• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କାଲି ଲୋକସଭା ସଦସ୍ୟ ପଦ ରଦ୍ଦ ପରେ ଆଜି ମୁହଁ ଖୋଲି ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କହିଛନ୍ତି ସଂସଦରେ ଆଦାନୀ ପ୍ରସଙ୍ଗ ଉଠାଇବାରୁ ମୋ ଭାଷଣକୁ ଡରି ଡିସକ୍ୱାଲିଫାଏ କରାଯାଇଛି । ହେଲେ ମୁଁ ଲୋକତନ୍ତ୍ର ପାଇଁ ଲଢୁଛି, ଡରାଇ ଧମକାଇ କେହି ମୋତେ ଚୁପ୍ କରିପାରିବେନି । ତେଣେ କଡ଼ା ଜବାବ ରଖି ବିଜେପି କହିଛି ରାହୁଲ ଗାନ୍ଧି ଜଣେ ଅଭ୍ୟାସଗତ ମିଛୁଆ । ଉପର କୋର୍ଟରୁ କାହିଁକି ରହିତାଦେଶ ନେଲେନି । ରାହୁଲଙ୍କୁ ବଳିଦାନୀ ଦର୍ଶାଇ କର୍ଣ୍ଣାଟକରେ ଫାଇଦା ନେବା ଲକ୍ଷ୍ୟରେ କଂଗ୍ରେସ ରହିଛି ବୋଲି ଆକ୍ଷେପ କରିଛି ଦଳ ।

ଡରାଇ, ଧମକାଇ ମୋ ମୁହଁ ବନ୍ଦ କରିପାରିବେନି । ବାରମ୍ବାର କହିଛି, ଭାରତରେ ଲୋକତନ୍ତ୍ର ଉପରେ ଆକ୍ରମଣ ହେଉଛି । ମୁଁ ଲୋକତନ୍ତ୍ର ପାଇଁ ଲଢୁଛି, କେହି ଚୁପ୍ କରିପାରିବେନି । ଗତକାଲି ଲୋକସଭା ସାଂସଦ ପଦ ରଦ୍ଦ ପରେ ଆଜି ପ୍ରେସମିଟରେ ମୁହଁ ଖୋଲି ଏଭଳି କିଛି କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ତାସହ ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି ବୋଲି ପ୍ରଶ୍ନ କରି ରାହୁଲ କହିଥିଲେ- ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ ବହୁ ପୁରୁଣା ।

ସଂସଦରେ ଏ ନେଇ ପ୍ରଶ୍ନ କରିଥିଲି, ହେଲେ ତାକୁ ବିବରଣୀରୁ ବାଦ୍ ଦିଆଗଲା । ମୋ ସଂପର୍କରେ ମନ୍ତ୍ରୀମାନେ ସଂସଦରେ ମିଛ କହିଲେ । ମୋତେ କହିବାକୁ ସୁଯୋଗ ଦିଆଗଲାନି । ଏମିତିକି ‘ମୋର ପରବର୍ତ୍ତୀ ଭାଷଣକୁ ଡରି ସଭ୍ୟ ପଦ ବି ରଦ୍ଦ କରାଗଲା । ଏ ଦେଶ ମୋତେ ବହୁତ କିଛି ଦେଇଛି, ତେଣୁ ଦେଶ ପାଇଁ ଲଢ଼ିବି ।

ସେମାନେ ମୋତେ ଜେଲରେ ପୂରାଇଲେ ବି ଚୁପ୍ ହେବିନି ବୋଲି ରାହୁଲ ଗାନ୍ଧି କହିବା ସହ ଦେଶର ନ୍ୟାୟ ବ୍ୟବସ୍ଥାକୁ ସମ୍ମାନ ଜଣାଉଥିବା କହିଥିଲେ । ତେବେ ଯେଉଁ ବିବାଦୀୟ ବୟାନରୁ ସାଂସଦ ପଦ ଗଲା, ସେ ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନକୁ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିଲେ ରାହୁଲ, କହିଥିଲେ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି ।

ସେପଟେ ରାହୁଲଙ୍କ ପ୍ରେସମିଟ୍ ପରେ ସିଧା ନିଶାନା କରିଛି ବିଜେପି । ଦଳର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଗାନ୍ଧି ଜଣେ ଅଭ୍ୟାସଗତ ମିଛୁଆ । ତାଙ୍କ ବିରୋଧରେ ଆହୁରି ୭ଟି ମାନହାନି ମାମଲା ଚାଲିଛି । ରାହୁଲ ପଛୁଆ ବର୍ଗର ମୋଦି ସମାଜକୁ ଅପମାନିତ କରିଛନ୍ତି । ସେ ସମାଲୋଚନା କରିପାରିବେ, କିନ୍ତୁ ଅପମାନିତ କରିପାରିବେନି ।

ମୋଦି ବିରୋଧୀ ମନ୍ତବ୍ୟ ଚିନ୍ତା କରି ଦେଇଥିଲେ କି ବୋଲି ଦଳ ପ୍ରଶ୍ନ କରିଛି ? ତାସହ ରାହୁଲଙ୍କ ଆଜିର ପ୍ରେସମିଟ କଂଗ୍ରେସର ଏକ ଯୋଜନାବଦ୍ଧ ପ୍ରକ୍ରିୟା ବୋଲି କହିବା ସହ ରାହୁଲଙ୍କୁ ବଳିଦାନୀ ଦର୍ଶାଇ କର୍ଣ୍ଣାଟକରେ ଫାଇଦା ନେବା ଲକ୍ଷ୍ୟ ବୋଲି ଆକ୍ଷେପ କରିଛି ବିଜେପି । ରବିଶଙ୍କର ଆହୁରି ମଧ୍ୟ କହିଛନ୍ତି, ରାହୁଲ କେବଳ ଏକା ନୁହଁନ୍ତି ଏଯାବତ୍ ୩୨ ଜଣ ସାଂସଦ ଅଯୋଗ୍ୟ ହେଲେଣି ।

ଯାହାଙ୍କ ମଧ୍ୟରେ ବିଜେପିର ବି ୭ ଜଣ ଅଛନ୍ତି । ତେବେ ଆପଣଙ୍କ ପାଇଁ କ’ଣ ଅଲଗା ଆଇନ କରାଯିବ କି ବୋଲି ପରୋକ୍ଷରେ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ରବିଶଙ୍କର । ରାହୁଲ ଯେଉଁ ଆଦାନୀ କଥା କହୁଛନ୍ତି, ୟୁପିଏ ସହ ଆଦାନୀ ଡିଲ୍ କଥା ବି କହନ୍ତୁ ବୋଲି ରବିଶଙ୍କର କହିବା ସହ ‘କୋର୍ଟଙ୍କ ଜେଲଦଣ୍ଡ ରାୟ ବିରୋଧରେ ରାହୁଲ ଉପରକୋର୍ଟ କାହିଁକି ଗଲେନି ବୋଲି ବି ପ୍ରଶ୍ନ କରିଛନ୍ତି । ଏମିତିକି ଏ ପ୍ରସଙ୍ଗରେ ଦଳ ଦେଶବ୍ୟାପୀ ବିକ୍ଷୋଭ କରିବା ବୋଲି କହିଛି ।

ମୋଦି ସରନେମ୍-ମାନହାନୀ ମାମଲାରେ ଗୁଜରାଟର ସୁରତ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲଦଣ୍ଡାଦେଶ ଶୁଣାଇବା ପରେ, ଗତକାଲି ତାଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି । ତେବେ ଯାହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି ଦର୍ଶାଇ, ଆଜି ମହାରାଷ୍ଟ୍ର, ଭୋପାଳ, ତେଲେଙ୍ଗାନା ଓ କେରଳର ବିଭିନ୍ନ ସ୍ଥାନରେ କଂଗ୍ରେସ ବିକ୍ଷୋଭ କରିଛି ।

ବ୍ୟୁରୋ ରିପୋର୍ଟ, ଓଟିଭି