• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜସ୍ଥାନରେ କମଳ ଫୁଟିଲା, କଂଗ୍ରେସକୁ କଳି ମହଙ୍ଗା ପଡ଼ିଲା । ସତ ହେଲା ଏକ୍‌ଜିଟ୍ ପୋଲ୍ ଆକଳନ । ମ୍ୟାଜିକ୍ ନମ୍ବର ୧୦୦ ପାର୍ କରି ରାଜସ୍ଥାନରେ ଜିତାପଟ୍ ପକ୍କା କରିସାରିଛି ବିଜେପି । ସେପଟେ ବିଦାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ, ବିଜେପି ଜିତିବା ପଛରେ କେଉଁସବୁ ଫ୍ୟାକ୍ଟର କାମ କଲା ଏବଂ ଦଳରୁ କେଉଁମାନେ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ?

ମରୁଭୂମିରେ ପୁଣି ଫୁଟିଲା ପଦ୍ମ... ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍... କଂଗ୍ରେସକୁ ଫେଲ୍ କରି ପୁଣି ବିଜେପିକୁ ପଗଡ଼ି ପିନ୍ଧାଇଲା ରାଜସ୍ଥାନ । ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ୧୦୦ ପାର୍ କରିବା ପରେ ପଦ୍ମ ଶିବିରରେ ଉତ୍ସବ । ୨୦୦ ଆସନ ବିଶିଷ୍ଟ ଏହି ରାଜ୍ୟରେ ବିଜେପି ବୃହତ ବିଜୟମୁହାଁ ହେଉଥିବା ଦେଖି ଜୟପୁର ସ୍ଥିତ ଦଳର ରାଜ୍ୟ ମୁଖ୍ୟାଳୟରେ ଜୋରଦାର ସେଲିବ୍ରେସନ ।

ସାମିଲ ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ସି.ପି. ଯୋଶୀ ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ଙ୍କ ସମେତ ଅନ୍ୟ ବିଜେପି ନେତା । ଏପଟେ ନାଚଗୀତରେ ମସଗୁଲ୍ ବହୁ ଦଳୀୟ ନେତ୍ରୀ ଓ କର୍ମୀ । ତେବେ ରାଜସ୍ଥାନରେ କଂଗ୍ରେସର ପତନ ଓ ୫ ବର୍ଷ ପରେ ବିଜେପିର ପୁନଃଉତ୍ଥାନ ପଛର କାରଣ କଣ? ବିଜେପିର ବାଜିମାତ୍ ପଛରେ କାମ କଲା କେଉଁ କେଉଁ ଫ୍ୟାକ୍ଟର ? ନଜର ପକାନ୍ତୁ ଟପ୍ ଫାଇଭ୍ ଫ୍ୟାକ୍ଟର ଉପରେ ।

ଫ୍ୟାକ୍ଟର-୧: ପିଏମ୍ ମୋଦିଙ୍କ ଲୋକପ୍ରିୟତା ଓ ବିଜେପିର ଦୃଢ଼ ସଂଗଠନ

ଫ୍ୟାକ୍ଟର-୨: ଗେହଲଟ୍-ପାଇଲଟ କଳି ଯୋଗୁଁ ଆସ୍ଥା ହରାଇଲା କଂଗ୍ରେସ

ଫ୍ୟାକ୍ଟର-୩: ରାଜସ୍ଥାନବାସୀଙ୍କ ପ୍ରତି ୫ ବର୍ଷରେ ସରକାର ବଦଳାଇବାର ପରଂପରା

ଫ୍ୟାକ୍ଟର-୪: ଗେହଲଟ ସରକାର ବିରୋଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ

ଫ୍ୟାକ୍ଟର-୫: ବିଜେପିର ମେୱାର୍ ମ୍ୟାଜିକ୍ ପଛରେ ଉଦୟପୁର ଟେଲର୍ ହତ୍ୟାକାଣ୍ଡ ପ୍ରସଙ୍ଗ ମଧ୍ୟ ଏକ କାରଣ ବୋଲି କୁହାଯାଉଛି ।

ସେପଟେ ବିଦାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପରାଜୟକୁ ସ୍ୱୀକାର କରିବା ସହିତ ଫଳାଫଳ ଅପ୍ରତ୍ୟାଶିତ ବୋଲି କହିଛନ୍ତି । ରାଜସ୍ଥାନରେ ପଦ୍ମ ଫୁଟିବା ପରେ ଏବେ କଳ୍ପନାଜଳ୍ପନା- କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ? କାହାକୁ ସିଏମ୍ ଚୌକିରେ ବସାଇବ ବିଜେପି ? ବିଜେପି କୌଣସି ନେତାଙ୍କୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ପଷ୍ଟ କରିନଥିବାରୁ, ଏବେ ରେସରେ ଅତିକମରେ ୫ ଜଣ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ସାଂସଦ ମହନ୍ତ ବାଲକନାଥ, ସାଂସଦ ଦୀୟା କୁମାରୀ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ବସୁନ୍ଧରା ରାଜେଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଏତେଟା ସନ୍ତୁଷ୍ଟ ନଥିବା କୁହାଯାଉଛି ।

ତେଣୁ ନୂଆ ଚେହେରା ଭାବେ ଚର୍ଚ୍ଚାରେ ସବୁଠୁ ଆଗରେ ଅଛନ୍ତି ମହନ୍ତ ବାଲକନାଥ ଓରଫ୍ ରାଜସ୍ଥାନର 'ଯୋଗୀ ଆଦିତ୍ୟନାଥ' । ଅଲୱର ସାଂସଦ ବାଲକନାଥ, ଚଳିତ ବିଧାନସଭା ନିର୍ବାଚନରେ ତିଜାରା ଆସନରୁ ଲଢ଼ିଥିବା ବେଳେ, ସେ ରାଜସ୍ଥାନରେ ବିଜେପିର ଜଣେ ବଡ଼ ହିନ୍ଦୁତ୍ୱ ଚେହେରା । ତାଙ୍କ ପାଇଁ ନିଜେ ୟୁପି ସିଏମ୍ ଯୋଗୀ ପ୍ରଚାର ମଧ୍ୟ କରିଥିଲେ । ତେଣୁ ଅନୁମାନ କରାଯାଉଛି, ୟୁପିର ଯୋଗୀ ଫମୁର୍ଲାକୁ ରାଜସ୍ଥାନରେ ବି ପ୍ରୟୋଗ କରିପାରେ ଦଳ ।... ଆଉ ଜଣେ ଚର୍ଚ୍ଚିତ ନୂଆ ଚେହେରା ହେଉଛନ୍ତି ରାଜସମନ୍ଦର ସିଟିଂ ଏମପି ତଥା ଏଥର ବିଦ୍ୟାଧରନଗରରୁ ବିଧାନସଭା ନିର୍ବାଚନ ଜିତିଥିବା ଦୀୟା କୁମାରୀ ।

ଜଣେ ମହିଳା ଓ ରାଜ ପରିବାର ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀ ଭାବେ ବସୁନ୍ଧରାଙ୍କ ବିକଳ୍ପ ଭାବେ ଉଭା ହୋଇପାରନ୍ତି । କେବଳ ଏମାନେ ନୁହଁନ୍ତି, ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଯୋଧପୁରୀ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବି ମୁଖ୍ୟମନ୍ତ୍ରୀ ଆଶାୟୀ ଭାବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।