• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ପାଇଁ ଅଡୁଆ ଦଳୀୟ ଅର୍ନ୍ତକନ୍ଦଳ । ଗେହଲୋଟଙ୍କ ଗେମ ପ୍ଲାନ୍ ବୁମେରାଂ ! ତାଙ୍କୁ ବୁଡ଼ାଇଦେବ କି ଦୁଇଟି ଡଙ୍ଗାରେ ପାଦ ରଖିବାର ଜିଦ୍? କଂଗ୍ରେସ ସଭାପତି ରେସରୁ ବାଦ୍ ପଡ଼ିବେ କି ରାଜସ୍ଥାନ ସିଏମ୍ ? ଗୋଟିଏ ପଟେ କଂଗ୍ରେସ ସଭାପତି ପଦ, ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନ । ଉଭୟ ପଦକୁ ଆବୋରିବାର ଇଚ୍ଛା ଏବଂ ସଚିନ୍ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନଦେବାକୁ ସମର୍ଥକ ବିଧାୟକଙ୍କୁ ଅସ୍ତ୍ର କରିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଙ୍କୁ ମହଙ୍ଗା ପଡ଼ିପାରେ ।

କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ସେ ଅଡ଼ୁଆରେ ପଡ଼ିପାରନ୍ତି । ରବିବାର ରାତିରେ ୯୦ ବିଧାୟକଙ୍କ ବିଦ୍ରୋହ ପରେ କଂଗ୍ରେସ ହାଇକମାଣ୍ଡ ଗେହଲୋଟଙ୍କ ଉପରେ କ୍ଷୁବ୍ଧ ଥିବା ଚର୍ଚ୍ଚା ହେଉଛି । ପରିଣାମ ସ୍ୱରୂପ କଂଗ୍ରେସ ସଭାପତି ରେସରୁ ଗେହଲୋଟ୍ ବାଦ୍ ପଡିପାରନ୍ତି ବୋଲି ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଗେହଲୋଟ ସଭାପତି ରେସରୁ ଓହରି ଗଲେ ସମ୍ଭାବ୍ୟ ସଭାପତି ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି- କମଲ୍ ନାଥ, ମୁକୁଲ ୱାସନିକ, ମଲ୍ଲିକାର୍ଜୁନ ଖଡଗେ ଓ ଦିଗବିଜୟ ସିଂ ପ୍ରମୁଖ । ଅନ୍ୟପକ୍ଷରେ ସଚିନ ପାଇଲଟ୍ ଆଜି ନିଜ ବାସଭବନରେ କିଛି ବିଧାୟକଙ୍କୁ ଭେଟିବା ପରେ ସୋନିଆଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ।

କଂଗ୍ରେସର ସାଙ୍ଗଠନିକ ସ୍ତରରେ ଦକ୍ଷିଣ ଭାରତରୁ ଭଲ ପ୍ରତିନିଧିତ୍ୱ ରହିଛି । ସାଂସଦ ରାହୁଲ ଗାନ୍ଧି ୱାଇନାର୍ଡରୁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କେରଳରୁ ପ୍ରତିନିଧିତ୍ୱ କରୁଛନ୍ତି । କର୍ଣ୍ଣାଟକରୁ ପ୍ରତିନିଧିତ୍ୱ କରୁଥିବା ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିଛନ୍ତି । ତେଣୁ ସଭାପତି ପଦ ପାଇଁ ଉତ୍ତର ଭାରତରୁ ପ୍ରତିନିଧିତ୍ୱ କରୁଥିବା ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ସଭାପତି ପାଇଁ ଇଚ୍ଛୁକ ଥିବା ଜି-୨୩ ଗୋଷ୍ଠୀର ଶଶି ଥରୁର କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସମର୍ଥନ ଯୋଗାଡ଼ରେ ଲାଗିଛନ୍ତି । କିନ୍ତୁ ତାଙ୍କ ସପକ୍ଷରେ ଏପର୍ଯ୍ୟନ୍ତ କୌଣସି ବରିଷ୍ଠ ନେତା ମୁହଁ ଖୋଲିନାହାନ୍ତି । ଏଭଳି ସ୍ଥିତିରେ ରାଜସ୍ଥାନ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ସଭାପତି ନିର୍ବାଚନ ଘୁଞ୍ଚାଇଦେବାକୁ ଆଉ କିଛି ନେତା ମତ ଦେଇଛନ୍ତି । ରାଜସ୍ଥାନର କଂଗ୍ରେସ କନ୍ଦଳ ଓ ସିଏମ୍ ପଦ ପାଇଁ ଛକାପଞ୍ଝା କେଉଁ ଆଗାମୀ ଦିନରେ ମୋଡ଼ ନେଉଛି, ତା ଉପରେ ନଜର ।