• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶାସକ ବିଜେଡି ବିଧାୟକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଭଳି ସାଙ୍ଘାତିକ ଅଭିଯୋଗ । ପୀଡ଼ିତା ଅଭିଯୋଗ କରିବା ବି ଦୁଇଦିନ ବିତିଲାଣି । ହେଲେ ପୋଲିସ୍ କିନ୍ତୁ ତଦନ୍ତ ନେଇ ମୁହଁ ଖୋଲୁନି । ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଏଭଳି ଅଭିଯୋଗକୁ ନେଇ କିନ୍ତୁ ଜୋର୍ ଧରିଛି ରାଜନୈତିକ ତମ୍ବିତୋଫାନ୍ । ବିଧାୟକଙ୍କୁ ଗରିଫ ଦାବିରେ ଆଜି ଝରିଗାଁରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ତୀବ୍ର କରିବ ବୋଲି ବି ଧମକ ଦେଇଛି ବିଜେପି । ସେପଟେ ବିଜେଡି ପ୍ରକାଶଙ୍କ ସପକ୍ଷରେ ବାହରିଛି । ତେଣୁ ୨ଟି ଦଳର ବିଧାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ କାହିଁକି ବୋଲି ଉଠିଛି ପ୍ରଶ୍ନ ।

ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ପାଇଁ ବଢୁଛି ଅଡୁଆ । ଆଜି ପୁଣିଥରେ ନବରଙ୍ଗପୁର କଂଗ୍ରେସ ତରଫରୁ ଝରିଗାଁ ଥାନା ଘେରାଓ କରିବା ସହ ବିଧାୟକଙ୍କ କୁଷପୁତ୍ତଳିକା ଦାହ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବସଷ୍ଟାଣ୍ଡ ସମ୍ମୁଖରେ କଂଗ୍ରେସ କର୍ମୀ ଏକତ୍ରିତ ହୋଇ କୁଶପିତ୍ତଳିକା ଦାହ କରିଥିଲେ । ତାପରେ ଏକ ଶୋଭାଯାତ୍ରାରେ ଯାଇ ଝରିଗାଁ ଥାନା ଭିତରେ ଧାରଣା ଦେଇଥିଲେ । ବିଧାୟକଙ୍କ ଗିରଫ ଦାବିରେ ପୋଲିସ ଡିଜିଙ୍କ ଉଦ୍ୟେଶରେ ଦାବିପତ୍ର ଦେଇଥିଲେ କଂଗ୍ରେସ କର୍ମୀ ।

ସେପଟେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଦଳ ଆଗକୁ ଆନ୍ଦୋଳନ ତୀବ୍ର କରିବ ବୋଲି ଧମକ ଦେଇଛି ବିଜେପି । ଅନ୍ୟପକ୍ଷେ ପ୍ରକାଶଙ୍କ ସପକ୍ଷରେ ବାହରିଛି ନବରଙ୍ଗପୁର ବିଜୁ ମହିଳା ଜନତା ଦଳ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ଦେଖି ଉଭୟ ବିଜେପି ଓ କଂଗ୍ରେସ ଏଭଳି ଅଭିଯୋଗ ଆଣିଥିବା ପାଲଟା ଅଭିଯୋଗ କରିଛି ବିଜୁ ମହିଳା ଜନତା ଦଳ । 

  

ଏବେ ବିବାଦରେ ଫସିଛନ୍ତି ରାଜ୍ୟରେ ଦୁଇ ବିଧାୟକ । ବିଜେଡି ବିଧାୟକ ପ୍ରକାଶ ମାଝୀ ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଝରିଗାଁ ବିଜେଡି ବିଧାୟକ ପ୍ରକାଶଙ୍କ ମାଝୀଙ୍କ ନାଁରେ ଯୌନ କେଳେଙ୍କାରୀ ଭଳି ସାଙ୍ଘାତିକ ଅଭିଯୋଗ । ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ନାଁରେ ତିଲେଇବଣୀ ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗ । ତେବେ ଦେବଗଡ ବିଧାୟକ ସୁବାସଙ୍କୁ ପୋଲିସ ଗିରଫ୍ କରିଥିବା ବେଳେ ପ୍ରକାଶଙ୍କ ନାଁରେ ଭୁବନେଶ୍ୱର ଜାଗମରାର ଜଣେ ଯୁବତୀ ଯୌନ ନିର୍ଯାତାନର ଅଭିଯୋଗ ଆଣି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାମାଲ ରୁଜ୍ଜୁ ହୋଇ ନାହିଁ ।

ପୂର୍ବରୁ ମାହାଙ୍ଗା ଡବଲ୍ ମଡର ମାମଲାରେ FIRରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଥିଲା । ଆଉ ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ଥିଲା । ମମିତାଙ୍କ ପରିବାର ଲୋକେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଥିଲେ । ହେଲେ ପୋଲିସ ସେମାନଙ୍କୁ ଡାକି ପଦୁଟିଏ ପଚାରିନଥିଲା । ତେଣୁ ବିଜେଡି ବିଧାୟକଙ୍କ ପାଇଁ ଗୋଟିଏ ଆଭିମୁଖ୍ୟ ଆଉ ବିରୋଧୀ ବିଜେପି ବିଧାୟକଙ୍କ ପାଇଁ ଆଉ ଗୋଟିଏ ଆଭିମୁଖ୍ୟ କାହିଁକି ବୋଲି ପ୍ରଶ୍ନ ଉଠିଛି । ରାଜନୈତିକ ଚାପ ନା ପୋଲିସର ମାତ୍ରାଧିକ ଆନୁଗତ୍ୟ ? ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ସେପଟେ ବିଜେଡି କହିଛି ଆଇନ ତା ବାଟରେ ଯିବ ।

ସେପଟେ ସୁବାସ ପାଣିଗ୍ରାହୀ ଅସୁସ୍ଥ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଆଉ ଏପଟେ ବିଜେପି ବିଧାୟକମାନେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟି ସୁବାସ ପାଣିଗ୍ରାହୀ ଗିରଫ ନେଇ ପ୍ରତିବାଦ କରିଛନ୍ତି ।