• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡିଶାରେ ପାଦ ଥାପିଲା ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍ । ଆଜି ସ୍ୱତନ୍ତ୍ର ଚାର୍ଟର ଫ୍ଲାଇଟରେ ହାଇଦ୍ରାବାଦ ଯାଇ ଦଳରେ ଯୋଗ ଦେଇଛନ୍ତି ଅନେକ ଓଡ଼ିଆ ନେତା । ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗଙ୍କ ସମେତ ଅନେକ ପୂର୍ବତନ ସାଂସଦ, ବିଧାୟକ, ନବ ର୍ନିମାଣ କୃଷକ ସଙ୍ଗଠନର କାର୍ଯ୍ୟକର୍ତ୍ତା, ସମାଜସେବୀ ଓ ଆଇନଜୀବୀ । ପଛୁଆ ବର୍ଗ, ଆଦିବାସୀ, ଚାଷୀ ଓ ତେଲୁଗୁ ଭୋଟର ଦଳର ଫୋକସରେ ରହିଛି । ତେବେ ବିଆରଏସର ଉପସ୍ଥିତି ରାଜ୍ୟ ରାଜନୀତିକୁ ଆଦୌ ପ୍ରଭାବିତ କରିପାରିବ ନାହିଁ ବୋଲି କହିଛନ୍ତି ଶାସକ ବିଜେଡି ଓ ବିଜେପି .... ।

ହାଇଦ୍ରାବାଦରେ ମିଶ୍ରଣ ପର୍ବ ତେଲେଙ୍ଗାନାରେ କ୍ଷମତାରେ ଥିବା ଭାରତ ରାଷ୍ଟ୍ର ସମିତି ବା ବିଆରଏସରେ ଆଜି ସାମିଲ ହୋଇଛନ୍ତି ଅନେକ । ଓଡ଼ିଶା ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗଙ୍କ ସମେତ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠୀ, ବିଶିଷ୍ଟ ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ସୂଚନା ଅଧିକାରକର୍ମୀ ପ୍ରଦୀପ ପ୍ରଧାନଙ୍କ ସମେତ ବହୁ ଚାଷୀ ନେତା, ସମାଜସେବୀ ଓ ଆଇନଜୀବୀ, BRS ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ।

କେସିଆର ମଡେଲକୁ ଆଧାର କରି ଦଳ ଓଡ଼ିଶାରେ ର୍ନିବାଚନ ଲଢିବ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବାକୁ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ କିଛି ଆସନ ଉପରେ ରହିବ ସ୍ୱତନ୍ତ୍ର ଫୋକସ୍ । କାରଣ ଚାଷୀ, ଆଦିବାସୀ ଓ ତେଲଗୁ ଭୋଟରଙ୍କୁ ନଜରରେ ରଖି ଓଡ଼ିଶାକୁ ପ୍ରାଥମିକତା ଦେଇଛି ବିଆରଏସ୍ । ଦକ୍ଷିଣ ଓଡିଶାରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ତେଲୁଗୁ ଭୋଟରଙ୍କ ଉପସ୍ଥିତି ଥିବା ବେଳେ ୨୦ ବିଧାନସଭା ଆସନରେ ଏମାନଙ୍କ ଭୋଟ ନିର୍ଣ୍ଣାୟକ ବି ହୋଇପାରେ ।

ତେଣେ ଦଳିତ ଓ ଆଦିବାସୀ ନେତାଙ୍କୁ ନିଜ ପଟକୁ ନେଇ ଏମାନଙ୍କ ଭୋଟ ହାତେଇବା ଚକ୍କରରେ ରହିଛି ଦଳ । ଅନ୍ୟପକ୍ଷରେ ରାଜ୍ୟରେ ତେଜୁଥିବା ଚାଷୀ ଅସନ୍ତୋଷରୁ ଫାଇଦା ମାରିବାକୁ ବି ବିଆରଏସ୍ ରଣନୀତି ପ୍ରସ୍ତୁତ କରିଛି । ନବ ର୍ନିମାଣ କୃଷକ ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କୁ ଖାସ୍ ସେଥିଲାଗି ଦଳରେ ସାମିଲ କରିଛି ।

ଓଡ଼ିଶାରେ ବିଜୁ ଜନତା ଦଳ କ୍ରମାଗତ ୫ ଥର ଲାଗି କ୍ଷମତାରେ ଥିବା ବେଳେ ବିଜେପି ଏହାକୁ ଗାଦିଚ୍ୟୁତ କରିବାରେ ସଫଳ ହୋଇନାହିଁ । ଅନ୍ୟପକ୍ଷରେ କଂଗ୍ରେସ କ୍ରମାଗତ ଭାବେ ଦୁର୍ବଳ ହେବା ସହ ଅସ୍ଥିତ୍ୱ ବଜାୟ ରଖିବାକୁ ସଂଘର୍ଷ କରୁଛି ।ଏଭଳି ସ୍ଥିତିରେ ବିକଳ୍ପ ଭାବେ ଛିଡ଼ା ହେବାର ସମର୍ଥ ହେବକି ବିଆରଏସ୍ ।

ତେବେ ବିଜେଡି ନିଜ ବିଜୟକୁ ନେଇ ନିଶ୍ଚିତ ରହିଛି ୨୦୨୪ରେ ନବୀନ ପୁଣି ଜିତିବେ, କେହି ଆସିଲେ ବି କିଛି ଫରକ ପଡିବ ନାହିଁ ବୋଲି ଦଳ କହିଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ ବିଆରଏସକୁ ଗୁରୁତ୍ୱ ଦେଇନଥିବା ବେଳେ ଓଡ଼ିଶାରେ ବିଜେଡି ସହ ହିଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କହିଛି... ।

ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ଅକ୍ତିଆର ପରେ ନିକଟରେ ଗୁଜରାଟ ଓ ହିମାଚଳରେ ଭାଗ୍ୟ ପରୀକ୍ଷା କରିଥିଲା ଆମ୍ ଆଦମୀ ପାର୍ଟି । ଆଗାମୀ ଦିନରେ ଓଡ଼ିଶା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଫୋକସରେ ରହିବ ବୋଲି ବି କୁହାଯାଉଛି । ତେଣୁ ସବୁଜ,ଗେରୁଆ,ପିଙ୍କ ନା ଅନ୍ୟ କେଉଁ ରଙ୍ଗଙ୍କୁ ପସନ୍ଦ କରୁଛନ୍ତି ରାଜ୍ୟର ଭୋଟର ତା ଉପରେ ରହବି ନଜର.... ।