• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ବିଜେପି ନିଜର ୭ ଜଣ ସାଂସଦଙ୍କୁ ମଇଦାନକୁ ଓହ୍ଲାଇଛି । ଏଥିରେ ସାଂସଦ ମହନ୍ତ ବାବା ବାଲକନାଥ ଯୋଗୀଙ୍କ ନାମ ସାମିଲ ରହିଛି। ବାବା ବାଲକନାଥ ତିଜାରା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବାଲକନାଥଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଲଢ଼ୁଛନ୍ତି ୩୬ ବର୍ଷୀୟ ପୂର୍ବତନ ବିଏସପି ନେତା ଇମ୍ରାନ ଖାନ ।

ବାବା ବାଲକନାଥ ୨୦୧୯ ଲୋକସଭା ନିର୍ବାଚନରେ ​​ଅଲୱାରରୁ କଂଗ୍ରେସର ଭଂବର ଜିତେନ୍ଦ୍ର ସିଂଙ୍କୁ ପରାସ୍ତ କରିଥିଲେ । ବାଲକନାଥଙ୍କୁ ବିଜେପିର ଫାୟାର ବ୍ରାଣ୍ଡ ନେତା ଭାବେ ବିବେଚନା କରାଯାଏ । ୟୁପି ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ପାଇଁ ପ୍ରଚାର କରିଥିଲେ । ଏବେ ବାବା ବାଲକନାଥଙ୍କୁ ‘ରାଜସ୍ଥାନର ଭାବି ମୁଖ୍ୟମନ୍ତ୍ରୀ’ ବୋଲି କୁହାଯାଉଛି । ଏନେଇ ଏବେ ସାରା ଦେଶରେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ଫଳରେ ତିଜାରା ବିଧାନସଭା ଆସନ ଏବେ ହଟ୍‌ ସିଟ୍‌ ପାଲଟିଛି । ସମସ୍ତଙ୍କ ଆଖି ଏବେ ସେହି ଆସନରେ ।

ତେବେ ଆଜି ୪ଟି ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଆସନ୍ତାକାଲି ମିଜୋରାମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଆଜି ପ୍ରକାଶ ପାଇବାକୁ ଥିବା ୪ ରାଜ୍ୟ ମଧ୍ୟରେ ୩ଟି ରାଜ୍ୟରେ ବିଜେପି ଆଗୁଆ ରହିଛି । କଂଗ୍ରେସ କେବଳ ତେଲେଙ୍ଗାନାରେ ଆଗୁଆ ରହିଥିବା ଦେଖାଯାଇଛି ।

ଦିନ ୩ଟା ସୁଦ୍ଧା ଯାହା ଟ୍ରେଣ୍ଡ ରହିଛି, ତାକୁ ଦେଖିବାକୁ ଗଲେ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଛି । କେତେବେଳେ ବିଜେପି ଆଗରେ ତ କେତେବେଳେ କଂଗ୍ରେସ ଆଗକୁ ଯାଉଛି । ବିଜେପି ୫୫, କଂଗ୍ରେସ ୩୨ ସିଟ୍‌ରେ ଆଗୁଆ ରହିଛି । ଏଠାରେ ସରକାର ଗଢ଼ିବାକୁ ହେଲେ ଦଳକୁ ୯୦ ବିଧାନସଭା ଆସନ ମଧ୍ୟରୁ ୪୬ ଆସନ ଜିତିବାକୁ ପଡ଼ିବ ।

ସେହିଭଳି ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି । ପୂର୍ବରୁ ଏଠାରେ BRS ସରକାର ଗଠନ କରିଥିଲା । BRS ମୁଖ୍ୟ KCR ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ଏବେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି । ଦିନ ୩ଟା ସୁଦ୍ଧା ଯେଉଁ ଟ୍ରେଣ୍ଡ ଦେଖାଯାଇଛି ସେଥିରେ କଂଗ୍ରେସ ୬୫ ସିଟ୍‌ରେ ଆଗୁଆ ରହିଥିବା ବେଳେ ବିଜେପି ୯ ସିଟ୍‌ରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ମଧ୍ୟରୁ AIMIM ୬ଟି ସିଟ୍‌ରେ ଆଗୁଆ ରହିଛି । ଆଉ ବିଆରସ୍‌ ୩୮ ସିଟ୍‌ରେ ଆଗୁଆ ରହିଛି ।

ଅନ୍ୟପଟେ ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ଯାଉଛି ବିଜେପି । ସମ୍ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିପାରେ ବିଜେପି । ଦିନ ୩ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ଅଧିକାଂଶ ସିଟରେ ବିଜେପି ଆଗୁଆ ରହିଛି । ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ହେଲେ ଦଳକୁ ମ୍ୟାଜିକ ନମ୍ବର ୧୧୬ ଛୁଇଁବାକୁ ପଡ଼ିବ । ଟ୍ରେଣ୍ଡ ଅନୁସାରେ ବିଜେପି ଆରାମରେ ଏହି ମ୍ୟାଜିକ ନମ୍ବର ପାର୍ କରିଛି । ୧୬୪ ସିଟରେ ଆଗୁଆ ରହିଛି ଦଳ । ଅନ୍ୟପଟେ କଂଗ୍ରେସ ୬୨ଟି ଆସନରେ ଆଗୁଆ ରହିଛି ।