• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ନିର୍ବାଚନ ସାମଗ୍ରୀ ଧରି ନିଜ ନିଜ ବୁଥ୍‌ରେ ପହଞ୍ଚି ଗଲେଣି ପୋଲିଂ ପାର୍ଟି। ଆସନ୍ତାକାଲି ୨୭ଟି ଜିଲ୍ଲାର ୬୪ ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ହେବ। ଏହି ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍ ଏବଂ ଏହାର ଅଧୀନରେ ଆସୁଥିବା ୧ ହଜାର ୨୫୪ ପଞ୍ଚାୟତରେ ମତଦାନ ହେବ। ଏଥର ମଇଦାନରେ ଅଛନ୍ତି ୬୬୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ। ଚତୁର୍ଥ ପର୍ଯ୍ୟାୟରେ ନିଜ ନିଜ ପ୍ରତିନିଧି ବାଛିବେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍। ସେମାନଙ୍କ ପାଇଁ ୧୭ ହଜାର ୮୯ଟି ବୁଥ୍ କରାଯାଇଥିବା ବେଳେ ସେଥି ମଧ୍ୟରେ ରହିଛି ୨ ହଜାର ୫୬୩ଟି ଉତ୍ତେଜନା ପ୍ରବଣ ବୁଥ୍। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଏହି ସବୁ ବୁଥ୍‌ରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। 

ପ୍ରଥମ ତିନିଟି ପର୍ଯ୍ୟାୟରେ ଯେଉଁ ସବୁ ସ୍ଥାନରେ ଭୋଟ୍ ସରିଗଲାଣି, ବାଲାଟ୍ ବାକ୍ସକୁ ବ୍ଲକ ସଦର ମହକୁମାର ଷ୍ଟ୍ରଙ୍ଗ୍ ରୁମ୍‌ରେ ରଖାଯାଇଛି। କଡ଼ା ପୋଲିସ ପହରା ଓ ସିସିଟିଭିର ତୀକ୍ଷ୍ଣ ନଜରରେ ରହିଛି ଭୋଟ ବାକ୍ସ, ତଥାପି ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ସନ୍ଦେହ, କାଳେ କିଛି ଏପଟ ସେପଟ ହୋଇଯିବନି ତ? ସେଥିପାଇଁ ନିଜ ତରଫରୁ ସେମାନେ ଷ୍ଟ୍ରଙ୍ଗ୍ ରୁମ୍ ଆଗରେ ପହରା ଦେଉଛନ୍ତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ସରକାରୀ ହାଇସ୍କୁଲ୍‌ର ଦୁଇ ମହଲା କୋଠାରେ ରଖାଯାଇଛି ଭୋଟ୍ ବାକ୍ସ। ବିଜେପି ସମର୍ଥକମାନେ ସେହି ଦୁଇ ମହଲା ଉଚ୍ଚର ମଞ୍ଚା ବାନ୍ଧି ଷ୍ଟ୍ରଙ୍ଗ୍ ରୁମ୍ ଉପରେ ଦିନରାତି ନଜର ରଖିଛନ୍ତି।

ସେହିପରି ଗଂଜାମ ରଙ୍ଗେଇଲୁଣ୍ଡା ବ୍ଲକ୍‌ର ଷ୍ଟ୍ରଙ୍ଗ୍ ରୁମ୍ ସାମ୍ନାରେ ପାଳି କରି ପହରା ଦେଉଛନ୍ତି ପ୍ରାର୍ଥୀଙ୍କ ସମର୍ଥକ। କାଳେ କିଏ କିଛି ଗଡବଡ୍ କରିବ, ସେଇ ଆଶଙ୍କାରେ କଟକ ଜିଲ୍ଲା ମାହାଙ୍ଗାର ଜେ.ଏନ୍. କଲେଜ ଆଗରେ ୨୪ ଘଣ୍ଟା ପଇଁତରା ମାରୁଛନ୍ତି ବିଜେପି ଓ କଂଗ୍ରେସର ସମର୍ଥକ। ଜଗତସିଂହପୁର ବାଲିକୁଦା ବ୍ଲକର ଆମ୍ବଶାଳ ନୋଡାଲ ସ୍କୁଲରେ କରାଯାଇଛି ଷ୍ଟ୍ରଙ୍ଗ୍ ରୁମ୍। ଏହାର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ତଦାରଖ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ।

ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପଯର୍ୟାୟର ୪୫ଟି ବୁଥ୍‌ରେ ସାନି ଭୋଟ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏହି ସବୁ ବୁଥ୍‌ରେ ଆସନ୍ତା ୨୩ ତାରିଖରେ ପୁନଃ ମତଦାନ ହେବ। ଏବେ ସୁଦ୍ଧା ଝାରସୁଗୁଡ଼ା, ଦେବଗଡ଼ ଓ ବୌଦ୍ଧ ଜିଲ୍ଲାର ସବୁ ସ୍ଥାନରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଆସନ୍ତାକାଲି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ସଂପୂର୍ଣ୍ଣ ସରିଯିବ।