• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ବଡ଼ ଷ୍ଟ୍ରାଟେଜି । ବିଜେପି ପ୍ରସ୍ତୁତ କରିଛି ଶକ୍ତିସାଥୀ । ମିଶନ ଶକ୍ତି ବା SHG ମହିଳାଙ୍କୁ ନିଜ ଆଡକୁ ନେବାକୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଶକ୍ତିସାଥୀ ମାନଙ୍କୁ ନେଇ ଆୟୋଜିତ କରିଛି ଶକ୍ତି ବନ୍ଦନ କର୍ମଶାଳା । ଯେଉଁଥିରେ ୨ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି ଦେଇଥିଲେ ଟ୍ରେନିଂ । ଅନ୍ୟ ପଟେ ଓଡ଼ିଶା SHG ମଡେଲ୍ ଠାରୁ ବିଜେପି ଶାସିତ ରାଜ୍ୟରେ SHG ମଡେଲ୍ ଭଲ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ବିଜେପି ଫୋକସରେ SHG । ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବେ ବିଜେପିର ଶକ୍ତି ସାଥୀ । ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ବିଜେପିର ଶକ୍ତି ବନ୍ଦନ କର୍ମଶାଳାରେ କ୍ଲାସ୍ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନା ଜ୍ୟୋତି ଓ ଧର୍ମେନ୍ଦ୍ର ପ୍ରଧାନ । କେମିତି ବଢିବ ମହିଳା ଭୋଟ୍ ? ୭୦୦ରୁ ଅଧିକ ଶକ୍ତିସାଥୀଙ୍କୁ ମନ୍ତ୍ର ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ ।

SHG ରାଜ୍ୟର ନୁହେଁ କେନ୍ଦ୍ରର । ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ଶ୍ରେୟ ରାଜ୍ୟର ନୁହେଁ କେନ୍ଦ୍ରର । କାହିଁକି ନା ମୋଟ୍ ସୁଧରୁ ୭ ପ୍ରତିଶତ କେନ୍ଦ୍ର ଦେଉଥିବା ବେଳେ ରାଜ୍ୟ ଦେଉଛି ମାତ୍ର ୪ ପ୍ରତିଶତ । ଏହା ବ୍ୟତୀତ ସ୍ୱୟଂ ସହାୟିକାଙ୍କ ପାଇଁ ମୋଦିଙ୍କ ଲକ୍ଷପତି ଦିଦି, ନମୋ ଡ୍ରୋନ ଦିଦି ଯୋଜନା ।

ସେହିପରି ଏମବିକେ, ସିଆରପି ଭଳି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ବି ସ୍କିମ ଅନୁଯାୟୀ ସହାୟତା ଦେଉଛନ୍ତି କେନ୍ଦ୍ର ସରକାର । ମହିଳା ସଶକ୍ତୀକରଣ ଲାଗି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତଠାରୁ ଆରମ୍ଭ କରି କେନ୍ଦ୍ରର ସବୁ ଯୋଜନା ବିଷୟରେ ପ୍ରତି SHG ସଦସ୍ୟାଙ୍କୁ ଅବଗତ କରିବେ ଶକ୍ତିସାଥୀ । ଏହା ସହ ଆଗକୁ ପ୍ରତି ପଞ୍ଚାୟତ ବା ଶକ୍ତି କେନ୍ଦ୍ରରେ ହେବ ଶକ୍ତି ବନ୍ଦନ କର୍ମଶାଳା ।

ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ ରହିଛି । ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର SHG ଗ୍ରୁପରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟା ରହିଛନ୍ତି । ଯାହାକି ବିଜେଡିର ପ୍ରମୁଖ ଭୋଟ୍ ବ୍ୟାଙ୍କ ବୋଲି କୁହାଯାଉଛି । ଅନ୍ୟପଟେ ନିକଟରେ ସରିଥିବା ୩ ରାଜ୍ୟ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ ମହିଳା ଭୋଟ୍ ହିଁ ବିଜେପି ପାଇଁ ଗେମ ଚେଞ୍ଜର ହୋଇଥିଲା ।

ମଧ୍ୟପ୍ରଦେଶର ଲାଡଲି ବେହେନା ଆଉ ଛତିଶଗଡରେ ମହାତ୍ରୀ ବନ୍ଦନ ପରି ସ୍କିମ ଆଣି ନିଜ ଆଡକୁ ମହିଳା ଭୋଟ୍ ଆଣି ପାରିଥିଲା ବିଜେପି । ସେପଟେ ଓଡିଶା SHG ମଡେଲ ଅପେକ୍ଷା ବିଜେପିଶାସିତ ରାଜ୍ୟରେ ଏହି ମଡେଲ୍ ଭଲ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ହିମନ୍ତ କହିଛନ୍ତି ଆସାମରେ ୪୦ ଲକ୍ଷ ଏସଏଚଜି ମହିଳା ଥିବା ବେଳେ ୯ ଲକ୍ଷରୁ ଅଧିକ ମହିଳା ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ମହିଳା ସଶକ୍ତୀକରଣ ପାଇଁ ମୋଦି ସରକାରଙ୍କ ଅନେକ ଯୋଜନା ରହିଛି, ଏହାକୁ ଡୋର୍ ଷ୍ଟେପକୁ ନେବାକୁ ପଡିବ । ଅନ୍ୟ ପଟେ ବିଜେଡି କହିଛି ମହିଳାମାନେ ବିଜେଡି ସହ ଅଛନ୍ତି।

ପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ବଣ୍ଟା ଯାଉଥିବା ଚାଉଳର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରି ନବୀନଙ୍କଠୁ ଶ୍ରେୟ ଛଡ଼ାଇ ନେଇଛନ୍ତି କେନ୍ଦ୍ରର ମୋଦି ସରକାର । ଏବେ ଦେଖିବାର କଥା SHG ମହିଳାମାନଙ୍କୁ ପ୍ରଭାବିତ କରିବାରେ କେତେ ସଫଳ ହେଉଛି ଶକ୍ତିସାଥୀ ଷ୍ଟ୍ରାଟେଜି ।

  • Reported by:
  • JAGDISH DAS , SOUMYA RANJAN SAHOO