• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ । ସେ ଗତରାତିରେ ଦିଲ୍ଲୀରୁ ଫେରିଥିବା ବେଳେ, ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ହେବ । ରେବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ ।

ଅପରାହ୍ଣ ପ୍ରାୟ ୧ଟାରେ ଏହି କାର୍ଯ୍ୟକ୍ରମ ରହିଛି । ଗତକାଲି ଦିଲ୍ଲୀ ଯାଇ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟି, ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଛନ୍ତି ରେବନ୍ତ । ସୋନିଆ ମଧ୍ୟ ଶପଥ ସମାରୋହରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି । ସୋନିଆଙ୍କ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧି ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ ରେବନ୍ତ ।

ଶକ୍ତିଶାଳୀ ବିଆରଏସକୁ ମାତ୍ ଦେଇ ତେଲେଙ୍ଗାନାରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା କଂଗ୍ରେସର ପୋଷ୍ଟର୍ ବୟ୍ ହେଉଛନ୍ତି ଅନୁମୁଲା ରେବନ୍ତ ରେଡ୍ଡୀ । ତାଙ୍କ ନେତୃତ୍ବରେ ଏଥର ଫୁଲ୍ ଦମରେ ନିର୍ବାଚନ ଲଢ଼ିଥିଲା ଦଳ । ତାଙ୍କ ଗୋଟି ଚାଳନା ହିଁ କଂଗ୍ରେସକୁ ମ୍ୟାଜିକ୍ ନମ୍ବର ପାର୍ କରାଇଥିଲା ବୋଲି କୁହାଯାଉଛି ।

ଏବିଭିପିରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ୫୪ ବର୍ଷୀୟ ରେବନ୍ତ ତେଲେଙ୍ଗାନା ଗଠନ ପୂର୍ବରୁ ଟିଡିପିରୁ ବିଧାୟକ ବନିଥିଲେ । ପରେ କଂଗ୍ରେସରେ ଯୋଗ ଦେଇ ୨୦୧୯ ନିର୍ବାଚନରେ ମାଲକାଜଗିରିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୨୧ରେ ପିସିସି ସଭାପତି ଦାୟିତ୍ବ ସମ୍ଭାଳିବା ପରେ ତେଲେଙ୍ଗାନାରେ ପଦଯାତ୍ରା ତାଙ୍କୁ ସବୁଠୁ ଚର୍ଚ୍ଚିତ ନେତା କରିଥିଲା ।