• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଫଳତାର ସହ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି ଚନ୍ଦ୍ରୟାନ-୩ । ଆଉ ଏହାକୁ ନେଇ ସାରା ଦେଶରେ ଲାଗି ରହିଛି ଚର୍ଚ୍ଚା । ଏହାରି ଭିତରେ ଚନ୍ଦ୍ରୟାନ-୩କୁ ନେଇ ଟ୍ରେଣ୍ଡିଂ କରୁଛନ୍ତି ବଲିଉଡ ଅଭିନେତା ତଥା ଡିରେକ୍ଟର ରାକେଶ ରୋଶନ । ରାକେଶଙ୍କ ନାଁ କହିଲେ ବଲିଉଡ୍‌ରେ କେବଳ ତାଙ୍କର ଏହି ଦୁଇ ପରିଚୟ ନୁହେଁ, ବରଂ ଅନେକ ପରିଚୟ ରହିଛି । ଯେପରିକି, ଫିଲ୍ମ ପ୍ରଡ୍ୟୁସର ବା ଚଳଚ୍ଚିତ୍ର ନିର୍ମାତା, ରାଇଟର ଭଳି ଅନେକ ପରିଚୟ ରହିଛି ତାଙ୍କର ।

ହେଲେ ଏବେ ବର୍ତ୍ତମାନ ଚନ୍ଦ୍ରୟାନ-୩କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ରାକେଶ ରୋଶନ । ଇସ୍ରୋ ପକ୍ଷରୁ ଉଦ୍‌କ୍ଷେପଣ କରାଯାଇଥିବା ଚନ୍ଦ୍ରୟାନ-୩ର ସଫଳ ଅବତରଣ ପରେ ଖୁବ୍‌ ତାଙ୍କ ନାଁ ଚର୍ଚ୍ଚା ହେଉଛି । ଇସ୍ରୋର ଚନ୍ଦ୍ରୟାନ ମିଶନ ସଫଳତାରେ ତାଙ୍କର କୌଣସି ସମ୍ପର୍କ ନଥିଲେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦୁଇପଦ କଥା ତାଙ୍କୁ ଖୁବ୍‌ ଲୋକଲୋଚନକୁ ଆଣିଛି ।

ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଚନ୍ଦ୍ର ଅବତରଣ ପୂର୍ବରୁ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହି କାର୍ଯ୍ୟକ୍ରମରେ ଭାଷଣ ଦେଇ ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କୁ ଭୁଲରେ ରାକେଶ ରୋଶନ ବୋଲି କହିଥିଲେ ମମତା । ଯାହାକୁ ନେଇ ବଢ଼ିଥିଲା ଖୁବ୍‌ ଚର୍ଚ୍ଚା ।

ମମତା କହିଥିଲେ ଯେ, ସର୍ବପ୍ରଥମେ, ଇସ୍ରୋକୁ ଅଭିନନ୍ଦନ । ଚନ୍ଦ୍ରୟାନ-୩ର ଅବତରଣ ଭଲରେ ହେବ ବୋଲି ଆଶା କରୁଛୁ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଚନ୍ଦ୍ରକୁ ଯାତ୍ରା ହୋଇଥିଲା । ସେହି ସମୟରେ ଆମେ ଛୋଟ ଥିଲୁ । ସେତେବେଳେ ରାକେଶ ରୋଶନ ଚନ୍ଦ୍ରରେ ଅବତରଣ କରିଥିଲେ । ସେତେବେଳେ ଇନ୍ଦିରା ଗାନ୍ଧୀ ତାଙ୍କୁ ପଚାରିଥିଲେ ଯେ ସେଠାରୁ ଭାରତ କିପରି ଦେଖାଯାଉଛି ? ଆଉ ଇନ୍ଦିରାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ସେ ରଖିଥିଲେ ।

ମମତାଙ୍କ ଏହି ଦୁଇ ପଦ ଭାଷଣ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଯାହାକୁ ନେଇ ବଲିଉଡ୍‌ ଅଭିନେତା ରାକେଶ ରୋଶନ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ।