• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆ ନେତା ଖୋଜୁଛି କଂଗ୍ରେସ । ଯାହା ଜଣାପଡୁଛି ଏଥର ଦଳର କମାଣ୍ଡ ଜଣେ ଅଣ ଗାନ୍ଧୀଙ୍କ ନିକଟକୁ ଯିବ । କାରଣ ବୟସାଧିକ ଓ ସ୍ୱାସ୍ଥ୍ୟଗତ କାରଣରୁ ସୋନିଆ ଦଳର ନେତୃତ୍ୱ ନେବା ସ୍ଥିତିରେ ନାହାନ୍ତି । ସେହିପରି ଦଳର ମଙ୍ଗ ଧରିବେ ନାହିଁ ବୋଲି ସଫା ସଫା କହି ସାରିଛନ୍ତି ରାହୁଲ ଗାନ୍ଧୀ । ତେଣୁ ଜଣେ ଅଣଗାନ୍ଧୀ ହିଁ ଦଳୀୟ ସଭାପତି ପଦରେ ବସିବା ଏକରକମ ନିଶ୍ଚିତ ହୋଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଦଳର ନେତୃତ୍ୱ ନେବା ପାଇଁ ସୋନିଆ ଅନୁରୋଧ କରିଥିବା ଚର୍ଚ୍ଚା ହେଉଛି । ଭିତରେ ଆସନ୍ତା ରବିବାର ବସିବାକୁ ଥିବା କଂଗ୍ରେସ କାର୍ଯ୍ୟକାରୀ ବୈଠକର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

ଗେହଲୋଟ୍ ଗାନ୍ଧୀ ପରିବାରର ଅତି ବିଶ୍ୱସ୍ତ ହୋଇଥିବା ବେଳେ ଦଳର ବି ଜଣେ ସର୍ବମାନ୍ୟ ନେତା । ତେଣୁ ତାଙ୍କୁ ଆଗରେ ରଖି ଦଳ ପରିଚାଳନା ଲାଗି ଗାନ୍ଧୀ ପରିବାର ଚିନ୍ତା କରୁଥିବା କୁହଯାଉଛି । ମାତ୍ର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ହାତରୁ ଯିବା ହେଉ କିମ୍ବା ଗାନ୍ଧୀଙ୍କ ପ୍ରତି ଆନୁଗତ୍ୟ, ଗେହଲୋଟ୍ ଚାହୁଁଛନ୍ତି ରାହୁଲ ହିଁ କଂଗ୍ରେସର ନେତୃତ୍ୱ ନିଅନ୍ତୁ । ସେ ହିଁ କେବଳ କଂଗ୍ରେସକୁ ପୁନର୍ଜୀବିତ କରିପାରିବେ ବୋଲି ମତ ରଖିଛନ୍ତି ଗେହଲୋଟ୍ । ଦେଶର ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ଓ ନେତାଙ୍କର ମଧ୍ୟ ସମାନ ଇଛା ବୋଲି କହିଛନ୍ତି ରାଜସ୍ଥାନର ଏହି ଭେଟେରାନ୍ । ମାତ୍ର ରାହୁଲ ନିଜ ମତରେ ଅଟଳ ଥିବାରୁ ରବିବାର ବସିବାକୁ ଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଉପରେ ନଜର ରହିଛି ।

ଜଣେ ଅଣ ଗାନ୍ଧୀ ଯଦି ଦଳର ସଭାପତି ହୁଅନ୍ତି ତେବେ ସେ ସ୍ୱଚ୍ଛନ୍ଦରେ ଚଳାଇପାରିବେ କି ଦଳ? କଂଗ୍ରେସର ଭାଗ୍ୟ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ରତାର ସହ ନେଇ ପାରିବେ କି ନିଷ୍ପତ୍ତି? ତାଙ୍କ ନିଷ୍ପତ୍ତି କଂଗ୍ରେସ କର୍ମୀ ଓ ନେତାଙ୍କ ପାଇଁ ଗ୍ରହଣୀୟ ହେବ ତ? କାରଣ କେବଳ ଜାତୀୟସ୍ତରରେ ନୁହେଁ ରାଜ୍ୟସ୍ତରରେ ବି କଂଗ୍ରେସରେ ଚରମସୀମାରେ ରହିଛି ଗୋଷ୍ଠୀ କନ୍ଦଳ । ଅନ୍ୟପକ୍ଷରେ କ୍ଷମତାରୁ ଦୂରେଇ ରହି ଚୁପ ବସିପାରିବ ତ ଗାନ୍ଧୀ ପରିବାର ? କାରଣ ବିଗତ ଦିନରେ ବି ଗାନ୍ଧୀ ପରିବାର ହସ୍ତକ୍ଷେପର ନମୁନା ଦେଖିବାକୁ ମିଳିଛି ।

କ୍ଷମତାରେ ନରହିଲେ ମଧ୍ୟ ଗାନ୍ଧୀଙ୍କ ଇଛା ବିରୁଦ୍ଧରେ କୌଣସି ନିଷ୍ପତ୍ତି ହେବାର ନଜିର ନାହିଁ । ତେଣୁ ସୋନିଆ, ରାହୁଲ ହୁଅନ୍ତୁ କି ପ୍ରିୟଙ୍କା, ଏମାନେ କେତେ ଦିନ କ୍ଷମତାରୁ ଦୂରେଇ ରହି ନୂଆ ସଭାପତିଙ୍କ ପଛରେ ଛିଡ଼ା ହେବେ ତାହା ବଡ଼ ପ୍ରଶ୍ନ । ସେହିପରି ଗାନ୍ଧୀଙ୍କ ଆନୁଗତ୍ୟଙ୍କୁ ବି ନୂଆ ସଭାପତି କେତେ ଗ୍ରହଣୀୟ ହେବେ ତାହା କହିବା ମୁସ୍କିଲ । ତେଣୁ ସିଡବ୍ଲୁସି କାହାକୁ ବାଛୁଛି ଓ ବିଷମ ସ୍ଥିତିରେ ଦଳକୁ ଦିଗଦର୍ଶନ ଦେବାରେ ସେ କେତେ ସମର୍ଥ ହେବେ ତାହା ସମୟ ହିଁ କହିବ ।