• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନକ ତଳେ ଦୃଢତାର ସହ ଗୋଟେ କଥା । ଆଉ ଆଜି ତା ଉପରେ ସଫେଇ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତେଜିବାରେ ଲାଗିଛି ରାଜନୈତିକ ବିବାଦ । ସେଠି କେବଳ ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା ନେଇ ଖୋଦ୍ ପୁରୀ ସାଂସଦ ପିନାକୀ ମିଶ୍ର ପାର୍ଲାମେଣ୍ଟରେ ଦୃଢ଼ତାର ସହ କହିବା ପରେ ବଢି ଚାଲିଛି ବିରୋଧ ସାଙ୍ଗକୁ ଅସନ୍ତୋଷ । ତେଣେ ଆଜି ନିଜ ମନ୍ତବ୍ୟ ଉପରେ ପିନାକୀ ସଫେଇ ରଖିବା ସହ NOC ସାର୍ଟିଫିକେଟ୍ ଦେଖାଇଛନ୍ତି । ତାସହ ତାଙ୍କୁ ମିଛୁଆ ବୋଲି ସମାଲୋଚନା କରୁଥିବା ଲୋକଙ୍କୁ ବି ଆକ୍ଷେପ କରିଛନ୍ତି ।

ଗୁରୁବାର ପାର୍ଲାମେଣ୍ଟରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଥିବା ତଥ୍ୟକୁ ନେଇ ସୃଷ୍ଟି ହୋଇଛି ହଇଚଇ, ବଢୁଛି ବିରୋଧ । ହେଲେ ଆଜି ନିଜର ସେ ତଥ୍ୟ ସପକ୍ଷରେ ସଫେଇ ଦେଇ ପିନାକୀ କହିଛନ୍ତି- ତାଙ୍କ ମନ୍ତବ୍ୟକୁ ମାତ୍ର କିଛି ଲୋକ ଗ୍ରହଣ କରୁନାହାନ୍ତି । ଏମିତିକି ସେ ଏକ ଚିଠି ଦେଖାଇ ଗତ ସେପ୍ଟେମ୍ବର ୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMA ଏନ୍ଓସି ଦେଇଥିବା କଥା ଦୋହରାଇବା ସହ କ୍ଲକ ରୁମ୍, ମିନି କ୍ଲକ ରୁମ୍, ସେଲ୍ଟର ପାଭିଲିଅନ, ପୁରୁଷ, ମହିଳା ଓ ସେବାୟତଙ୍କ ପାଇଁ ଟଏଲେଟକୁ NOC ମିଳିଛି ବୋଲି ଦର୍ଶାଇଛନ୍ତି । ତେବେ ସମୟ ଅଭାବରୁ ସେଦିନ ସଂସଦରେ କେବଳ ଟୟଲେଟ କଥା କହିବା ସହ ବାକି କିଛି ବି ମିଛ କହିନାହାନ୍ତି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସଙ୍ଗରେ ପିନାକୀଙ୍କ ଆଜିର ସଫେଇ ପରେ ପ୍ରତିକ୍ରିୟା ରଖି ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସଂସଦରେ ପୁରୀ ସାଂସଦ ବାରମ୍ବାର କେବଳ ସେଠି ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କଥା କହିଥିଲେ । ତାସହ ପିନାକୀ ଯେଉଁ ଚିଠି ଦେଖାଉଛନ୍ତି ତାହା ASIର ନୁହେଁ ବରଂ NMAର ଚିଠି । ଯାହା କି NOC ନୁହେଁ । AMASR ଆକ୍ଟ ଅନୁସାରେ କୌଣସି ଐତିହ୍ୟର ୧୦୦ ମିଟର ପରିଧିରେ କିଛି ବି  ନିର୍ମାଣ କାମର ଆବଶ୍ୟକ ପଡ଼ିଲେ, ତାହା ଏଏସ୍‌ଆଇ DGଙ୍କ ଅନୁମତିରେ ହିଁ ହେବ । ତେଣୁ ସେଠି ଯାହା ସବୁ ନିର୍ମାଣ କାମ ଚାଲିଛି ତାହା ବେଆଇନ୍ କି ନୁହେଁ ତାକୁ ସମସ୍ତେ ଦେଖୁଛନ୍ତି ।

ତେଣେ ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ପୁରୀରୁ ଯାଇ ପାର୍ଲାମେଣ୍ଟରେ ଉଠିଲାଣି । ଆଉ ଖୋଦ୍ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ଖୋଲାଖୋଲି ବିରୋଧ ପ୍ରଦର୍ଶନ ହେଉଥିବା ବେଳେ ଅସନ୍ତୋଷ ବି ତେଜୁଛି । ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ପୁରୀ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ପିନାକୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିକଡ଼େ ୪୦ରୁ ୫୦ ଫୁଟ୍‌ର ଖନନ କରାଯିବା ପରେ ମନ୍ଦିରର ସୁରକ୍ଷା ପ୍ରତି ବଡ଼ ବିପଦ ଛିଡ଼ା ହୋଇଛି ।

ହେଲେ ସେ ସ୍ଥାନରେ କେବଳ ୪ଟି ଶୌଚାଳୟ ନିର୍ମାଣ ଚାଲିଥିବା କଥା ସାଂସଦ ସଂସଦରେ କହିବା ଅତ୍ୟନ୍ତ ନିନ୍ଦନୀୟ । ମାଟିରେ ମିଶିଥିବା ବହୁ ପୁରାତନ ମଠ ମନ୍ଦିରର ମହନ୍ତ ଓ ଭିଟାମାଟି ହରାଇଥିବା ପୁରୀବାସୀଙ୍କ ପ୍ରତି ଏହା ଘୋର ଅପମାନ ବୋଲି କହିଛନ୍ତି ବୁଦ୍ଧିଜୀବୀ । ଏମିତିକି ଚାଲିଥିବା ବେଆଇନ୍ ନିର୍ମାଣରେ ରୋକ୍ ଲଗାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଧମକ ଦେଇଛି ପୁରୀ ବାର୍ ଆସୋସିଏସନ୍ ।