• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପଛରେ କାରଣ କଣ ? କାହିଁକି ଫେଲ୍ ହେଲା ବିଜେପି ? ନେତା ଓ କର୍ମୀଙ୍କ ମଧ୍ୟରେ କଣ ଅସୁବିଧା ରହିଲା ? ଏସବୁ ନେଇ ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି । ଏସମ୍ପର୍କରେ ଚାରି ଦଶନ୍ଧିର ଅନୁଭବ ବାଣ୍ଟିଛନ୍ତି ବରିଷ୍ଠ ବିଜେପି ବିଜୟ ମହାପାତ୍ର । ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ ଅସନ୍ତୋଷ ଜାହିର କରିଛନ୍ତି ।

ନିର୍ବାଚନର ଫଳାଫଳକୁ ନେଇ ସେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି । ୪୦ ବର୍ଷ ହେଲା ସେ ନିର୍ବାଚନକୁ ଅତି ପାଖରୁ ଦେଖିଛନ୍ତି । ୨୦୧୭ ବେଳେ ଯେଉଁ ପ୍ରକାର ପ୍ରସ୍ତୁତି ଥିଲା, ତାହା ଏବେ ହୋଇନଥିଲା । ତୃଣମୂଳସ୍ତରରେ ବିଜେପି କୌଣସି ପ୍ରକାର ବୈଠକ କିମ୍ବା ସ୍ଥାନୀୟ ନେତାଙ୍କ ସହ ଆଲୋଚନା ବି କରିନଥିଲା । ୨୦୧୭ରେ ବିଜେପିକୁ ମିଳିଥିଲା ୨୯୭ ସିଟ୍ । କିନ୍ତୁ ଏହାର ଅଂହକାର ଭିତରେ ଦଳ ଉପରକୁ ବଢ଼ିବାକୁ ଚେଷ୍ଟା କରୁଥିଲା । ଏପରିକି ଏଥର ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିରରେ ବି ଦଳ ଖରାପ ପ୍ରଦର୍ଶନ କରିଛି ।

ଅପ୍ରସ୍ତୁତ ହୋଇ ନିର୍ବାଚନକୁ ଗଲେ ପରାଜୟ ନିଶ୍ଚିତ । ୨୦୧୭ରେ ବିଜେପିକୁ ମିଳିଥିବା ସଫଳତା ସଂପୂର୍ଣ୍ଣ ଭାବେ ଦଳୀୟ ନଥିଲା ବୋଲି ସେ କହିଛନ୍ତି । ବିଜେଡିର ଏକ ଶକ୍ତିଶାଳୀ ଅସନ୍ତୁଷ୍ଟ ଗୋଷ୍ଠୀ ବିଜେପିକୁ ଭୋଟ୍ ଦେଇଥିଲେ । ହେଲେ ସଫଳତା ମିଳିବା ପରେ ସେମାନଙ୍କୁ ରଖିବା ପାଇଁ ଉଦ୍ୟମ ହେଲାନାହିଁ । ୨୦୧୭ର ଅହଂକାର ଓ ମିଛ ଫାଉଣ୍ଡେସନ ଉପରେ ଦଳ ଚାଲିଥିଲା । ବିଜେପିରେ ବର୍ତ୍ତମାନ ଗୋଷ୍ଠୀ କନ୍ଦଳ ବହୁତ ରହିଛି, ମାତ୍ର ବାହାରେ ଏହାର ଚର୍ଚ୍ଚା କମ୍ ହେଉଛି ।

ଜଣଙ୍କ ମତକୁ ସମ୍ମାନ ଦେବା ଓ ଗ୍ରହଣ କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ସେପଟେ ବିଜେଡି ଫିଲ୍ଡରେ ଏକାକୀ ଥିଲା । ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବରେ ପ୍ରଚାର କରିନଥିଲେ । ନବୀନଙ୍କ ଭାବମୂର୍ତ୍ତି ନେଇ ପ୍ରଚାର କରୁଥିଲା ବିଜେଡି । ବିଜେଡି ଖୁବ୍‌ ଭଲଭାବେ ନିର୍ବାଚନ ପରିଚାଳନା କରିଥିଲା । ତେବେ ପରାଜୟ ପରେ ସତ୍ୟକୁ ସ୍ୱୀକାର କରିବାକୁ ହେବ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ମୋଦିଙ୍କ ପ୍ରଭାବ ନେଇ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି. ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପଡେନି । ଏଠି ୩୦% ନେତା ଓ ୭୦% ଅଫସର ନିର୍ବାଚନ ପରିଚାଳନା କରୁଛନ୍ତି । ନିର୍ବାଚନରେ ଏହା ଭଲ ପରମ୍ପରା ନୁହେଁ । ଲୋକଙ୍କ ପାଖରେ ବିଜେପିର ଅଧିକାଂଶ ନେତାଙ୍କ ଗ୍ରହଣୀୟତା ନାହିଁ । ଏଭଳି ସ୍ଥିତିରେ କେବଳ ଆତ୍ମସମୀକ୍ଷା ନୁହେଁ, ଗଭୀର ଅନୁଶୀଳନ ଦରକାର ।

ଦଳ ଏକ ଗ୍ରୁପ୍ କବ୍ଜାରେ ଥିବାରୁ ପରାଜୟ ହେଲା କି ପ୍ରଶ୍ନରେ ରଖିଲେ ମତ

ଦଳ ଏବେ ଏକ କୋର୍ କମିଟି ଗଠନ କରିଛି, ସେମାନେ ନିର୍ବାଚନ ସମୟରେ କଣ କରୁଥିଲେ । ପରାଜୟ ପାଇଁ ସେହି ଗ୍ରୁପ୍‌ ମଧ୍ୟ କିଛି ପରିମାଣରେ ଦାୟୀ ବୋଲି କହିଛନ୍ତି ବିଜୟ ମହାପାତ୍ର । କେନ୍ଦ୍ରୀୟ ନେତା ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିବା ପରାଜୟର ଅନ୍ୟ ଏକ କାରଣ । ଓଡ଼ିଶାକୁ କ୍ରେନ୍ଦ୍ର ସରକାର କେତେ ଗୁରୁତ୍ୱ ଦେଉଛନ୍ତି ତା’ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ।

ତେବେ ବିଜେଡିର ବିଜୟ ପରେ ବିରୋଧୀମାନେ ହତାଶ ହୋଇଯାଇଥିବା ସେ କହିଛନ୍ତି । ମ୍ୟୁନିସିପାଲିଟି ନିର୍ବାଚନ ଲଢ଼ିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇପାରେ । ତେବେ ଦିନେ ନା ଦିନେ ସମୟ ବଦଳିବ ଓ ପରିବର୍ତ୍ତନ ଆସିବ । ଏହାକୁ କେହି ଅସ୍ୱୀକାର କରିପାରିବେନି ବୋଲି ବିଜୟ ମହାପାତ୍ର କହିଛନ୍ତି ।