ପଦ୍ମପୁର ଉପନିର୍ବାଚନ: ଦାଦନ ପ୍ରସଙ୍ଗ ନେଇ ବିଜେଡିକୁ କାଉଣ୍ଟର କରୁଛି ବିଜେପି

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସଙ୍ଗକୁ ନେଇ ପ୍ରଚାର ଲଢ଼େଇ । ଦାଦନ ସମସ୍ୟାକୁ ବିରୋଧୀ ବିଜେପି ଓ କଂଗ୍ରେସର ନିର୍ବାଚନୀ ଅସ୍ତ୍ର ।

Padmapur Bypoll

ଲବଙ୍ଗ ଚାକଙ୍କ ଘର ଅଗଣାରେ ଥିବା ଚଉରାରେ ପୂଜା ପାଉଥିବା ତୁଳସୀ ଗଛଟି ପାଣି ନପାଇ କେବେଠୁ ଶୁଖି ମରିଗଲାଣି । ଘରେ ତ ମଣିଷ ନାହାନ୍ତି, ପାଣି ଦେବ କିଏ ? ପଦ୍ମପୁର ର୍ନିବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳ ବ୍ଲକ୍ ମୋତିପାଲିର ଲବଙ୍ଗ ଚାକଙ୍କ ଭଳି ଏ କାହାଣୀ ଗାଁର ପ୍ରାୟ ଅଧିକାଂଶ ପରିବାରର ।

ଦରଗଢ଼ା ପ୍ରଧାନମନ୍ତ୍ରୀ ଆବାସ ଆଉ ତା ପାଖକୁ ଲାଗିଥିବା ଯୁଧିଷ୍ଠିର ଭୋଇଙ୍କର ଘର । ପତ୍ନୀ ମରିଯିବା ପରେ ଯୁଧିଷ୍ଠିର, ଘରେ ତାଲା ଠୁଙ୍କି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି ଯେ ଆଉ ଫେରିନାହାନ୍ତି । ଗାଁକୁ ପଶିଲେ ସବୁ ଅଗଣା, ଦାଣ୍ଡ ଯେମିତି ଖାଁ ଖାଁ । ତେବେ ଦାଦନ ଖଟିବାକୁ ଯାଇ ନିର୍ଯାତିତ ହେବା ପରେ ଯେଉଁମାନେ ଭାଗ୍ୟକୁ ଆଦରି ରହିଯାଇଛନ୍ତି, ସେମାନଙ୍କ କହିବା କଥା ଆଖପାଖ ଅଞ୍ଚଳରେ କାମ ମିଳୁ ନଥିବାରୁ ଏମିତି ସ୍ଥିତି ।

ଅଧିକ ପଢ଼ନ୍ତୁ: ପଦ୍ମପୁର ଉପନିର୍ବାଚନ: କିଏ ହାତେଇବ ଆଦିବାସୀ ଭୋଟ ?

କୃଷି ପ୍ରଧାନ ପଦ୍ମପୁର ଉପଖଣ୍ଡ ପାଇଁ ଦାଦନ ସମସ୍ୟା ନୂଆ କଥା ନୁହେଁ । ପ୍ରତି ବର୍ଷ ନୂଆଖାଇ ପରେ ପରେ ପଦ୍ମପୁର ଉପଖଣ୍ଡରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଇଥାନ୍ତି । ସ୍ଥାନୀୟ ସର୍ଦ୍ଦାର ଜରିଆରେ ସେଠାକୁ ଗଲାପରେ ନାନା ନିର୍ଯାତନାର ଶିକାର ହୁଅନ୍ତି । ହେଲେ ଏବେ ଭୋଟ ବେଳେ ପ୍ରତିଥର ଭଳି ଏଥର ବି ୟାକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି ବିରୋଧୀ ।

ବିଜେପି ଅଭିଯୋଗ କରିଛି, ସ୍ଥାନୀୟ ଅଞ୍ଚଳର ଲୋକଙ୍କ ହାତକୁ କାମ ଦେବାରେ ସରକାର ବିଫଳ ହୋଇଛନ୍ତି । ଜଳ ସେଚନ ସୁବିଧା ନ ଥିବାରୁ ମରୁଡି ହେଉଛି । MGNREGA ଯୋଜନାରେ ବ୍ୟାପକ ଅନିୟମିତତା ହେଉଛି । ତେଣୁ ଲୋକେ ବାଧ୍ୟ ହୋଇ ଦାଦନ ସାଜୁଛନ୍ତି । କଂଗ୍ରେସ ମଧ୍ୟ ଅନୁରୂପ ଅଭିଯୋଗ ଆଣି ଜନତା ଭୋଟ୍‌ରେ ସଠିକ ଜବାବ ଦେବେ ବୋଲି କହିଛି । ହେଲେ ବିଜେଡି କହିଛି ଦାଦନ ସମସ୍ୟା ଦୂର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏନେଇ ଲୋକଙ୍କ ଭିତରେ ବିରୋଧାଭାସ ନାହିଁ । ଦାଦନ ପ୍ରସଙ୍ଗକୁ ନେଇ ସବୁ ରାଜନୈତିକ ଦଳ ଆରୋପ ପ୍ରତ୍ୟାରୋପରେ ମାତିଥିବା ବେଳେ, ପଦ୍ମପୁରରେ ସମସ୍ୟା କିନ୍ତୁ ଯେଉଁଠି କି ସେଇଠି ।

(ରିପୋର୍ଟ- ସଂଜୟ କୁମାର ଜେନା, ପାଇକମାଲ)