Advertisment

ଖାଇଗଲେ ପିଲାଙ୍କ ମେଧାବୃତ୍ତି ଟଙ୍କା ! ତାଲିକାରେ ନାଁ ପିଲାଙ୍କର, ଆକାଉଣ୍ଟ କଲେଜର

୪ ବର୍ଷରେ ୫୮ କୋଟିର ହେରଫେର । ଭୂତ ଆକାଉଣ୍ଟରେ ୧୫ କୋଟି ଟଙ୍କା ।

author-image
Satyendu Shekher Mishra
Scholarship Fraud

Scholarship Fraud

ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିରେ ବି ଭୂତ ହିତାଧିକାରୀ । ତାଲିକାରେ ନାଁ ପିଲାଙ୍କର, ହେଲେ ଆକାଉଣ୍ଟ କଲେଜର । ୪ ବର୍ଷରେ ୫୮ କୋଟିର ହେରଫେର୍ । ଡିବିଟିରେ ଛାତ୍ରବୃତ୍ତିକୁ ନେଇ ସିଏଜିଙ୍କ ଦ୍ୱାରା ହୋଇଥିବା ସ୍ୱତନ୍ତ୍ର ଅଡିଟ୍ କହୁଛି, ଭୂତ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧୫ କୋଟି ୫୭ ଲକ୍ଷ ଟଙ୍କା । ଅଡିଟରୁ ଜଣାପଡିଛି ଭୂତ ହିତାଧିକାରୀଙ୍କ ତାଲିକା ଦେଇଥିଲେ କିଛି ନକଲି ଅନୁଷ୍ଠାନ । ଏମିତି କି ସେହି କଲେଜ ବା ଅନୁଷ୍ଠାନର କୌଣସି ସ୍ଥିତି କି ଭିତ୍ତିଭୂମି ହିଁ ନାହିଁ।

Advertisment

ସେହିଭଳି ଆହୁରି ଚଞ୍ଚକତା କଥା ହେଲା ୬ ଜିଲ୍ଲାର ୨୨ଟି କଲେଜରେ ଛାତ୍ରଛାତ୍ରୀ ଅଧାରୁ ପାଠ ବନ୍ଦ କରିଥିଲେ ମଧ୍ୟ ସେମାନଙ୍କ ଆକାଉଣ୍ଟକୁ ଯାଇଛି ୭ କୋଟି ୩୬ ଲକ୍ଷ ଟଙ୍କା । ପୁଣି ୨୭୯ଟି ଅନୁଷ୍ଠାନର ଛାତ୍ରଛାତ୍ରୀ ପାଠପଢା ସାରିବା ପରେ ମଧ୍ୟ ସେମାନଙ୍କୁ ୨ କୋଟି ୪୬ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ସବୁଠୁ ବଡ଼ କଥା ହେଲା ପ୍ରାୟ ୯୭୩ ଛାତ୍ରଛାତ୍ରୀଙ୍କୁ ଏକାଧିକ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଦର୍ଶାଇ ଭିନ୍ନ ଭିନ୍ନ ଅନୁଷ୍ଠାନମାନେ ୨ କୋଟି ୪୩ ଲକ୍ଷ ଟଙ୍କା ଚୂନା ଲଗାଇଥିବା ଧରିଛନ୍ତି ସିଏଜି ।

ପୁଣି ପ୍ରେରଣା ଏବଂ ଇ-ମେଧାବୃତ୍ତି ଇଣ୍ଟରଲିଙ୍କ ହୋଇନଥିବାରୁ ପ୍ରାୟ ୧୧ ହଜାର ୮୮୦ ଜଣ ଛାତ୍ରଚାତ୍ରୀଙ୍କ ଆକାଉଣ୍ଟରେ ଦୁଇଟି ଯୋଜନାରୁ ଯାଇଛି ବୃତ୍ତି ଟଙ୍କା। ପ୍ରେରଣାରେ ୬ କୋଟି ୯୧ ଲକ୍ଷ ଟଙ୍କା ଏବଂ ଇ-ମେଧାବୃତ୍ତିରେ ୬ କୋଟି ୮୦ ଲକ୍ଷ ଟଙ୍କା ସମାନ ଆକାଉଣ୍ଟକୁ ଯାଇଛି । ଘଟଣା ସାମ୍ନାକୁ ଆସିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । 

Advertisment

ଏପୂରା ଚଞ୍ଚକତାରେ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ସିଏଜି । ଏମିତି କି ଆବେଦନ କରିଥିବା କଲେଜ ବା ଅନୁଷ୍ଠାନଗୁଡିକୁ ଆଇଡି ପାସୱାର୍ଡ ଦେବା ପୂର୍ବରୁ ଯାଞ୍ଚ କରାଯାଇନଥିଲା ବୋଲି ଅଡିଟରୁ ଜଣାପଡିଛି। ଏହା ସହ ହିତାଧିକାରୀଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ସଂଯୋଗୀକରଣ ପାଇଁ ମଧ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନଥିଲା। ଏମିତି କି ଯୋଜନାର ଗଳାବାଟଗୁଡିକୁ ବନ୍ଦ କରିବାକୁ ରାଜ୍ୟ ଡିବିଟି ସେଲର ପରାମର୍ଶକୁ ଅନୁସରଣ କିମ୍ବା ପ୍ରୟୋଗ କରିନଥିଲା ବିଭାଗ।

ଏଠି ପ୍ରଶ୍ନ ଉଠୁଛି ଏତେ ବଡ ଘୋଟଲା ପଛରେ କିଏ । କାହା ନିର୍ଦ୍ଦେଶରେ ସବୁ ଆଇନକାନୁନ ଆଉ ନିୟମକୁ ଫୁ କରି ଚୟନ ହୋଇଥିଲା ତାଲିକା। ବିନା ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତିରେ ଏତେ ବଡ ହେରଫେର ସମ୍ଭବି କି। ଘଟଣାରେ ସରକାରଙ୍କ ସଂପୃକ୍ତି ଥିବା ସନ୍ଦେହ କରି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ ।

୨୦୧୪-୧୫ରେ ମଧ୍ୟ ଇ-ମେଧାବୃତ୍ତି ଯୋଜନାରେ ଘୋଟଲା ହୋଇଥିଲା। ଆଜି ଯାଏଁ କିନ୍ତୁ ସେ ଘୋଟଲାର ମୁଖ୍ୟ ଆସାମୀ ପାଖରେ ପହଞ୍ଚି ପାରିନି କ୍ରାଇମବ୍ରାଞ୍ଚ । ଏବେ ଦେଖିବାର କଥା ହେଉଛି ଏହି ନୂଆ ଘୋଟଲାର ତଦନ୍ତ ହେଉଛି ନା ନାହିଁ।

BJP BJD Odisha Politics Congress
Advertisment
Advertisment