• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିବାଦରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ତାଙ୍କ ମନ୍ତବ୍ୟକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ଝଡ । ରାଷ୍ଟ୍ରପତିଙ୍କ ଗରିମାକୁ ହ୍ରାସ କରିଥିବାରୁ କଂଗ୍ରେସ କ୍ଷମା ମାଗିବାପାଇଁ ବିଜେପି ସଦସ୍ୟମାନେ ଉଭୟ ଗୃହରେ ଦାବି କରିଥିଲେ । ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବିଜେପି ସାଂସଦ ମାନେ ପ୍ରତିବାଦ କରିଥିଲେ । ବିଜେପି ସାଂସଦମାନେ ସଂସଦ ବାହାରେ ମଧ୍ୟ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ।

ତେବେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଭଳି ଶବ୍ଦ ଜାଣିଶୁଣି ପ୍ରୟୋଗ କରିନାହିଁ, ବରଂ ଭୁଲରେ ଏଭଳି କହିଛି ବୋଲି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି । କେବଳ ଏତିକି ନୁହେଁ ଅଧୀର ଏ ସମ୍ପର୍କରେ କ୍ଷମା ମାଗି ସାରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

ସେପଟେ ଅଧୀର ରଞ୍ଜନଙ୍କ ବିବାଦୀୟ ମନ୍ତବ୍ୟକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୃଢ ନିନ୍ଦା କରିଛନ୍ତି । ଏନେଇ ସେ ଟ୍ୱିଟ୍‌ କରି କହିଛନ୍ତି, ‘ଅଧୀର ରଞ୍ଜନ ସବୁ ସୀମା ଟପିଯାଇଛନ୍ତି । ତାଙ୍କର ଏହି ମନ୍ତବ୍ୟରୁ ହିଁ ଜଣାପଡୁଛି ଯେ, କଂଗ୍ରେସ ଆଦିମ ଜନଜାତି ଓ ପଛୁଆ ବର୍ଗଙ୍କୁ କେତେ ସମ୍ମାନ କରେ । ତେବେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ’ ।

ସେପଟେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଧାନସଭାରେ ଝଡ଼ ଉଠିଛି । ପ୍ରଶ୍ନକାଳ ଆରମ୍ଭରୁ ଆଜି ବିଧାନସଭାରେ ବିଜେପି ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ପ୍ରବଳ ହଙ୍ଗାମା ପରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଏହା ପରେ ଗୃହ ବାହାରେ ବିଜେପି ବିଧାୟକମାନେ ବ୍ୟାନର ଓ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି । ବିଜେପି ଅଭିଯୋଗ କରିଛି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଧୀରଙ୍କ ଏପରି ମନ୍ତବ୍ୟ ରାଷ୍ଟ୍ରର ଅପମାନ। ଏଥିପାଇଁ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ । ଅଧିରାଜଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଉ ।

ଏନେଇ ବିଜେଡି ବିଧାୟକ ରାଜକିଶୋର ଦାସ ମଧ୍ୟ କହିଛନ୍ତି, ‘ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଏହା ନିନ୍ଦନୀୟ ।’ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ରାଜନ ଏକ୍କା ମଧ୍ୟ କହିଛନ୍ତି, ‘ଏପରି କହିବା ଭୁଲ୍ ।’ ସେପଟେ ବିକ୍ଷୋଭକାରୀମାନେ ରାମମନ୍ଦିର ଛକରେ ମଧ୍ୟ ନାରାବାଜି ସହ କୁଶ ପୁତ୍ତଳିକା ଦାହ କରୁଥିବା ଦେଖିବାକୁ ମିଳିଛି ।