Advertisment

ନାଚୁଛି ରାଇରଙ୍ଗପୁର, ଝୁମୁଛି ଓଡ଼ିଶା: ଅଖ୍ୟାତ ପଲ୍ଲୀର ପ୍ରଖ୍ୟାତ ଝିଅ ପାଇଁ ଚାରିଆଡ଼େ ସେଲିବ୍ରେସନ୍

ଅଖ୍ୟାତ ଆଦିବାସୀ ପଲ୍ଲୀର ପ୍ରଖ୍ୟାତ ଝିଅଙ୍କ ପାଇଁ ଚାରିଆଡ଼େ ସେଲିବ୍ରେସନ୍...

author-image
Otv Khabar Bureau
ଅଦ୍ୟତନ ହୋଇଛି
Rairangpur swells in excitement as Draupadi Murmu leads Prez poll count

Rairangpur swells in excitement as Draupadi Murmu leads Prez poll count

ନାଚି ଉଠୁଛି ମନ...ନାଚି ଉଠୁଛି ପ୍ରାଣ...ପାରମ୍ପାରିକ ବାଦ୍ୟର ତାଳେ ତାଳେ ମସ୍‌ଗୁଲ ଯୁବଠୁ ବୟସ୍କ, ମହିଳାଙ୍କଠୁ ପୁରୁଷ । ଆଦିବାସୀ ବହୁଳ ମୟୁରଭଞ୍ଜ ଆଜି ଖୁସି ମଉଜରେ ମଜ୍ଜିଯାଇଛି । ଗାଁରୁ ସହର ଉତ୍ସବମୁଖର ହୋଇଯାଇଛି । କାରଣ ମାଟିର ଝିଅ ଆଜି ମହାମହିମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ସେଥିପାଇଁ ଭୋଜି ଭାତ, ନୃତ୍ୟ ସଂଗୀତରେ ମାତିଯାଇଛି ସାରା ସାନ୍ତାଳୀ ସଂପ୍ରଦାୟ । ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ପାହାଡ଼ପୁର ଦ୍ରୌପଦୀଙ୍କ ଶାଶୂଘର ଗାଁର ବୋହୂ ଆଜି ଯେତେବେଳେ ରାଷ୍ଟ୍ରପତି ବନୁଛନ୍ତି ଛାତି କୁଣ୍ଢେମୋଟ ହେବା ସ୍ୱାଭାବିକ । ଚାଷବାସ କାମ ଛାଡ଼ି ଆଜି ବିଜୟ ଉତ୍ସବରେ ଆତ୍ମବିଭୋର ଦ୍ରେପଦିଙ୍କ ମାଟିର ମଣିଷମାନେ ।

Advertisment

ରାଇରଙ୍ଗପୁରରୁ ରାଇସିନା ହିଲ୍ସ । କୁସୁମୀ ବ୍ଲକ ଉପରବେଡ଼ାର ଝିଅ ଦ୍ରେପଦୀଙ୍କ ଏତେବଡ଼ ସଫଳତା ଆଜି ଇତିହାସ ପାଲଟିବାକୁ ଯାଉଛି । ସ୍ୱାର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି ଦ୍ରୌପଦୀଙ୍କ ନାଁ । ଆଉ ତାଙ୍କ ପୈତୃକ ଗାଁ ଉପରବେଡ଼ା । ପରିବାର ଲୋକଙ୍କ ଖୁସି କହିଲେ ନସରେ । ଗର୍ବରେ ଆଜି ଛାତି ଫୁଲିଉଠୁଛି । ଦେଶର ସର୍ବୋଚ୍ଚ ଆସନରେ ବସିବାକୁ ଯାଉଥିବା ଖୁସିରେ ପୂଜାପାଠ, ନାଚଗୀତରେ ସମସ୍ତେ ମସ୍‌ଗୁଲ ହୋଇଯାଇଛନ୍ତି ।

ଦ୍ରୌପଦୀ ଘରକୁ ଆସିଲେ ସାଧାରଣତଃ ପଖାଳ ଖାଆନ୍ତି । ପଖାଳ ସହିତ ତାଙ୍କ ପସନ୍ଦ ହେଉଛି ଶାଗଭଜା, ଆଳୁଭଜା, ଲାଉ ତରକାରୀ, ପିଠା ମଧ୍ୟ ଖାଆନ୍ତି । ତେଣୁ ଦ୍ରେପଦୀଙ୍କ ପୁତୁରା ବୋହୁ କହିଛନ୍ତି, ଏଥର ଯେବେ ଘରକୁ ଆସିବେ ତାଙ୍କ ପସନ୍ଦ ଅନୁଯାୟୀ, ପଖାଳ ଖୁଆଇବେ ।

Advertisment

ଏପଟେ ଦ୍ରେପଦୀ ରାଷ୍ଟ୍ରପତି ଭାବେ ବିଜୟୀ ହେଲେ ଆସନ୍ତା ୨୫ ତାରିଖରେ ଶପଥ ପାଠ ରହିଛି । ଉତ୍ସବରେ ଯୋଗଦେବା ଦ୍ରୌପଦୀଙ୍କ ଭାଇ ପାଇଁ ବିମାନରେ ଦିଲ୍ଲୀ ଯାଉଥିବା କହିଛନ୍ତି ।

ଦ୍ରୌପଦୀଙ୍କ ସ୍କୁଲ ଶିକ୍ଷକ ବାସୁଦେବ ବେହେରା । ସେ ପ୍ରଥମରୁ ସପ୍ତମ ଯାଏଁ ପାଠପଢ଼ାଇଥିଲେ । ଦ୍ରୌପଦୀଯେତେବେଳେ ଛାତ୍ରୀ ଥିଲେ, ପ୍ରତ୍ୟେକଟି କଥା ଆଜି ତାଙ୍କର ଆଖି ସାମ୍ନାରେ ନାଚିଉଠୁଛି । ସ୍କୁଲରେ ପ୍ରଥମ ହେଉଥିଲେ ଦ୍ରେପଦୀ । ସ୍କୁଲରେ ମନିଟର ଥିଲେ, ଖେଳକୁଦରେ ବେଶ ପାରଙ୍ଗମ ଥିଲେ । ବିଶେଷ କରି ଅତି ସୁନ୍ଦର ଭାବେ ଦ୍ରୌପଦୀ ପ୍ରାର୍ଥନା ବୋଲୁଥିଲେ । ଥରେ ଖରସ୍ରୋତା ନାଳରେ ପହଁରି ଦ୍ରେପଦୀ କେମିତି ସ୍କୁଲ ଆସିଥିଲେ ତାହା ବର୍ଣ୍ଣନା କରିଛନ୍ତି ଦ୍ରୌପଦୀଙ୍କ ଶିକ୍ଷକ ବାସୁଦେବ ବେହେରା । ଆଜି ସେହି ଛାତ୍ରୀ ରାଷ୍ଟ୍ରପତି ହୋଇଥିବାରୁ ଶିକ୍ଷକ ଜନ୍ମ ସାର୍ଥକ ହୋଇଗଲା ବୋଲି ସେ କହିଛନ୍ତି ।

ସେହିପରି ଦୁଇ ପୁଅ ଲକ୍ଷ୍ମଣ, ସିପୁନ ଏବଂ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ସ୍ମୃତିରେ ଏହି ଆବାସିକ ସ୍କୁଲ ନିର୍ମାଣ କରାଯାଇଛି । ତାଙ୍କ ସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ବି ଆଜି ଫୁଲମାଳ ଦେଇ ପୂଜାର୍ଚ୍ଚନା କରାଯାଇଛି । ତାସହ ଦ୍ରୌପଦୀ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ନାଚଗୀତ କରି ବିଭୋର ହୋଇଛନ୍ତି ପାହାଡ଼ପୁର SLS ସ୍କୁଲର ଛାତ୍ରଛାତ୍ରୀ ।

ତେବେ ଦିଲ୍ଲୀରୁ ପଲ୍ଲୀ ହେଉ କିମ୍ବା ରାଇରଙ୍ଗପୁରରୁ ରାଜଧାନୀ । ଆଜି ସମସ୍ତେ ବିଜୟ ଉତ୍ସବରେ ମସଗୁଲ । ଏବେ କେବଳ ଅପେକ୍ଷା, ଆସନ୍ତା ୨୫ ତାରିଖର ଶପଥ ଗ୍ରହଣ ଉତ୍ସବକୁ । ଯେଉଁଦିନ ଦେଶର ସର୍ବୋଚ୍ଚ ଆସନରେ ଅଳଙ୍କୃତ ହୋଇ ସାରା ଓଡ଼ିଶାକୁ ଆହୁରି ଗର୍ବିତ କରିବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ।

Draupadi Murmu
Advertisment
Advertisment