Advertisment

ମହଙ୍ଗା ‘ମହାମାରୀ’ରେ ବେହାଲ୍ ସାଧାରଣ ଜନତା…ସରକାର ଦୃଷ୍ଟି ଦେବେ ତ...

ଆକାଶ ଛୁଆଁ ହୋଇଛି ପନିପରିବା ଦର। ୫୦୦ ଟଙ୍କା ଖର୍ଚ୍ଚ କଲେ, ବ୍ୟାଗ୍ ଭର୍ତ୍ତି ହେବା ତ ଦୂରର କଥା ଅଧା ହେବା ବି ମୁସ୍କିଲ। ଗାଁଠୁ ସହର ସମସ୍ତଙ୍କୁ ବାଧୁଛି ପରିବା ଦର। ଏନେଇ ପୂର୍ବ ସରକାରକୁ ଟାର୍ଗେଟ୍ କରୁଥିବା ବର୍ତ୍ତମାନର ସରକାର ଏ ଦିଗରେ ପଦକ୍ଷେପ ନେବେ ତ…

author-image
Dilip Sabat
ଅଦ୍ୟତନ ହୋଇଛି
Soaring vegetable prices hitting common man hard

Soaring vegetable prices hitting common man hard

ମହଙ୍ଗାର ‘ମହାମାରୀ’ରେ ବେହାଲ ସାଧାରଣ ଜନତା। ଗତ ଅର୍ଦ୍ଧବର୍ଷରୁ ଅଧିକ ଦିନ ହେଲା ଓଡ଼ିଶା ମାର୍କେଟ୍‌ ଦଖଲ କରିରଖିଛି ‘ମହଙ୍ଗା’। ଦେଶର ମହଙ୍ଗା ଖାଉଟି ସାମଗ୍ରୀ ତାଲିକାରେ କ୍ରମାଗତ ଭାବେ ଆମ ରାଜ୍ୟ ପ୍ରାୟ ୧ ନମ୍ବର ସ୍ଥାନ ଅକ୍ତିଆର କରିଚାଲିଛି।

Advertisment

ନିକଟରେ ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ରିପୋର୍ଟ ପ୍ରକାଶ ପାଇଛି। ଏହାର ତଥ୍ୟ ଅନୁସାରେ ଜୁନ ୨୦୨୪ରେ ଓଡ଼ିଶାର ଖାଉଟି ମୁଦ୍ରାସ୍ଫିତି ହାର ସର୍ବାଧିକ ୭.୨୨ ପ୍ରତିଶତ ରହିଛି। ଓଡ଼ିଶା ପଛକୁ ରହିଛି ବିହାର (୬.୩୭) ଓ କର୍ଣ୍ଣାଟକ(୫.୯୮)। ସର୍ବଭାରତୀୟସ୍ତରରେ ଏହାର ସ୍ଥିତି ରହିଛି ୫.୮ ପ୍ରତିଶତ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୮% କୁ ବୃଦ୍ଧି ପାଇବା ୪ ମାସରେ ସର୍ବୋଚ୍ଚ ସ୍ତରର ମୁଦ୍ରାସ୍ଫୀତି। ଏପ୍ରିଲରେ ମୁଦ୍ରାସ୍ଫୀତି ୪.୮୫% ଥିବା ବେଳେ ମେ ମାସରେ ୪.୭୫% ଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଜୁଲାଇ ୧୨ ଶୁକ୍ରବାର ଦିନ ଏହି ପରିସଂଖ୍ୟାନ ପ୍ରକାଶ କରିଛି। ତେବେ ଗତ ପ୍ରାୟ ୯ ମାସ ହେଲା ମହଙ୍ଗା ଖାଉଟି ସାମଗ୍ରୀରେ ଓଡ଼ିଶାର ରେକର୍ଡ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ହୋଇ ରହିଛି।

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ହେଉ କି ପରେ ମହଙ୍ଗାମାଡ଼ ଲୋକଙ୍କ ପିଛା ଛାଡୁନି। ପେଟ୍ରୋଲ୍‌ ଲିଟର ଶହେ ପାର ହେବା ପରେ ପଛକୁ ପଛ କ୍ରମାଗତ ଭାବେ ଖାଉଟି ସାମଗ୍ରୀ ଦର ବଢି ଚାଲିଥିବା ଦେଖାଯାଇଛି। ଅଟା, ଚାଉଳ, ତେଲ, ଡାଲି ଆଦି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଦର ବେଲଗାମ ଭାବେ ବଢିଚାଲିଛି। ଆଳୁ ପିଆଜ ଅଧା ସେଞ୍ଚୁରୀ ମାରିଥିବାବେଳେ ପନିପରିବାଗୁଡିକ କିଲୋ ପ୍ରତି ଶତକ ପାରକରିବାକୁ ବସିଲାଣି।

ତା’ପଛକୁ ସାର, ବିହନ ଆଦି କୃଷି ସାମଗ୍ରୀର ଦର ଚାଷୀକୁଳକୁ ଚିନ୍ତାମୁକ୍ତ କରିପାରୁନି। ବେରୋଜଗାର, ଅଳ୍ପ ରୋଜଗାର ଓ ବାର୍ଦ୍ଧକ୍ୟ ଭତ୍ତାରେ ଚଳୁଥିବା ଲୋକଙ୍କ ପାଇଁ ମହଙ୍ଗାର ପ୍ରହାର ମାନସିକ ଚିନ୍ତା ଭିତରକୁ ଠେଲି ଦେଇଛି।

ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ ଓଡ଼ିଶା ଅନେକ ନିତ୍ୟବ୍ୟବହାର୍ଯ୍ୟ ବା ଖାଦ୍ୟ ସାମଗ୍ରୀ ପାଇଁ ଅଧିକାଂଶ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ଆମ ରାଜ୍ୟରେ ପର୍ଯ୍ୟାପ୍ତ ଅମଳ ବ୍ୟବସ୍ଥା ହୋଇପାରୁନି। ଯଦିଓ ଅମଳ ହେଉଛି, ପର୍ଯ୍ୟାପ୍ତ ଶୀତଳଭଣ୍ଡାର ନଥିବା କାରଣରୁ ଚାଷୀ କ୍ଷତି ସହୁଛି। ଯାହାଫଳରେ ପରବର୍ତ୍ତୀ ସମୟରେ ଚାଷ ପ୍ରତି ଚାଷୀର ଆଗ୍ରହ କମିଯାଉଛି।

ମୌସୁମୀ ସମୟରେ ଶସ୍ତା ଓ ଅଣମୌସୁମୀ ସମୟରେ ଚଢ଼ା ଦରରେ ଖାଉଟି ଖାଦ୍ୟ ସାମଗ୍ରୀ କିଣୁଛନ୍ତି। ଏଥିରେ ବ୍ୟବସାୟୀ ଲାଭବାନ ହୋଇପାରନ୍ତି କିନ୍ତୁ ଚାଷୀ ନୁହେଁ ! ତେବେ ରାଜ୍ୟରେ ଆବଶ୍ୟକୀୟ ଶୀତଳଭଣ୍ଡାର ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ବିଦାୟୀ ସରକାର ସେଭଳି ପଦକ୍ଷେପ ନେଇ ନଥିଲେ।

ଏସବୁ ବିଷୟକୁ ନେଇ ଯେଉଁଭଳି ରାଜନୈତିକ ପ୍ରସଙ୍ଗ ହେବା କଥା ତାହା ବି ଦେଖିବାକୁ ମିଳିଲା ନାହିଁ। ଗୁରୁତ୍ୱର ବିଷୟ ହେଲା ମହଙ୍ଗାର ମାହୋଲ ଭିତରେ ୨୦୨୪ ସାଧାରଣ ନିର୍ବାଚନ ଅତିକ୍ରମ କରିଥିଲେ ମଧ୍ୟ ରାଜନୈତିକ ଦଳ ପକ୍ଷରୁ ଏହା ନିର୍ବାଚନୀ ମୁଦ୍ଦା ହୋଇପାରିଲା ନାହିଁ।

ତେବେ ବିଭିନ୍ନ ସମୟରେ ଦରଦାମ ବୃଦ୍ଧିକୁ ନେଇ ଭିନ୍ନ ଭିନ୍ନ କାରଣ ସବୁ ସାମ୍ନାକୁ ଆସିଛି। ରାଷ୍ଟ୍ରୀୟ ବଜାରରେ ତେଲ ଦର ବଢିବା, ବାତ୍ୟା, ବୃଷ୍ଟି, ମରୁଡି, ଚାଷ କ୍ଷେତ୍ରରୁ ଚାଷୀଙ୍କ ଅନାଗ୍ରହ, ଚାଷଜମିରେ ହ୍ରାସ ଭଳି ଅନେକ କାରଣକୁ ନେଇ ଅନେକ ସମୟରେ ଯୁକ୍ତି ଓ ବିତର୍କ ହେଉଛି। କିନ୍ତୁ ସାଧାରଣ ଜନତାଙ୍କ ମୁଣ୍ଡକୁ ମହଙ୍ଗା ବୋଝରୁ ମୁକ୍ତ କଲାଭଳି ଗଠନମୂଳକ ପଦକ୍ଷେପ ନିଆଯାଇପାରି ନାହିଁ।

ଓଡ଼ିଶାରେ ନୂଆ ବିଜେପି ସରକାର ଏଣ୍ଟ୍ରି ହୋଇଛି। ବିଜେଡି ସରକାରକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରି ଦୀର୍ଘ ୨୪ ବର୍ଷର ଶାସନରେ ପରିବର୍ତ୍ତନ ଆଣିଛନ୍ତି। ପୂର୍ବ ସରକାରରେ ବିଜେପି ମୁଖ୍ୟ ବିରୋଧୀ ଦଳର ଭୂମିକା ନିର୍ବାହ କରୁଥିଲା। ଦରଦାମ ବୃଦ୍ଧି ଓ ମହଙ୍ଗା ଖାଉଟି ସାମଗ୍ରୀକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ବିଜେପି ସ୍ୱର ଉଠାଇ ନବୀନ ସରକାରଙ୍କୁ ଘେରି ଆସିଛି।

ରାଜ୍ୟବାସୀଙ୍କ ମହଙ୍ଗା ପୀଡାକୁ ବିଜେପି ବେଶ ଭଲଭାବେ ବୁଝିଛି ଏବଂ ହୃଦ୍‌ବୋଧ କରିଛି। ତେଣୁ ଓଡ଼ିଶାବାସୀଙ୍କୁ ମହଙ୍ଗାର ‘ମହାମାରୀ’ରୁ ଉଦ୍ଧାର କରି ମୋହନ ସରକାର ସମଗ୍ର ଦେଶରେ ନୂଆ ଇତିହାସ ରଚନା କରିବାର ଅବସର ସୃଷ୍ଟି ହୋଇଛି।

ଆଗକୁ ବିଧାନସଭା ବଜେଟ ଅଧିବେଶନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ୱାବଧାନରେ ୧୨ ଜୁନ ଶୁକ୍ରବାର ଦିନ ପ୍ରାକ୍‌-ବଜେଟ୍‌ ପ୍ରସ୍ତୁତି ବୈଠକ ହୋଇଥିଲା, ଯେଉଁଠି ରାଜ୍ୟର ପ୍ରବୀଣ ଅର୍ଥନୀତିଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ବିଭାଗର ସଚିବ ଉପସ୍ଥିତ ରହି ନିଜର ସୁଚିନ୍ତିତ ପ୍ରସ୍ତାବ ରଖିଥିଲେ।

ତେବେ ୨୬ଟି ମୂଲ୍ୟବାନ ପ୍ରସ୍ତାବ ଉପରେ ଗୁରୁତ୍ୱ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ବିବୃତିରେ କହିଛନ୍ତି । ତେବେ ଏହି ୨୬ଟି ମୂଲ୍ୟବାନ ପ୍ରସ୍ତାବ ମଧ୍ୟରେ ଓଡ଼ିଶାର ଚାଷୀ ଓ ଖାଉଟିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦରଦାମ ବୃଦ୍ଧି ଏବଂ ପ୍ରତି ବ୍ଲକ୍‌ରେ ଶୀତଳଭଣ୍ଡାର ପ୍ରତିଷ୍ଠା ବିଷୟରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବ ବୋଲି ଆଶା କରାଯାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

BJD BJP Odisha Politics Vegetable Price Hike Vegetable Price
Advertisment
Advertisment