• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ । ମେଡିକାଲ କଲେଜକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ସମାରୋହରେ ଭର୍ଚୁଆଲରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର, କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ଅନ୍ୟପଟେ ହେଲିକପ୍ଟର ମାଧ୍ୟମରେ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଭା ସ୍ଥଳକୁ ଯାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାର ଶୁଭାରମ୍ଭ କରିଥିଲେ । ଏହାସହ ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ କରିଥିଲେ ।

ମେଡିକାଲ କଲେଜରେ ପାଞ୍ଚ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାରଯାଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଛି । ଏଥିରେ ୧୫୦ ଛାତ୍ରୀ ଓ ୩୦୦ ଛାତ୍ରଙ୍କ ପାଇଁ ସୁବିଧା ରହିଛି । ମେଡିକାଲର ଏବେ ୨୧ଟି ବିଭାଗର ପାଠ୍ୟକ୍ରମ ଖୋଲିଛି । ପାଠ ପଢ଼ାଇବାକୁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ଯୋଗ ଦେଇସାରିଲେଣି ।

ପୁରୀ ବାଲିଗୁଆଳି ନିକଟରେ ୫୦୦ କୋଟି ଟଙ୍କା ବ୍ୟୟରେ ଏହି ହସ୍ପିଟାଲ ନିର୍ମାଣ କରାଯାଇଛି । ଆଜି ୨୦୨୧-୨୦୨୨ ବର୍ଷ ପାଇଁ ଏମବିବିଏସ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ବ୍ୟାଚରେ ୩୦ ଜଣ ଛାତ୍ରୀଙ୍କ ସହ ୭୦ ଜଣ ଛାତ୍ର ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ମାଣ୍ଡବୀୟ ଛାତ୍ରମାନଙ୍କ ସହ ଭର୍ଚ୍ଚୁଆଲରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।