• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦଳ ନୁହେଁ, ବରଂ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଉଥିବା ବିଧାନସଭା ଆସନ ଖୋର୍ଦ୍ଧା। ଏଠି କେବଳ ବିଜେପିକୁ ଛାଡ଼ି ସବୁ ଦଳ ଶାସନକୁ ଆସିଛନ୍ତି। ଗତ କେତୋଟି ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ଆସୁଥିଲେ ବି ବିଜୟଠୁ ଦୂରରେ ରହିଛି। ଏପଟେ ବିଜେଡିରେ ଏଠୁ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଛକାପଂଝା ଏବଂ ଅନ୍ୟ ଆଶାୟୀଙ୍କ ତାଲିକା ଲମ୍ବା ଥିବାରୁ ଶଙ୍ଖ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଲାଗି ରହିଛି ସସ୍‌ପେନ୍ସ।

ବୀର ମାଟି ଖୋର୍ଦ୍ଧା। ରାଜ୍ୟ ରାଜଧାନୀର ଅତି ନିକଟତର ହୋଇଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ବି ବେଶ ଗୁରୁତ୍ୱ ରଖେ ଏ ବିଧାନସଭା ନିର୍ବାଚନମଣ୍ଡଳୀ। ୧୯୮୫ରେ ଏଇଠୁ ଲଢି ଏକଦା ଜିତିଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ। ଏ ଆସନର ଏବେ ବିଜେଡିର ବରିଷ୍ଠ ନେତା ଜ୍ୟୋତିିରିନ୍ଦ୍ରନାଥ ମିତ୍ର ବିଧାୟକ।

୨୦୧୯ରେ ବିଜେପି ପ୍ରାର୍ଥୀଙ୍କଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହୋଇ ବିଜେଡିରୁ ଦ୍ୱିତୀୟ ଏବଂ ମୋଟ ତୃତୀୟ ଥର ବିଧାୟକ ହୋଇଛନ୍ତି। ଆଗରୁ ଏଠି ଜିତୁଙ୍କ ଶିଷ୍ୟ ତଥା ଏକାନ୍ତ ଅନୁଗତ ଥିଲେ ଏବେକାର ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ। ରାଜେନ୍ଦ୍ର ତାଙ୍କୁ ୨୦୦୯ ଓ ୨୦୧୪ରେ ଚକମା ଦେଇ ଏ ଆସନକୁ ଦୁଇଥର ହାତେଇଥିଲେ। ଦୁହିଁଙ୍କ ଲଢେଇ ଭିତରେ ଅନବରତ ଦଳବଦଳକୁ ଦୃଷ୍ଟିରେ ରଖି ୨୦୧୯ରେ ରାଜେନ୍ଦ୍ରଙ୍କୁ ବେଗୁନିଆ ପଠାଇଥିଲା ବିଜେଡି। ହେଲେ ଖୋର୍ଦ୍ଧାରେ ଉଭୟଙ୍କ ସଂଗଠନ ସକ୍ରିୟ ଥିବାରୁ ୨୦୨୪ ପାଇଁ ଉଭୟ କ୍ଷେତ୍ର ପ୍ରସ୍ତୁତିରେ ଲାଗିଥିବା କୁହାଯାଉଛି।

ସେପଟେ ଚର୍ଚ୍ଚା ହେଉଛି ଚିଲିକାରେ ବିବାଦୀୟ ହୋଇପଡିଥିବା ବିଜେଡିରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଖି ମଧ୍ୟ ଖୋର୍ଦ୍ଧା ଆସନ ଉପରେ। ପ୍ରଶାନ୍ତ ଆଉ ଚିଲିକା ଫେରିବାର ସମ୍ଭାବନା କମ୍ ଥିବା ଏବଂ ସେ ବିଜେଡିରୁ ଖୋର୍ଦ୍ଧା ପାଇଁ ଆଶାୟୀ ବୋଲି କୁହାଯାଉଛି। ସେହିଭଳି ତାଙ୍କ ବିବାଦୀୟ ଭାବମୂର୍ତ୍ତି ପାଇଁ ଯଦି ପ୍ରଶାନ୍ତଙ୍କୁ ଟିକେଟ୍ ନମିଳେ, ତେବେ ତାଙ୍କ ପତ୍ନୀଙ୍କ ପାଇଁ ସେ ଟିକେଟ୍ ଲବିରେ ଥିବା ଶୁଣିବାକୁ ମିଳୁଛି। ସେପଟେ ଖୋର୍ଦ୍ଧା ଜିଲ୍ଲା ପରିଷଦର ପୂର୍ବତନ ସଭାନେତ୍ରୀ ତଥା ମହିଳା ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ବାସନ୍ତୀ ମହାପାତ୍ର ଖୋର୍ଦ୍ଧା ଆସନରୁ ନିଶ୍ଚିତ ପ୍ରତିଦ୍ୱନ୍ଦିତା କରିବେ ବୋଲି ଆଶା ବାନ୍ଧିଛନ୍ତି।

ଖୋର୍ଦ୍ଧାରେ ବିଜେପି ପ୍ରତିଥର ଲଢେଇ କରୁଥିଲେ ବି ବିଜୟଠୁ ଦୂରରେ ରହିଛି। ୨୦୧୯ରେ କାଳୁଚରଣ ଖଣ୍ଡେୟତରାୟ ବିଜେଡିର ଜିତୁ ମିତ୍ରଙ୍କୁ କଡ଼ା ଟକ୍କର ଦେଇଥିଲେ। ସେ ୭୪ ହଜାର ୫୧୦ ଭୋଟ ପାଇ ଜିତୁଙ୍କଠାରୁ ପ୍ରାୟ ୧୦ ହଜାର ଭୋଟରେ ପଛୁଆ ଥିଲେ। ସେହିଭଳି ୨୦୧୪ରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଜିତୁ ମିତ୍ର ମଧ୍ୟ ବିଜେଡିର ରାଜେନ୍ଦ୍ର ସାହୁଙ୍କଠାରୁ ମାତ୍ର ୭ ହଜାର ଭୋଟରେ ହାରିଥିଲେ।

ଅନ୍ୟପକ୍ଷରେ ୨୦୦୯ରେ ମଧ୍ୟ ବିଜେପିରୁ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ଶ୍ରୀଚନ୍ଦନ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କଠାରୁ ପ୍ରାୟ ୯ ହଜାର ଭୋଟରେ ପଛୁଆ ରହି ତୃତୀୟ ସ୍ଥାନରେ ଥିଲେ। ବିଜେପିରୁ ଗତଥରର ପ୍ରାର୍ଥୀ ହୋଇ ଭଲ ପ୍ରଦର୍ଶନ କରିଥିବା କାଳୁଚରଣ ପୁଣି ୨୦୨୪ରେ ପଦ୍ମଦଳରୁ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି।

ଖୋର୍ଦ୍ଧାରୁ କଂଗ୍ରେସ ୫ ଥର ବିଜୟୀ ହୋଇଥିଲେ ବି ୧୯୯୮ ଉପନିର୍ବାଚନ ପରେ ଦଳ ଆଉ କ୍ଷମତାକୁ ଫେରିନି। ୯୮ ଉପନିର୍ବାଚନରେ କଂଗ୍ରେସରୁ ଏଠୁ ଦିଲ୍ଲୀପ ଶ୍ରୀଚନ୍ଦନ ବିଧାୟକ ହୋଇଥିଲେ । ତା ପୂର୍ବରୁ ୧୯୮୫ରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ମଧ୍ୟ ଏ ଆସନ ନିର୍ବାଚିତ କରିଥିଲା। ହେଲେ ଏବେ ଖୋର୍ଦ୍ଧା କଂଗ୍ରେସର ସ୍ଥିତି ସେତେ ମଜବୁତ ନଥିଲା ଭଳି ମନେହୁଏ। ୨୦୧୯ରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଶୋଚନୀୟ ପରାଜୟ ବରଣ କରିଥିବା ସ୍ୱାଗତିକା ପଟ୍ଟନାୟକ ଏଥର ବି ଟିକେଟ୍ ପାଇଁ ଆଶାୟୀ। ସେପଟେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ମଧ୍ୟ ନିର୍ବାଚନ ଲଢିବାକୁ ସଜବାଜ ହେଉଛନ୍ତି। ତେବେ ସେ କେଉଁ ଦଳରୁ ଲଢିବେ ତାହା ସ୍ପଷ୍ଟ ହୋଇନି।

  • Reported by:
  • BALRAM LENKA