• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମନ୍ତ୍ରୀଙ୍କ ନାଁରେ ହେଲିକପଟର ବୁକ୍ ହୋଇଛି । ହେଲେ ବୁଲୁଛନ୍ତି ସଚିବ । ଅଭିଯୋଗ ଶୁଣାଣି ପାଇଁ ଲୋକଙ୍କ ପାଖକୁ ସିଏମ୍ଓ ଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ ବି ବିଧାନସଭାରେ ଥମୁନି 5-T ଝଡ଼ । ଏହି ପ୍ରସଙ୍ଗକୁ ନେଇ ଆଜି ସରକାରଙ୍କୁ ପୁଣି ଘେରିଛନ୍ତି ବିରୋଧୀ । ସଚିବଙ୍କ ଗସ୍ତବେଳେ ଟେଣ୍ଟ ବନ୍ଧା, ଚେୟାର ପକା ଓ ସୁରକ୍ଷା ବ୍ୟବସ୍ଥାରେ କେତେ ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । କଂଗ୍ରେସ ମଧ୍ୟ ଟଙ୍କା ବାଣ୍ଟିବା ଓ ନିର୍ବାଚନୀ ପ୍ରଚାର କରିବା ସଚିବଙ୍କ ଗସ୍ତର ଉଦ୍ଦେଶ୍ୟ କହି ବର୍ଷିଛି । ଯାହାକୁ ନେଇ ହୁଲସ୍ତୁଲ ହୋଇଛି ବିଧାନସଭା ।

5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ । ଅଭିଯୋଗ ବି ସାଂଘାତିକ-ମନ୍ତ୍ରୀଙ୍କ ନାଁରେ ବୁକ୍ ହେଲା ହେଲିକପ୍ଟର, ବୁଲିଲେ ସଚିବ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ଦେବାର ତିନିଦିନ ପରେ 5-T ସଚିବଙ୍କୁ ନେଇ ଆଜି ପୁଣି ଝଡ଼ ବହିଛି ।

ପ୍ରସଙ୍ଗକୁ ନେଇ ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀ ଓ 5-T ସଚିବଙ୍କୁ ସିଧା ସିଧା ନିଶାନା ସାଧିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସିଏମ୍ଓ ମାନେ କଣ ଜଣେ ବ୍ୟକ୍ତି ବୋଲି ପ୍ରଶ୍ନ କରିବା ସହ ଛାତ୍ରଛାତ୍ରୀଙ୍କୁ ବୋହିବା, ଟେଣ୍ଟ ବନ୍ଧା, ଚେୟାର ପକା ଓ ସିକ୍ୟୁରିଟି ଆରେଜମେଣ୍ଟରେ କେତେ ଖର୍ଚ୍ଚ ହୋଇଛି ବୋଲି ପଚାରିଛନ୍ତି ।

ସେହିପରି ପାଲଲହଡ଼ା ବିଧାୟକ ଓ ତାଳଚେର ବିଧାୟକଙ୍କ ବ୍ୟକ୍ତିଗତ କାମ ପାଇଁ ସଚିବ ହେଲିକପ୍ଟର ନେଇ କାହିଁକି ଗଲେ, ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ ହୋଇଥିବା ହେଲିକପ୍ଟରକୁ 5-T ସଚିବ କଟକ ନେଇ ଗଲେ କେମିତି ବୋଲି ବି ପ୍ରଶ୍ନ ଉଠାଇଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଏହି ପ୍ରସଙ୍ଗରେ ପ୍ରବଳ ବର୍ଷିବା ସହ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ନୁହେଁ, ଟଙ୍କା ବାଣ୍ଟିବା ଓ ନିର୍ବାଚନୀ ପ୍ରଚାର କରିବା ଗସ୍ତର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି । ଏଥିସହ କାଲି ହୁଏତ ବିଧାନସଭାକୁ ବି ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଇ ଦେଇ ପାରନ୍ତି ବୋଲି କଟାକ୍ଷ କରିଛନ୍ତି ନରସିଂହ ।

ସେପଟେ ବିଜେଡି ବିରୋଧୀଙ୍କ ଅଭିଯୋଗର ସିଧାସଳଖ ଉତ୍ତର ନ ରଖି କାଉଣ୍ଟରରେ ମେଣ୍ଟାଲ ଡ଼ିଜଅର୍ଡର କଥା କହି ସମାଲୋଚନା କରିଛି । 5-T କନସେପ୍ଟ ଦ୍ୱାରା ଦୁଇ ବିରୋଧୀ ମିଶ୍ର ପ୍ରଭାବିତ ହେଉଥିବା ବି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । 

ସେପଟେ ବିଜେଡି ପକ୍ଷରୁ ମେଣ୍ଟାଲ ହେଲ୍ଥ ଡ଼ିଜଅର୍ଡର କଥା ଉଠାଯିବା ପରେ ବିଧାନସଭାରେ ହଙ୍ଗାମା ହୋଇଥିଲା । ଏହି ଶବ୍ଦକୁ ଗୃହ ବିବରଣୀରୁ ବାଦ ଦେବାକୁ ବାଚସ୍ପତିଙ୍କ ପାଖରେ ଦାବି କରିଥିଲା ବିଜେପି । ତେବେ ବାଚସ୍ପତି ଏପରି ନକରିବାରୁ ଗୃହ ଭିତରେ ଓ ବାହାରେ ନାରବାଜି କରିଥିଲେ ବିଜେପି । ଆଉ ଏ ସବୁ ଭିତରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ ।

  • Reported by:
  • HARIHARA CHAND , JAGDISH DAS