରେ । ଅନ୍ୟପକ୍ଷରେ ବରିଷ୍ଠ ନେତା କିଶୋର ପଟେଲ ଏଠାରେ କଂଗ୍ରେସ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ପ୍ରାର୍ଥିପତ୍ର ଦାଖଲ ହେବାକୁ ଥିବା ବେଳେ ସରଗରମ ହୋଇଛି ବ୍ରଜରାଜନଗର ରାଜନୈତିକ ମାହୋଲ ।

ବିଜେଡିର ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହେବା ପରେ ଏହି ଆସନ ଖାଲି ପଡିଛି । କିଶୋରଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଏଠି ପ୍ରାର୍ଥୀ କରିବା ସମ୍ଭାବାନ ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳିଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ତେବେ ବିଜେଡିର ପରମ୍ପରାକୁ ଦେଖିଲେ ଯଦି କାହାର ଦେହାନ୍ତ ହୁଏ ତାଙ୍କ ପରିବାରୁ ହିଁ ଜଣଙ୍କୁ ପ୍ରାର୍ଥୀ କରାଯାଏ । ତେଣୁ ରେସ୍‌ରେ ଆଗରେ ଅଛନ୍ତି ଅଳକା ।

ସେପଟେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିପାରେ । ୨୦୧୪ରେ ରାଧାରାଣୀ ଏହି ଆସନରେ ବିଜୟୀ ହେଇଥିଲେ । ମାତ୍ର ୧୯ରେ ସେ କିଶୋର ମହାନ୍ତିଙ୍କଠାରୁ ହାରିଯାଇଥିଲେ । ତେଣୁ ରାଧାରାଣୀଙ୍କ ଉପରେ ଦଳ ପୁଣି ଥରେ ଭରସା କରିପାରେ । ସେପଟେ ୧୯ରେ କଂଗ୍ରେସ ଏଠାରେ ପ୍ରାର୍ଥୀ ଦେଇନଥିବା ବେଳେ ବାମ ନେତା ରମେଶ ତ୍ରିପାଠୀଙ୍କୁ ସମର୍ଥନ କରିଥିଲା । ମାତ୍ର ଏଥର କଂଗ୍ରେସ ଓଡ଼ିଶାରେ କାହା ସହ ମେଣ୍ଟ ନକରି ଏକାକି ନିର୍ବାଚନ ଲଢିବ । ବରିଷ୍ଠ ନେତା କିଶୋର ପଟେଲଙ୍କୁ ଦଳ ଏହି ଆସନରେ ଛିଡ଼ା କରିବ ବୋଲି ଚର୍ଚ୍ଚା ହେଉଛି ।

 

ବ୍ରଜରାଜନଗର ଉପନିର୍ବାଚନ ଲାଗି ଆସନ୍ତାକାଲି ଗେଜଟ୍ ନୋଟିଫିକେସନ୍ ପ୍ରକାଶ ପାଇବାକୁ ଥିବାବେଳେ ୧୧ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ତେଣୁ ସରଗରମ ହୋଇଛି ଏଠିକାର ରାଜନୈତିକ ପାଣିପାଗ । ଏଠି କିଏ ଦଳୀୟ ପ୍ରାର୍ଥୀ ହେବେ, ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ବିଜେଡି ସ୍ପଷ୍ଟ କରିଛି । ଏଠାରେ ଦଳୀୟ ସଙ୍ଗଠନ ମଜଭୁତ୍ ଅଛି । ଅନ୍ୟ ଉପନିର୍ବାଚନ ଭଳି ଦଳ ଏଠାରେ ପୁରା ଦମ୍‌ରେ ଲଢିବ ବୋଲି କହିଛି । ଏଣେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ବିଜେପିରେ ଆଲୋଚାନ ଶେଷ ହୋଇଛି । ପାର୍ଲାମେଣ୍ଟାରୀ ବୋର୍ଡ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ନିର୍ବାଚନ ଲାଗି କଂଗ୍ରେସ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି ।

ବ୍ରଜରାଜନଗର ଗୋଟିଏ ସମୟରେ ବାମ ଦଳର ଗଡ଼ ରୂପେ ପରିଚିତ ଥିଲା । ଏଠାରୁ ୬ ଥର ବିଜୟୀ ହୋଇଥିଲେ ଦଳୀୟ ପ୍ରାର୍ଥୀ । ତେବେ ପରେ କଂଗ୍ରେସ ପ୍ରାର୍ଥୀ ଅନୁପ ସାଏ ଏଠାରୁ ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୪ରେ ବିଜେଡି ଟିକଟରୁ ଏଠାରେ ନିର୍ବାଚନ ଲଢିବା ତାଙ୍କ ପାଇଁ ବୁମେରାଂ ହୋଇଥିଲା । ବାଜି ମାରି ନେଇଥିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ୨୦୧୯ରେ ନବ ଦାସ, କଂଗ୍ରେସ ଛାଡ଼ି ଝାରସୁଗୁଡାରେ ବିଜେଡି ପ୍ରାର୍ଥୀ ହେବା ପରେ ବଦଳିଥିଲା ଏଠିକାର ରାଜନୈତିକ ଚିତ୍ର । କିଶୋର ମହାନ୍ତିଙ୍କୁ ଝାରସୁଗୁଡା ଛାଡ଼ି ବ୍ରଜରାଜନଗରରେ ନିର୍ବାଚନ ଲଢିବାକୁ ପଡିଥିଲା ।

ସେପଟେ ବ୍ରଜରାଜନଗର ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ୨ଲକ୍ଷ ୧୪ ହଜାର ୨୬୧ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଗତ ନିର୍ବାଚନରେ ଏଠାରେ ୨୫୭ଟି ବୁଥ୍ ଥିଲା ତେବେ ଉପନିର୍ବାଚନରେ ଅଧିକ ୨୨ଟି ବୁଥ୍ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧୀକାରୀଙ୍କୁ ପ୍ରସ୍ତାବ ଦେଇଛି । ଏଣେ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଆଚରଣ ବିଧି ପାଳନ ଉପରେ ନଜର ରଖିବା ଲାଗି ଏକ ଟିମ୍ ଗଢାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆଇନଶୃଙ୍ଖଳା ରକ୍ଷା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।