• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜନହିତକର ଯୋଜନାର ପ୍ରଚାର ନା ବିଜ୍ଞାପନ ଆଳରେ ଲୋକପ୍ରିୟତା ହାସଲ ଅସଲ ଲକ୍ଷ୍ୟ । ଖବରକାଗଜ ହେଉ କି ରାସ୍ତାକଡ଼ର ହୋର୍ଡିଂ, ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟୟବହୁଳ ବିଜ୍ଞାପନ ବାବଦରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚକୁ ନେଇ ଉଠିଛି ଆପତ୍ତି । ଗଲା ୫ ବର୍ଷରେ ରାଜ୍ୟ ସରକାର ବିଜ୍ଞାପନରେ ୩୭୮ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବାର ତଥ୍ୟକୁ ନେଇ ଘେରିଛନ୍ତି ବିରୋଧୀ । ବିଜେପି-କଂଗ୍ରେସ ଆକ୍ଷେପ କରି ପ୍ରଚାର ସର୍ବସ୍ୱ ସରକାରର ଏହା ବଡ଼ ପ୍ରମାଣ ବୋଲି କହିଥିବା ବେଳେ ବିଜେଡି କହିଛି ଜନହିତକର ଯୋଜନା ସାଧାରଣ ଲୋକଙ୍କ ପାଖେ ଯେମିତି ପହଞ୍ଚିବ ସେଥିପାଇଁ ଦିଆଯାଉଛି ବିଜ୍ଞାପନ ।

ଡିଣ୍ଡିମ ପିଟୁଛନ୍ତି ଆମେ ଲୋକଙ୍କ ସରକାର । ହେଲେ ଆତ୍ମ ପ୍ରଚାରରେ ଖର୍ଚ୍ଚ କରୁଛନ୍ତି ପାଣି ଭଳି ଟଙ୍କା । ରାଜ୍ୟବାସୀଙ୍କ ଆସ୍ଥା ଭାଜନ ହେବାକୁ କେମିତି ଶହ ଶହ କୋଟି ଟଙ୍କା ବିଜ୍ଞାପନ ବାବଦରେ ଉଡ଼ାଇଛି ବିଜେଡି ସରକାର ତାର ଗୁମର ଖୋଲିଛି ଆରଟିଆଇ ତଥ୍ୟ । ଗଲା ୫ବର୍ଷ ଭିତରେ ଆତ୍ମ ପ୍ରଚାରରେ ଖର୍ଚ୍ଚ ହୋଇଛି ୩୭୮ କୋଟି ୬୨୯ ଲକ୍ଷରୁ ଅଧିକ ଟଙ୍କା । ଯେଉଁଥିରେ ରହିଛି ଫାଳ ଫାଳ ଖବର କାଗଜ ପୃଷ୍ଠାର ବିଜ୍ଞାପନ ସାଙ୍ଗକୁ ରାସ୍ତା କଡର ହୋର୍ଡିଂ ଆଉ ନିର୍ବାଚନ ସମୟରେ ଏ ବାବଦ ଖର୍ଚ୍ଚ ପୁରା ହାତଖୋଲା ।

ତେବେ ଆଶ୍ଚର୍ଯ୍ୟର କଥା, ଗଲା ୫ ବର୍ଷରେ ଏ ବାବଦକୁ ଯେତେ ଖର୍ଚ୍ଚ ହୋଇଛି ତାର ଅଧାରୁ ଅଧିକ କେବଳ ୨୦୧୮-୧୯ ବର୍ଷରେ ରହିଛି । ୧୯ ନିର୍ବାଚନ ପୂର୍ବରୁ ବିଭିନ୍ନ ଯୋଜନାର ପ୍ରଚାର ପାଇଁ ଖବର କାଗଜରେ ୧୨୧ କୋଟି ୧୪ ଲକ୍ଷ ୬୩ ହଜାର ଟଙ୍କାର ରାଜସ୍ୱ ବ୍ୟୟ ହୋଇଥିବା ବେଳେ ହୋଡିଂରେ ଫଟୋ ଲଗାଇବା ବାବଦରେ ବ୍ୟୟ ହୋଇଛି ୧୦ କୋଟି ୩ ଲକ୍ଷ ୮୧ ହଜାରରୁ ଅଧିକ ଟଙ୍କା ।

ସେମିତି ୨୦୧୭-୧୮ ଆର୍ଥିକ ବର୍ଷରେ ଖବରକାଗଜ ବିଜ୍ଞାପନ ବାବଦରେ ୬୧ କୋଟି ୯୪ ଲକ୍ଷରୁ ଅଧିକ ବ୍ୟୟ ହୋଇଥିବା ବେଳେ ୨୦୧୯-୨୦ରେ ୬୦ କୋଟି ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୪୫ କୋଟିରୁ ଅଧିକ ବିଜ୍ଞାପନ ଖର୍ଚ୍ଚ ହୋଇଛି । ଆଉ ଆଗକୁ ଆସୁଥିବା ୨୦୨୪ ନିର୍ବାଚନକୁ ଆଖିରେ ରଖି ରାଜ୍ୟ ସରକାର ପୁଣି ସୁଅ ଭଳି ଖର୍ଚ୍ଚ ଆରମ୍ଭ କରୁଛନ୍ତି ।

ତଥ୍ୟ କହୁଛି ୨୦୨୧ ଏପ୍ରିଲରୁ ଗତ ମାର୍ଚ୍ଚ ମଧ୍ୟରେ ଖର୍ଚ୍ଚ ସରିଲାଣି ୭୬ କୋଟି ୨୭ ଲକ୍ଷ ୩୯ ହଜାରରୁ ଅଧିକ ଟଙ୍କା । ଯେଉଁଥିରେ ହୋର୍ଡିଂ ମରା ଖର୍ଚ୍ଚର ସଠିକ୍ ତଥ୍ୟ ନାହିଁ । ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମାନବାଧିକାର କର୍ମୀ ।

ସରକାରୀ ଯୋଜନା ପ୍ରଚାର ନାଁରେ ରାଜ୍ୟ ସରକାର ଯେଉଁଭଳି ଢଙ୍ଗରେ ବିଜ୍ଞାପନ ବାବଦରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି ତାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ । ବିଜେପିର ଆକ୍ଷେପ, ବିଜେଡି ସରକାର କେବଳ ପ୍ରଚାର ସର୍ବସ୍ୱ ସରକାର ବୋଲି ଆଉ ବୁଝିବାକୁ ବାକିନାହିଁ । ସେହିପରି କଂଗ୍ରେସର କହିଛି, ୫ ଥର କ୍ଷମତାରେ ରହିବା ପରେ ଶହ ଶହ କୋଟିର ବିଜ୍ଞାପନ ଖର୍ଚ୍ଚରୁ ଠିକ୍ ଜଣାପଡୁଛି ଏହି ସରକାରର ଲୋକପ୍ରିୟତା କେତେ ? 

ଜବାବରେ ବିଜେଡି କହିଛି-ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସାଧାରଣ ଲୋକଙ୍କ ପାଖେ ପହଞ୍ଚାଇବା ପାଇଁ ବିଜ୍ଞାପନ ଦିଆଯାଉଛି । ଆଉ ସେଇଥିପାଇଁ ଏତେ ମାତ୍ରାରେ ଖର୍ଚ୍ଚ ହେଉଛି । ତେବେ ଏସବୁ ଭିତରେ ପ୍ରଶ୍ନ, ଯେଉଁ ସରକାରୀ ଯୋଜନାର ପ୍ରଚାର ପାଇଁ ବିଜ୍ଞାପନ ବାବଦରେ ଏତେ ପରିମାଣରେ ଅର୍ଥ ଶ୍ରାଦ୍ଧ ହେଉଛି, ଲୋକଙ୍କ ପାଖରେ ସେହି ଯୋଜନାର ସୁବିଧା ସୁଯୋଗ ପହଞ୍ଚୁଛି ତ ?