Advertisment

Waiting for Justice: ଏବେ ବି ନ୍ୟାୟ ଅପେକ୍ଷାରେ ଅନେକ କୁଆଁରୀ ଝିଅଙ୍କ ଆତ୍ମା, କିଏ ଏଥିପାଇଁ ଦାୟୀ ?

ସରକାରୀ ବ୍ୟବସ୍ଥାରେ ଆଜି ପର୍ଯ୍ୟନ୍ତ ସୂଚନା ଅଧିକାରୀମାନେ ବିଭିନ୍ନ ସମ୍ବାଦପତ୍ରର କଟିଂ ବା କ୍ଲିପିଂ କରି ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କର ଅବଗତି ନିମନ୍ତେ ନିୟମିତ ଭାବେ ସେଗୁଡିକ ପ୍ରେରିତ କରୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସୋସିଆଲ୍ ମିଡିଆରେ ଆସୁଥିବା ଘଟଣାଗୁଡିକ ସମ୍ପର୍କରେ ଜ୍ଞାତ ପାଇଁ କୌଣସି ସିଷ୍ଟମ ପ୍ରସ୍ତୁତ କରାଯାଇନାହିଁ ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
କୁଆଁରୀ ଆଖିର ଲୁହ

କୁଆଁରୀ ଆଖିର ଲୁହ

ଆଜି ପର୍ଯ୍ୟନ୍ତ ବାହୁନି ବାହୁନି କାନ୍ଦୁଛନ୍ତି ଇତିଶ୍ରୀ ପ୍ରଧାନ, ବେବିନା, ମମିତା ମେହର, କୁନ୍ଦୁଲି ପୀଡିତା, ପରୀ ତଥା ଆହୁରି ଅନେକ କୁୃଆଁରୀ ଝିଅଙ୍କ ଆତ୍ମା । ଅକାଳରେ ସେମାନେ ଝଡ଼ିଯାଇଛନ୍ତି ।  ନିଜ ସ୍ୱପ୍ନର ଦୁନିଆଁ ଦେଖିବା ଆଗରୁ ସେମାନଙ୍କର ଆଖି ସବୁଦିନ ପାଇଁ ବୁଜି ହୋଇଯାଇଛି । ଉପରୋକ୍ତ ଝିଅମାନଙ୍କ ସହିତ ଏବେ ଯୋଡ଼ି ହୋଇଯାଇଛି ଆଉ ଏକ ନାମ - ବାଲେଶ୍ୱର ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଜିଇଁଥିବା ବେଳେ ସେ ଖୋଲାଖୋଲି କାନ୍ଦୁଥିଲେ – ସମସ୍ତଙ୍କର ସାମ୍ନାରେ । ନିଜର ଦୁଃଖ ଜଣାଉଥିଲେ । ହେଲେ ଏବେ ସେ ପରପାରିରେ ଗୁମୁରି ଗୁମୁରି କାନ୍ଦୁଛନ୍ତି – ମାଗୁଛନ୍ତି  ନ୍ୟାୟ । ଆଉ ତା’ ସହିତ ସେ ସମସ୍ତଙ୍କୁ ଯୋଡ଼ହସ୍ତରେ ପ୍ରାର୍ଥନା କରୁଛନ୍ତି ଯେ ତାଙ୍କ ଭଳି ଆଉ କେହି ଯେମିତି ନିର୍ଯ୍ୟାତିତ ନହୁଅନ୍ତୁ ।

Advertisment

ସତରେ କ’ଣ ଏହି ନିର୍ଯାତିତାମାନଙ୍କର ଆତ୍ମାର ସ୍ୱର ରାଜନୈତିକ ନେତା ଓ ଉଚ୍ଚ ସରକାରୀ ବାବୁମାନଙ୍କ ନିକଟରେ ପହଂଚିପାରିବ ? ସତରେ କ’ଣ ଭବିଷ୍ୟତରେ ଏମାନଙ୍କ ଅବସ୍ଥା ଆଉ କେହି ଭୋଗିବେ ନାହିଁ ? ତ୍ରୁଟିପୂର୍ଣ୍ଣ ବ୍ୟବ୍ୟସ୍ଥାକୁ କ’ଣ ଆମେ ସଜାଡ଼ି ପାରିବା ଏବଂ ଆମର ମହିଳାମାନଙ୍କୁ ଏକ ପକ୍କା ସୁରକ୍ଷାର ବଳୟ ଭିତରେ ରଖିପାରିବା?

ଉପରୋକ୍ତ ପୀଡ଼ିତାମାନଙ୍କର ସମସ୍ତଙ୍କର ଭିନ୍ନଭିନ୍ନ ପରିସ୍ଥିତିରେ ମୃତ୍ୟୁ ହୋଇଥିଲେ ହେଁ ସମସ୍ତଙ୍କର କ୍ଷେତ୍ରରେ ଗୋଟିଏ କଥା ଏକ ପ୍ରକାରରେ ଦେଖାଯାଇଥିଲା । ତାହା ହେଉଛି ବ୍ୟବସ୍ଥା ଏମାନଙ୍କୁ ମୃତ୍ୟୁ ମୁଖରୁ ବଂଚାଇ ପାରିନଥିଲା । ବ୍ୟବସ୍ଥା ନିକଟରେ ଏମାନେ ସେମାନଙ୍କର ଉତ୍ପୀଡ଼କମାନଙ୍କ ବିରୋଧରେ କେତେ ହାରିଗୁହାରି କରିନାହାଁନ୍ତି ? କିନ୍ତୁ ସେତେବେଳେ ବ୍ୟବସ୍ଥାର ମଙ୍ଗୁଆଳ ସାଜିଥିବା ବ୍ୟକ୍ତିମାନେ ତାଙ୍କୁ ରକ୍ଷା କରିପାରିନଥିଲେ । ଅନେକ କ୍ଷେତ୍ରରେ ଉତ୍ପୀଡ଼କମାନଙ୍କୁ ତତ୍‌କାଳୀନ ସରକାର ରାଜନୈତିକ ପୃଷ୍ଠପୋଷକତା ଯୋଗାଇଦେଇଥିବା ଅଭିଯୋଗ ହୋଇଥିଲା ।

Advertisment

ସବୁ ଘଟଣା ଏଠାରେ ସବିଶେଷ ଭାବରେ ବର୍ଣ୍ଣନା କରିବା କଷ୍ଟ । କିନ୍ତୁ ବ୍ୟବସ୍ଥାଗତ ତ୍ରୁଟିକୁ ଉପସ୍ଥାପନ ପାଇଁ ଏଠାରେ ଦୁଇ-ତିନି ଗୋଟି ଘଟଣାର ଅବତାରଣା କରାଯାଇପାରେ । ଯାହା ପାଠକମାନଙ୍କ ନିକଟରେ କିଛି ପରିମାଣରେ ସ୍ପଷ୍ଟତା ଆଣିବାରେ ସହାୟକ ହେବ ।
ଇତିଶ୍ରୀ ପ୍ରଧାନ ରାୟଗଡ଼ା ଜିଲ୍ଲାର ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାକିରି କରୁଥିଲେ । ଯେତେବେଳେ ସେଠାକାର ସ୍କୁଲ୍ ଇନିସ୍ପେକ୍ଟର ନେତ୍ରାନନ୍ଦ ଦଣ୍ଡସେନା ତାଙ୍କୁ ଯୈାନ ଶୋଷଣ କରିବା ପାଇଁ ଚେଷ୍ଟା କଲେ, ସେ ତାଙ୍କ ବିରୋଧରେ ପୋଲିସ୍‌ରେ ଅଭିଯୋଗ କଲେ । କେବଳ ସେତିକି ନୁହେଁ, ସେଠାକାର ବ୍ଲକ୍ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି, ଜିଲ୍ଲାପାଳ ଓ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଲିଖିତ ଅଭିଯୋଗ କଲେ ।

ସେତେବେଳର କିଛି ପ୍ରଭାବଶାଳୀ ରାଜନୈତିକ ନେତାଙ୍କ ଛତ୍ରଛାୟା ତଳେ ଥିବା ଦଣ୍ଡସେନା ଇତିଶ୍ରୀ ଉପରେ ମାମଲା ଉଠାଇବାକୁ ଚାପ ସୃଷ୍ଟି କଲେ । ଇତିଶ୍ରୀ ତାଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ନାହିଁ । ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ବିରୋଧରେ ରଚନା କରାଗଲା ଭୟାନକ ଷଡ଼ଯନ୍ତ୍ର । ଅଜଣା ବ୍ୟକ୍ତି ଦ୍ୱାରା ତାଙ୍କୁ ୨୦୧୩ ଅକ୍ଟୋବର ୨୭ ତାରିଖ ଦିନ  କିରୋସିନ୍ ଢାଳି ପୋଡି ଦିଆଗଲା । ଜୀବନ ସହିତ ଚାରିଦିନ କାଳ ଲଢି ସେ ନଭେମ୍ବର ୧ ତାରିଖ ବିଶାଖାପାଟଣାର ଏକ ହସ୍ପିଟାଲରେ ମୃତ୍ୟବରଣ କଲେ । ଇତିଶ୍ରୀ ଘଟଣାରେ ସେତେବେଳେ ବ୍ୟବସ୍ଥାର ପ୍ରତ୍ୟେକ ଅଙ୍ଗ କେବଳ ଚିତ୍‌ପଟାଙ୍ଗ ମାରିଥିଲା, ତାହା ନୁହେଁ, ଇତିଶ୍ରୀକୁ ରକ୍ଷା କରିବା ପରିବର୍ତ୍ତେ ମରଣ ମୁହଁକୁ ଠେଲି ଦେଇଥିଲା ।

ଏବେ ଆସିବା ସଦ୍ୟ ଜୁଲାଇ ୧୨ ତାରିଖ ଦିନ ଘଟିଥିବା ସୌମ୍ୟାଶ୍ରୀଙ୍କ ଘଟଣାକୁ । ଏଠି ଦୀର୍ଘ ୬ମାସ ଧରି ନ୍ୟାୟ ପାଇଁ ଲଢୁୁଥିଲେ ସେ । ତାଙ୍କ ଅଭିଯୋଗରେ ଯେଉଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ଗଠିତ ହୋଇଥିଲା, ତାହା ଏକ ପୂର୍ଣ୍ଣାଙ୍ଗ କମିଟି ନଥିଲା । କାର୍ଯ୍ୟସ୍ଥଳରେ ମହିଳାମାନଙ୍କ ଯୌନ ଶୋଷଣ ନିରୋଧ ଆଇନ୍ ୨୦୧୩ ଏବଂ ବିଶ୍ୱବିଦ୍ୟାଳୟ ମଂଜୁରୀ କମିଟି ନିୟମ ଅନୁସାରେ ଏହି କମିଟିର ଅଧ୍ୟକ୍ଷ ଜଣେ ମହିଳା ହେବା ଆବଶ୍ୟକ । ଏଠାରେ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ନିଜେ ଏହି ଦାୟିତ୍ୱରେ ରହିଲେ । ଜଣେ ପୁରଷଙ୍କ ପାଖରେ ନିଜ ଉପରେ ହେଉଥିବା ଅତ୍ୟାଚାରକୁ କେତେ ପ୍ରଭାବୀ ଢଙ୍ଗରେ ଉପସ୍ଥାପିତ କରିପାରିବ ଜଣେ ମହିଳା ?

ଏହି କମିଟିରେ କିଛି ଅଭିଜ୍ଞତା ନଥିବା ବ୍ୟକ୍ତିଙ୍କୁ ସାମିଲ କରାଗଲା । ସେହିପରି ଭାବରେ ଉପଯୁକ୍ତ ଛାତ୍ରଛାତ୍ରୀ ପ୍ରତିନିଧିତ୍ୱ ରହିଲା ନାହିଁ । ଏହା ଏକ ଲୋକଦେଖାଣିଆ କମିଟି ଥିଲା - ନ୍ୟାୟ ପାଇଁ ନୁହେଁ, ଅନ୍ୟାୟକୁ ଘୋଡ଼ାଇବା ପାଇଁ । ଏହା ସତ୍ତ୍ୱେ ମଧ୍ୟ ତଥାପି ସୌମ୍ୟାଶ୍ରୀ ଲଢିଛନ୍ତି । କିନ୍ତୁ ଦିଲ୍ଲୀପ ଘୋଷ ତାଙ୍କର ଭାବନା ଓ ମାନସିକ ଯାତନାକୁ ଠିକ୍ ଭାବେ ବୁଝିନପାରି ତାଙ୍କୁ ମିଛ ଅଭିଯୋଗ କରିଥିବା କହିବା ଏବଂ ଏ ନେଇ କାର୍ଯ୍ୟାନୁଷ୍ଠାନ ଧମକ ଦେବା ସମ୍ପୂର୍ଣ୍ଣ ଭାବେ ପରିସ୍ଥିତିକୁ ଜଟିଳ କରିଦେଲା । ଇତିଶ୍ରୀ ଭଳି ସୌମ୍ୟାଶ୍ରୀ ସରକାରଙ୍କ ବିଭିନ୍ନ ଅଙ୍ଗକୁ ତାଙ୍କର ଅଭିଯୋଗ ଜଣାଇବା ପାଇଁ ଚେଷ୍ଟା କରିଛନ୍ତି । ସେଠି ଇତିଶ୍ରୀ ଲିଖିତ ଅଭିଯୋଗ କରିଥିଲେ, - ଏଠି ସୌମ୍ୟାଶ୍ରୀ ଲିଖିତ ସହିତ ସୋସିଆଲ୍ ମିଡିଆର ସହାୟତା ନେଇଛନ୍ତି । ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଟୁଇଟ୍ ମାଧ୍ୟମରେ ନିଜର ପରିସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ଚେଷ୍ଟା କରିଛନ୍ତି ।

ସରକାରୀ ବ୍ୟବସ୍ଥାରେ ଆଜି ପର୍ଯ୍ୟନ୍ତ ସୂଚନା ଅଧିକାରୀମାନେ ବିଭିନ୍ନ ସମ୍ବାଦପତ୍ରର କଟିଂ ବା କ୍ଲିପିଂ କରି ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କର ଅବଗତି ନିମନ୍ତେ ନିୟମିତ ଭାବେ ସେଗୁଡିକ ପ୍ରେରିତ କରୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସୋସିଆଲ୍ ମିଡିଆରେ ଆସୁଥିବା ଘଟଣାଗୁଡିକ ସମ୍ପର୍କରେ ଜ୍ଞାତ ପାଇଁ କୌଣସି ସିଷ୍ଟମ ପ୍ରସ୍ତୁତ କରାଯାଇନାହିଁ । ଯଦି କୌଣସି ସମସ୍ୟା ଉପସ୍ଥାପନ ଏବଂ ତାହାର ସମାଧାନ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା କିଛି ସ୍ୱତନ୍ତ୍ର ବ୍ୟବସ୍ଥା ବିକଶିତ କରାଯାଇପାରିବ, ତେବେ ଜନସାଧାରଣ ଏହା ଦ୍ୱାରା ତ୍ୱରିତ ସେମାନଙ୍କର ସମସ୍ୟାର ସମାଧାନ ରାସ୍ତା ପାଇପାରିବେ ।

କେବଳ ସେତିକି ନୁହେଁ, ସରକାର ମଧ୍ୟ ଏ ନେଇ ଅଧିକ ପ୍ରଶଂସିତ ହେବେ । ଉପଯୁକ୍ତ ତଥା ତାଲିମପ୍ରାପ୍ତ ଅଧିକାରୀମାନଙ୍କୁ ସୋସିଆଲ ମିଡିଆ ଟ୍ରାକିଂ ସିଷ୍ଟମରେ ନିଯୁକ୍ତି ଦିଆଯାଇ କିଛିକାଂଶରେ ଜନସାଧାରଣଙ୍କର ସମସ୍ୟା ସମାଧାନ କରାଯାଇପାରେ । ଏବେ ତଦନ୍ତ ଚାଲିଛି । ଆଇସିସି ଠିକଣା ଭାବରେ ଗଠିତ ହୋଇଥିଲା କି ନାହିଁ, ତାହା ଜଣାପଡ଼ିବ । ଇତିଶ୍ରୀକୁ ମାନସିକ ଦୁଃସ୍ଥିତିକୁ କିଏ ଟାଣିଛି, ତାହା ମଧ୍ୟ ନଜରକୁ ଆସିବ ।

କିନ୍ତୁ ଭବିଷ୍ୟତରେ ବ୍ୟବସ୍ଥାର କୌଣସି ଅଙ୍ଗ ପଙ୍ଗୁ ନହୋଇଯାଉ, ତାହା ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ । ଛବିରାଣୀ ଓ ଅଞ୍ଜନା ମିଶ୍ର ଘଟଣାରେ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାରଙ୍କର ପତନ ଘଟିଥିଲା । ଇତିଶ୍ରୀ, ବେବିନା, କୁନ୍ଦୁଲି, ପରୀ ଓ ମମିତା ମେହେର ଘଟଣା ନବୀନ ପଟ୍ଟନାୟକ ସରକାରଙ୍କ ପତନ ଘଟାଇଛି । ଏବେକାର ସରକାର ମଧ୍ୟ ଏଥିରୁ କିଛି ଶିକ୍ଷାଲାଭ କରି ଠିକଣା ପଦକ୍ଷେପ ନେଇପାରିିଲେ, କାଲି ସକାଳେ ସେମାନଙ୍କୁ ଏଭଳି ସ୍ଥିତିର ସାମ୍ନା କରିବା ପାଇଁ ପଡ଼ିବ ନାହିଁ ।  

Torture Seeking Justice Young Adults Long Waiting Period
Advertisment
Advertisment