• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଶୋକ ଗେହଲୋଟ ବନାମ ଶଶି ଥରୁର । ଜଣେ ଗାନ୍ଧି ଅନୁଗତ ଅନ୍ୟ ଜଣେ ବିରୋଧୀ । କଂଗ୍ରେସ ମଙ୍ଗୁଆଳ ପଦ ଲାଗି ହେବ କି ଦୁଇ ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ୍ୱଯୁଦ୍ଧ? ୨୪ ତାରିଖରୁ ସଭାପତି ପଦ ଲାଗି ନାମାଙ୍କନ ଦାଖଲ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜନୈତିକ ମହଲରେ ବଢିଛି କଳ୍ପନାଜଳ୍ପନା । ସୋମବାର ସୋନିଆ ଗାନ୍ଧି ଙ୍କୁ ଭେଟିଥିଲେ ସଂଗଠନରେ ଆମୂଳଚୁଳ ପରିବର୍ତ୍ତନ ଚାହୁଁଥିବା ବିରୋଧୀ ଜି-୨୩ ଗୋଷ୍ଠୀର ସଦସ୍ୟ ଶଶି ଥରୁର । ସଭାପତି ନିର୍ବାଚନରେ ସଂପୂର୍ଣ୍ଣ ନିରପେକ୍ଷ ରହିବେ ବୋଲି ସୋନିଆ, ଥରୁରଙ୍କୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି । ଏପଟେ ଗତକାଲି ଅଚାନକ ନିଜ ବିଧାୟକଙ୍କ ବୈଠକ ଡାକିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ । ତେଣୁ ସେ ମଇଦାନକୁ ଓହ୍ଲାଇବାକୁ ମନ ସ୍ଥିର କରିନେଇଥିବା ସ୍ପଷ୍ଟ ହେଉଛି ।

ରାହୁଲ ସଭାପତି ପଦ ଲାଗି ଆଦୌ ଉଚ୍ଛୁକ ନଥିବା ତାଙ୍କ ନିକଟ ମହଲରୁ ସୂଚନା ମିଳିଛି । ଏହାସତ୍ତ୍ୱେ ବିହାର,ତାମିଲନାଡୁ, ରାଜସ୍ଥାନ, ଛତିଶଗଡ଼, ଗୁଜୁରାଟ, ହରିୟାଣା କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତାବ ପାରିତ କରାଯିବା ସହ ସଭାପତି ପଦଲାଗି ନାମାଙ୍କନ ଭରିବା ଲାଗି ରାହୁଲଙ୍କ ନିକଟରେ ଦାବି କରାଯାଇଛି । ସେହିପରି କେରଳ ଓ ମଧ୍ୟପ୍ରଦେଶର କଂଗ୍ରେସ ନେତା ସିଧାସଳଖ ରାହୁଲଙ୍କୁ ଭେଟି ସଭାପତି ହେବା ଲାଗି ଅନୁରୋଧ କରିଛନ୍ତି । ତେଣୁ ଡବଲ ଗେମ୍ ଖେଳୁନାହିଁ ତ ଗାନ୍ଧି ପରିବାର, ତାକୁ ନେଇ ଉଠୁଛି ପ୍ରଶ୍ନ । ସୋନିଆ ଓ ରାହୁଲଙ୍କ ଅଗୋଚରରେ ପାରିତ ହେଉଛି କି ଏଭଳି ପ୍ରସ୍ତାବ? ଏପଟେ ଅଶୋକ ଗେହଲୋଟଙ୍କ ସଭାପତି ଭାବେ ପ୍ରୋଜେକ୍ଟ କରି ଅନ୍ୟପଟେ ସେ ନିଜେ ନିରପେକ୍ଷ ରହିବେ ବୋଲି ସୋନିଆ ଥରୁରଙ୍କୁ ଦେଇଥିବା ପ୍ରତିଶ୍ରୁତିର ମାନେ କଣ ବୋଲି ବି ପ୍ରଶ୍ନ ଉଠୁଛି ।

ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ ହେବ, ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ । ୨୪ରୁ ୩୦ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କ ପତ୍ର ଦାଖଲ କରିପାରିବେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୮, ଏହାପରେ ନୂଆ ସଭାପତି ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରିବେ । ନୂଆ ସଭାପତିଙ୍କୁ ଏଥିପାଇଁ କ୍ଷମତା ପ୍ରଦାନ ଲାଗି ପିସିସି ସ୍ତରରେ ସର୍ବସମ୍ମତିରେ ପ୍ରସ୍ତାବ ପାରିତ ହେବ । ଏନେଇ ଖୁବ୍ ଶୀଘ୍ର ପ୍ରଦେଶ ରିଟର୍ଣ୍ଣି ଅଧିକାରୀମାନେ ବୈଠକ କରିବେ ବୋଲି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ଅଥରିଟିର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ସୂଚନା ଦେଇଛନ୍ତି ।