• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅନେକଙ୍କ ଅବସର ସମୟ ପରେ ବି ଚାକିରି କାଳ ବଢ଼ାଯାଉଛି, ଆଉ କିଛି ଅବସର ପରେ ଥଇଥାନ ହେଉଛନ୍ତି । ପ୍ରଶାସନିକ କଳରେ ଅବସରପ୍ରାପ୍ତ ଅଧିକାରୀଙ୍କ ପ୍ରତି ସରକାରଙ୍କର ଏମିତି ଅହେତୁକ ଦୁର୍ବଳତା । ଯାହା ସ୍ପଷ୍ଟ ହୋଇଛି ବିଧାନସଭାରେ ଖୋଦ୍ ରାଜ୍ୟ ସରକାର ରଖିଥିବା ଉତ୍ତରରୁ। ସୂଚନା ଓ ଲୋକସଂପର୍କ ବିଭାଗରେ ୪୪ ଜଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୫୦ ଜଣ ଅଧିକାରୀଙ୍କୁ ଅବସର ପରେ ଦିଆଯାଇଛି ପୁନଃ ନିଯୁକ୍ତି। ଏପଟେ କିନ୍ତୁ ରାଜ୍ୟରେ କେବଳ ପଞ୍ଜୀକୃତ ବେକାରୀଙ୍କ ସଂଖ୍ୟା ୯ ଲକ୍ଷ ଛୁଇଁବାକୁ ବସିଲାଣି ।

ନୂଆ ନିଯୁକ୍ତି ତ ହେଉନି, ବରଂ ଅବସର ପରେ ଥଇଥାନ ହେଉଛନ୍ତି ସରକାରୀ ବାବୁ । ଦିଆଯାଉଛି ପୁନଃ ନିଯୁକ୍ତି । ବିଭାଗର ପିଅନଠୁ ସିଏମଓର  ପରାମର୍ଶଦାତା । ସରକାରୀ କଳରେ ଆଡ୍ଡା ଜମାଇଛନ୍ତି ମାଳ ମାଳ ରିଟାୟର୍ଡ ସରକାରୀ ବାବୁ । ଏପଟେ ବେକାବୁ ବେକାରୀ ସ୍ଥିତି । ବିଧାନସଭାରେ ଆସିଥିବା ତଥ୍ୟ ଏସବୁର ପୋଲ୍ ଖୋଲିଛି ।

ସୂଚନା ଓ ଲୋକସଂପର୍କ ବିଭାଗରେ ପ୍ରାୟ ୪୪ ଜଣଙ୍କୁ ଅବସର ପରେ ଓଏସଡି ଭାବେ ଦିଆଯାଇଛି ଦାୟିତ୍ୱ । ଆଉ ଏମାନଙ୍କ ବାବଦକୁ ମାସିକ ଦିଆଯାଉଛି ପ୍ରାୟ ୧୦ ଲକ୍ଷ ଟଙ୍କାର ଦରମା । ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୫୦ ଜଣ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇଥିବା ମଧ୍ୟ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏପଟେ ବଢୁଛି ବେକାରୀ । ଗତ ବିଧାନସଭାରେ ଆସିଥିବା ତଥ୍ୟ କହୁଛି ରାଜ୍ୟରେ ଖାଲି ସରକାରୀ ଖାତାରେ ପ୍ରାୟ ୮ ଲକ୍ଷ ୯୮ ହଜାର ଯୁବକଯୁବତୀ ରେଜିଷ୍ଟ୍ରେସନ କରି ଚାକିରି ଅପେକ୍ଷାରେ ଅଛନ୍ତି ।

ଖାଲି ବିଭାଗ ନୁହେଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବି ଗଣ୍ଡା ଗଣ୍ଡା ଅଧିକାରୀ ଅବସର ପରେ ଦାୟିତ୍ୱରେ ରହିଛନ୍ତି । ଉନ୍ନୟନ କମିଶନର ଥିବା ଆର. ବାଲକ୍ରିଷ୍ଣନଙ୍କଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଅସିତ ତ୍ରିପାଠୀଙ୍କ ପର୍ଯ୍ୟନ୍ତ । ନିକଟରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅବ୍ୟାହତି ଦିଆଯାଇଥିଲା ବେଳେ ଏବେ ସେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି ।

ସେହିପରି ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ରାଜ୍ୟ ନିର୍ବାଚନ କମିଶନ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଖାଲି ଆଇଏଏସ ନୁହେଁ ଅବସରପ୍ରାପ୍ତ ଦୁଇ ଆଇପିଏସ, ପୂର୍ବତନ ଡିଜି ଆରପି ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତ ହୋଇଥିବା ବେଳେ ଆଇପିଏସ ଅଭୟ ମଧ୍ୟ ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ରହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ପଦବି ଖାଲି ହେଲେ କାହିଁକି ସେଠାରେ ନୂଆ ନିଯୁକ୍ତି କରୁନାହାନ୍ତି ସରକାର । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଜବାବ୍ ରଖିଛି ବିଜେଡି ।

ରାଜ୍ୟରେ ଦକ୍ଷ ମାନବସମ୍ବଳର ଅଭାବ ଅଛି, ନା ଆନୁଗତ୍ୟ ଯୋଗୁଁ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ବାରମ୍ବାର ଥଇଥାନ କରୁଛନ୍ତି ସରକାର, ତାହା ଏବେ ବଡ଼ ପ୍ରଶ୍ନ ।

  • Reported by:
  • JAGDISH DAS , SOUMYA RANJAN SAHOO