• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ଗଣତନ୍ତ୍ର ନୁହେଁ ଚାଲିଛି ଅମଲାତନ୍ତ୍ର । ଏଠି ମନ୍ତ୍ରୀ ବଡ଼ ନୁହନ୍ତି, ସଚିବ ବଡ଼ । ପ୍ରଶାନିକ ଅଧିକାରୀଙ୍କ ସଂପର୍କରେ ଶାସକ ଦଳ ବରିଷ୍ଠ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଙ୍କ ଏଭଳି ମନ୍ତବ୍ୟକୁ ନେଇ ପାୱାର କରିଡର୍‌ରେ ଚର୍ଚ୍ଚା । ରାଜ୍ୟରେ ଅଫିସର୍ ଶାସନ ଚାଲିଥିବା କହି ସରକାରଙ୍କୁ ପୁଣି କାଠଗଡ଼ାରେ ଠିଆ କରିଛନ୍ତି ସୌମ୍ୟ । ବିରୋଧୀ ସୌମ୍ୟଙ୍କୁ ସମର୍ଥନ କରିବା ସହ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ତେଣେ ଅଫିସର୍‌ମାନେ କିଭଳି ବିଧାୟକ ଓ ସାଂସଦଙ୍କୁ ଉଚିତ୍ ସମ୍ମାନ ଦେବେ, ତାହା ସୁନିଶ୍ଚିତ କରାଇବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର ।

କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ? ନବୀନ ପଟ୍ଟନାୟକଙ୍କ ସରକାର ବ୍ୟୁରୋକ୍ରାଟ୍‌ଙ୍କ ଦ୍ୱାରା ଚାଲୁଥିବା ଅଭିଯୋଗ ହୋଇ ଆସୁଛି, ହେଲେ ଏବେ ଏକଥା ଖୋଲାଖୋଲି କହିବା ଆରମ୍ଭ କରିଛନ୍ତି ଖୋଦ୍ ଶାସକ ଦଳର ନେତା ବିଜେଡି ବରିଷ୍ଠ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ।

ରାଜ୍ୟ ରେ ଚାଲିଥିବା ସଚିବ ଶାସନର ଗୁମୁର ଖୋଲି କହିଛନ୍ତି ଗଣତନ୍ତ୍ରର ଅବକ୍ଷୟ ଘଟୁଛି, ଅମଲାତନ୍ତ୍ରର ପ୍ରଭାବ ବଢିବାରେ ଲାଗିଛି । ଫଳରେ ଜନପ୍ରତିନିଧିଙ୍କ ଭୂମିକା ଗୌଣ ହୋଇଗଲାଣି । ଏମିତିକି ମନ୍ତ୍ରୀମାନଙ୍କ ପାୱାର ନାହିଁ, ସଚିବମାନେ ହିଁ ନିଷ୍ପତ୍ତି ନେଉଛନ୍ତି । ମନ୍ତ୍ରୀଙ୍କଠୁ ସଚିବ ବଡ଼ ବୋଲି ଧାରଣା ସୃଷ୍ଟି ହେଲାଣି । ସୌମ୍ୟଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସୌମ୍ୟଙ୍କ ମନ୍ତବ୍ୟକୁ ସମର୍ଥନ କରିବା ସହ ତୃତୀୟ ମହଲାରୁ ସବୁ ନିୟନ୍ତ୍ରଣ ହେଉଥିବା ବିଜେପି କହିଛି । ସେହିପରି ରାଜ୍ୟରେ ଅଫିସର ରାଜ୍ ଚାଲିଥିବା କହିଛି କଂଗ୍ରେସ । ଦଳୀୟ  ବିଧାୟକ ତାରା ବାହୀନିପତି କହିଛନ୍ତି ମନ୍ତ୍ରୀଙ୍କୁ କହିଲେ ହେଉନି, ସଚିବଙ୍କୁ କହିଲେ କାମ ହେଇ ଯାଉଛି ।

ରାଜ୍ୟରେ ଅଫିସର୍‌ମାନଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ସେମାନେ ବିଧାୟକ ଓ ସାଂସଦଙ୍କୁ ଖାତିର କରୁନଥିବା ଅଭିଯୋଗ ହୋଇଆସୁଛି । ଜନପ୍ରତିନିଧି ସରକାରୀ ଅଫିସର ପାଖଙ୍କୁ ଗଲେ ସେମାନଙ୍କୁ ସମ୍ମାନ ମିଳୁନି, ଚିଠି ଲେଖିଲେ ଅଫିସର ଉତ୍ତର ବି ଦେଉନାହାନ୍ତି । ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟ ବିଧାନସଭାରେ ବାରମ୍ବାର ଏହି ପ୍ରସଙ୍ଗ ଉଠାଇଛନ୍ତି । ଏସବୁ ଭିତରେ ବିଧାୟକ ଓ ସାଂସଦଙ୍କୁ ବ୍ୟୁରୋକ୍ରାଟ୍ ଉଚିତ୍ ସମ୍ମାନ ପ୍ରଦର୍ଶନ ସୁନିଶ୍ଚିତ କରାଇବା ଲାଗି ରାଜ୍ୟମାନଙ୍କୁ ଚିଠି ଲେଖିଛି କେନ୍ଦ୍ର । ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କେନ୍ଦ୍ରୀୟ ଗାଇଡଲାଇନ୍ସକୁ ଠିକ୍‌ରେ କାର୍ଯ୍ୟକାରୀ କରିବାକୁ କୁହଯାଉଛି । ତେବେ କେନ୍ଦ୍ର ଯେତେ ଚିଠି ଲେଖିଲେ ବି ତାର ପ୍ରଭାବ ପଡିବନି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ପୂର୍ବରୁ ସୌମ୍ୟ ପଟ୍ଟନାୟକ ଏଭଳି ଅନେକ ମନ୍ତବ୍ୟ ଦେଇ ନବୀନ ସରକାର ପାଇଁ ଅଡୁଆ ସୃଷ୍ଟି କରିଛନ୍ତି । ରାଜ୍ୟରେ ଅମଲା ଶାସନ ଚାଲିଥିବା ନେଇ ତାଙ୍କ ମନ୍ତବ୍ୟ ରାଜନୈତିକ ଝଡ ସୃଷ୍ଟି କରିଥିବା ବେଳେ ଆଗକୁ ତାଙ୍କ ପ୍ରତି ବିଜେଡିର ଆଭିମୁଖ୍ୟ କଣ ହେଉଛି, ତା ଉପରେ ନଜର ରହିଛି ।

(ରିପୋର୍ଟର- ବିବର୍ତ୍ତନ ପଣ୍ଡା ଓ ହରିହର ଚାନ୍ଦ, ଭୁବନେଶ୍ୱର)