• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗଂଜାମ ପଲିଟିକ୍ସରେ ଗୋଳିଆ ସ୍ଥିତି । ବଢୁଛି ଗୋଷ୍ଠୀ କନ୍ଦଳ, ବଢୁଛି ଅସନ୍ତୋଷ । ଦଳରୁ ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଅକଳରେ ବିଜେଡି । ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଏବେ ବେଶ୍ ସରଗରମ ଗଂଜାମ ରାଜନୀତି । ନିଜ ନିର୍ବାଚନ ମଣ୍ଡଳୀ ଗୋପାଳପୁରରେ ପତିଆରା ପ୍ରଦର୍ଶନରେ ମାତିଛନ୍ତି ଏହି ପୂର୍ବତନ ମନ୍ତ୍ରୀ ।

ଗଲା ଅଗଷ୍ଟ ୧୫ରେ ଗୋଳାବନ୍ଧରେ ପ୍ରଦୀପଙ୍କୁ କଳପତାକା ଦେଖାଇ ଠେଲାପେଲା କରାଯାଇଥିଲା । ପୁଣି ଗଣେଶ ପୂଜାରେ ମଣ୍ଡପ ବୁଲିବା ବେଳେ ପ୍ରଦୀପଙ୍କୁ କାଉଣ୍ଟର କରିବାକୁ ବ୍ରହ୍ମପୁର ଆଙ୍କୁଲିରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେଡି । ଏପଟେ ଗତକାଲି ରଙ୍ଗେଇଲୁଣ୍ଡା ବ୍ଲକ ରଙ୍ଗିପୁରରେ ଦେଖିବାକୁ ମିଳିଥିବା ପ୍ରଦୀପଙ୍କ ଏକ ବିଶାଳ ରୋଡ୍ ସୋ । ସେଠାରେ ଆୟୋଜିତ ସଭାରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ କଥା ବଖାଣିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଦୁଟିଏ କହିନଥିଲେ ପ୍ରଦୀପ । ଓଲଟା ନବୀନଙ୍କୁ ପ୍ରଶଂସାରେ ପୋତିଥିଲେ । କିନ୍ତୁ ଜୋରଦାର୍ ବର୍ଷିଥିଲେ ଅଫିସରଙ୍କ ଉପରେ ।

ପ୍ରଦୀପ ବିଜେଡିରୁ ବହିଷ୍କାର ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ଏହି ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନେଇଥିବାରୁ ପରୋକ୍ଷରେ ତାଙ୍କୁ ବି ସମାଲୋଚନା କରିଥିଲେ । ତେବେ ପ୍ରଦୀପଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ ।

କେବଳ ଗୋପାଳପୁର ନୁହେଁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଛତ୍ରପୁର ଭଳି ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ଗୋଷ୍ଠୀକନ୍ଦଳ ଦିନକୁ ଦିନ ତୀବ୍ର ହେଉଛି । ପଂଚାୟତ ଓ ପୌର ନିର୍ବାଚନ ବେଳେ ଛତ୍ରପୁର ବିଧାୟକ ସୁବାସ ବେହେରା ଓ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ମଧ୍ୟରେ ଛକାପଞ୍ଝା ସ୍ଥିତି ଲାଗି ରହିଥିଲା । ଆଉ ବିଜେଡି ହାତରୁ ଚାଲିଯାଇଥିଲା ରମ୍ଭା ଓ ଛତ୍ରପୁର ଏନ୍ଏସି ।

ସେହିଭଳି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାଯଣ ପାତ୍ର ଅସୁସ୍ଥ ହେବା ପରେ ସେଠାରେ ସୂର୍ଯ୍ୟଙ୍କ ପୁଅ ବିପ୍ଲବ ପାତ୍ର ଆସନ୍ତା ନିର୍ବାଚନ ଲଢିବା ପାଇଁ ସଜବାଜ ହେଉଛନ୍ତି । ସେପଟେ ଦିଗପହଣ୍ଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ କିନ୍ତୁ ଖୋଲାଖୋଲି ବିପ୍ଲବଙ୍କୁ ବିରୋଧ କରୁଛନ୍ତି ।

ଗତ ପଂଚାୟତ ଓ ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବିଜେପି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି । ଜିଲ୍ଲାର ୬ଟି ଏନ୍ଏସିର ଚେୟାରମ୍ୟାନ ପଦବି ବିରୋଧୀଙ୍କ ହାତକୁ ଚାଲି ଯାଇଛି । ଏମିତିକି ହିଂଜିଳି କାଟୁ ପୌର ପରିଷଦର ୨୧ଟି ୱାର୍ଡରୁ ୧୫ଟି ବିଜେଡି ହାତକୁ ଆସିଥିବାବେଳେ ୪ଟିରେ ବିଜେଡି ବିଦ୍ରୋହୀ ଏବଂ ଗୋଟିଏ ଲେଖାଏଁ ୱାର୍ଡ ବିଜେପି ଓ କଂଗ୍ରେସ ଖାତାକୁ ଯାଇଥିଲା । ମୋଟ୍ ୧୩ଟି ବିଧାନସଭା ଓ ୨ଟି ଲୋକସଭା ସିଟ୍ ଥିବା ଗଞ୍ଜାମ ଜିଲ୍ଲାରେ ଦଳକୁ ସଜାଡ଼ିବା ଏବେ ବିଜେଡି ପାଇଁ ବଡ ଚ୍ୟାଲେଂଜ ପାଲଟିଛି ।

କେବେଳ ଗଂଜାମ ନୁହେଁ, ଅନ୍ୟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଗୋଷ୍ଠୀ କନ୍ଦଳ ଭିତରେ ଭିତରେ ବଢୁଛି ଦଳ । ଏହାର କିଭଳି ମୁକାବିଲା କରୁଛି ତା ଉପରେ ନଜର ରହିବ ।

(ରିପୋର୍ଟ- ବ୍ରହ୍ଣପୁର ଅଶୋକ ବ୍ରହ୍ଣା ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)