• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆରପାରିରେ ସମାଜବାଦୀ ଆନ୍ଦୋଳନର ଅନ୍ୟତମ ମୁଖ୍ୟ ପୁରୋଧା ମୁଲାୟମ୍ ସିଂ ଯାଦବ । ବୟସାଧିକ କାରଣରୁ ଗଲା କିଛି ସପ୍ତାହ ଧରି ଦିଲ୍ଲୀର ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୧୦ ଥରର ବିଧାୟକ, ୭ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ ଥିବା ମୁଲାୟମଙ୍କ ବିୟୋଗରେ ନିରବୀ ଯାଇଛି ସମଗ୍ର ଉତ୍ତରପ୍ରଦେଶ । ଏପଟେ ତାଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଭିିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

ନିରବିଗଲେ ଦେଶର ସମାଜବାଦୀ ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ପୁରୋଧା । ନିରବିଗଲା ଦିଗଦ୍ରଷ୍ଟା ସମାଜବାଦୀ ନେତା ଜୟପ୍ରକାଶ ନାରାୟଣ ଓ ଡକ୍ଟର ରାମମନୋହର ଲୋହିୟାଙ୍କ ଆଦର୍ଶରେ ଅନୁପ୍ରାଣିତ ଜଣେ ସଫଳ ରାଜନୀତିଜ୍ଞ । ବୟସାଧିକ କାରଣରୁ ଗଲା କିଛି ସପ୍ତାହ ଧରି ନୂଆଦିଲ୍ଲୀର ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ମୁଲାୟମ । ତାଙ୍କ ବିୟୋଗ ନେଇ ପୁଅ ଅଖିଳେଶ ଯାଦବ ସୂଚନା ଦେଇଥିଲେ । ଏଖବର ବ୍ୟାପୀବା କ୍ଷଣି ମେଦାନ୍ତ ହସ୍ପିଟାଲକୁ ଛୁଟିଥିଲା ଭିଭିଆଇପିଙ୍କ ସୁଅ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମେଦାନ୍ତ ହସ୍ପିଟାଲ ଯାଇ ମୁଲାୟମଙ୍କ ଶେଷ ଦର୍ଶନ କରିଥିଲେ । ଏପଟେ ମୁଲାୟମଙ୍କ ପରଲୋକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଉଭୟ ଆଞ୍ଚଳକି ଓ ଜାତୀୟ ରାଜନୀତିରେ ଖୁବ୍ ଦବାଦବା ରଖୁଥିବା ମୁଲାୟମଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ୬୦ ଦଶକରୁ । ସମାଜବାଦୀ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ କୁସ୍ତିଯୋଦ୍ଧାରୁ ରାଜନୀତିକୁ ପ୍ରବେଶ କରିଥିବା ମୁଲାୟମ ୧୯୬୭ରେ ସଂଯୁକ୍ତ ସମାଜବାଦୀ ପାର୍ଟି ଟିକେଟରେ ୟୁପି ବିଧାନସଭାକୁ ପ୍ରବେଶ କରିଥିଲେ । ଆଉ ତା ପରେ ପଛକୁ ଫେରି ଚାହିଁ ନାହାନ୍ତି ମୁଲାୟମ । ରାଜନୈତିକ ପଶାପାଲ୍ଲୀରେ ଛକାପଞ୍ଝା ଓ ଉତ୍ଥାନ ପତନ ଭିତରେ ୧୯୯୦ରେ ସେ ଜନତାଦଳ (S)ରେ ଯୋଗଦେଇ ପରେ ଜାତୀୟ କଂଗ୍ରେସ ସହଯୋଗରେ ୧୯୮୯ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ୧୯୯୩ରେ ଦ୍ୱିତୀୟ ଓ ୨୦୦୩ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୧୯୯୬ ଏକାଦଶ ଲୋକସଭା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ମୁଲାୟମ ଏଚ.ଡି. ଦେବେଗୌଡ଼ା ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ବି ହୋଇଥିଲେ । ଦେଶର ଜରୁରୀକାଳୀନ ପରିସ୍ଥିତିର ଘୋର ବିରୋଧୀ ଥିବା ମୁଲାୟମଙ୍କୁ ୧୯ ମାସ ଜେଲ ଦଣ୍ଡ ବି ଭୋଗିବାକୁ ପଡ଼ିଥିଲା । ଉତ୍ତର ପ୍ରଦେଶ ରାଜନୀତିରେ ଦୀର୍ଘ ୫ ଦଶନ୍ଧି ଧରି ସକ୍ରିୟ ଥିବା ମୁଲାୟମ ଲୋକସଭାକୁ ମୋଟ ୭ ଥର ନିର୍ବାଚିତ ହୋଇଥିଲେ । ୨୦୧୨ରେ ସେ ସମାଜବାଦୀ ପାର୍ଟିର ନେତୃତ୍ୱ ପୁଅ ଅଖିଳେଶଙ୍କ ହାତକୁ ଦେବା ପରେ ବି ରାଜନୀତିରେ ସକ୍ରିୟ ରହିବା ସହ ୨୦୧୯ରେ ମୈନପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ମୁଲାୟମଙ୍କ ବିୟୋଗରେ ୩ ଦିନିଆ ଶୋକ ପାଳୁଛି ଉତ୍ତରପ୍ରଦେଶ । ସେହିଭଳି ବିହାରରେ ମଧ୍ୟ ଦିନକ ପାଇଁ ଶୋକ ଦିବସ ପାଳନ କରାଯାଉଛି । ଆସନ୍ତାକାଲି ମୁଲାୟମଙ୍କ ପାର୍ଥୀବ ଶରୀର ତାଙ୍କ ଜନ୍ମମାଟି ଇଟାଓ୍ୱା ଜିଲ୍ଲାର ସୈଫାଇକୁ ନିଆଯିବ । ସେଠାରେ ତାଙ୍କର ଅନ୍ତିମ ସତ୍କାର କରାଯିବା କାର୍ଯ୍ୟକ୍ରମ ରହିଛି । ତାଙ୍କ ଶେଷକୃତ୍ୟ ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।