Advertisment

ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ; ଡିସେମ୍ବର ହେଲାଣି, ମିଳିନି ଜିଲ୍ଲା ମାନ୍ୟତା !

ତେଜୁଛି ଜିଲ୍ଲା ମାନ୍ୟତା ରାଜନୀତି । ନିର୍ବାଚନ ପାଖେଇବା ସହ ଦାବି ବି ଜୋର୍ ଧରୁଛି । ପଦମପୁରକୁ ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ପାଦେ ଆଗେଇଥିବା ବେଳେ ବିରୋଧୀ କିନ୍ତୁ ଏଥିରୁ ଭୋଟ୍ ରାଜନୀତିର ଗନ୍ଧ ବାରିଛନ୍ତି ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Padampur District issue

Padampur District issue

ତେଜିଲାଣି ଜିଲ୍ଲା ମାନ୍ୟତା ରାଜନୀତି ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ପ୍ରତିଶ୍ରୁତି ଏବେ ଯାଏଁ ପଦ୍ମପୁର ହୋଇପାରିଲାନି ଜିଲ୍ଲା । ସ୍ଥାନ ଚିହ୍ନଟ ପ୍ରକ୍ରିୟାକୁ ଭେଳିକି କହିଲେ ବିରୋଧୀ ଏପଟେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ରେ ତେଜିଲା ଦାବି ।

Advertisment

ତେଜୁଛି ଜିଲ୍ଲା ମାନ୍ୟତା ରାଜନୀତି । ନିର୍ବାଚନ ପାଖେଇବା ସହ ଦାବି ବି ଜୋର୍ ଧରୁଛି । ପଦମପୁରକୁ ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ପାଦେ ଆଗେଇଥିବା ବେଳେ ବିରୋଧୀ କିନ୍ତୁ ଏଥିରୁ ଭୋଟ୍ ରାଜନୀତିର ଗନ୍ଧ ବାରିଛନ୍ତି । ସେପଟେ କଣ୍ଟାବାଞ୍ଜିକୁ ଜିଲ୍ଲା ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ଏହାରି ଭିତରେ ରାଜନୈତିକ ବୟାନ ବାଜି ବି ଘନେଇଛି । କଥା ଦେଇଥିଲେ ୨୦୨୩ ଡିସେମ୍ୱର ସୁଦ୍ଧା ପଦମପୁର ହେବ ଜିଲ୍ଲା। ହେଲେ ଡିସେମ୍ୱରରେ ବି ମିଳିଲାନି ମାନ୍ୟତା ।

ଉପନିର୍ବାଚନ ବେଳେ ଦୁଇ ଦୁଇ ଥର ନବୀନ ପଦମପୁର ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରକ୍ରିୟାରେ ସେତେଟା ଗତି ନଥିଲା। କିନ୍ତୁ ସୋମବାର ଉତ୍ତରାଞ୍ଚଳ RDC ପଦମପୁର ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଲାଗି ତିନିଟି ସ୍ଥାନକୁ ପରିଦର୍ଶନ କରିଛନ୍ତି। ଏନେଇ ଖୁବଶୀଘ୍ର ସରକାରଙ୍କ ରିପୋର୍ଟ ଦିଆଯିବ। ପାଞ୍ଚ ମାସ ପରେ ସାଧାରଣ ନିର୍ବାଚନ। ଜିଲ୍ଲା ପାଇଁ କୁହୁଳିଥିବା ନିଆଁକୁ ପ୍ରଶମିତ କରିବାକୁ ସରକାରଙ୍କ ଏହି ପ୍ରୟାସ ନୁହେଁ ତ ? ଯାହାକୁ ବିରୋଧୀ ଏବେ ମୁଖ୍ୟ ମୁଦ୍ଦା କଲେଣି।

Advertisment

ବିଜେପି କହିଛି ପଡୋଶୀ ଛତିଶଗଡରେ ବିଜେପିର ଜବରଦସ୍ତ କମ୍ ବ୍ୟାକ୍ ପରେ ଭୋଟ୍ ଭୟରେ ନବୀନ ପଦମପୁରକୁ ଆରଡିସିଙ୍କୁ ପଠାଇଛନ୍ତି । ସେପଟେ କଂଗ୍ରେସ ମଧ୍ୟ କଡା ଭାଷାରେ ସରକାରଙ୍କୁ ସମାଲୋଚନା କରିଛି। ବିଜେଡିର ଜବାବ୍ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରତିଶ୍ରୁତି ପାଳନ କରନ୍ତି, ତାଙ୍କ ଉପରକୁ କେହି ଆଙ୍ଗୁଳି ଉଠାଇପାରିବେ ନାହିଁ।  

ଖାଲି ପଦମପୁର ନୁହେଁ ରାଜ୍ୟର ଅନେକ ଅଂଚଳକୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି । ବିଧାନସଭାରେ ସରକାର ରଖିଥିବା ତଥ୍ୟ କହୁଛି ଜିଲ୍ଲା ମାନ୍ୟତା ପାଇଁ ୨୫ଟି ସ୍ଥାନରୁ ପ୍ରସ୍ତାବ ଆସିଛି । ଯେଉଁଥିରେ ଭୁବନେଶ୍ୱର, ଧର୍ମଗଡ, ଆଠଗଡ, ନୀଳଗିରି, ଗୁଣପୁର ଆଦି ଅଞ୍ଚଳର ନାଁ ରହିଛି । ସରକାର ଉପଯୁକ୍ତ ସମୟରେ ଏଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ରାଜସ୍ୱ ମନ୍ତ୍ରୀ ଉତ୍ତର ରଖିଥିଲେ। ଏଣେ ପଦମପୁର ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଜିଲ୍ଲା ଦାବିରେ ଆଜି କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ସେହିପରି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆସନ୍ତା ୭ ତାରିଖ ଦିନ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦେଇଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି।

Odisha Politics
Advertisment
Advertisment