ୱାକଫ୍ ବିଲ୍ ଏବେ ଆଇନ ହୋଇଗଲାଣି, ହେଲେ ଭୋଟିଂ ନେଇ ଏବେ ବି ବିଜେଡିରେ ଜାରି ରହିଛି ତୁମ୍ବିତୋଫାନ । ବିଜେଡି ସାଂସଦ ମୁନ୍ନା ଖାନ୍ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ବିବାଦ ଆହୁରି ତୀବ୍ର ହୋଇଛି । ସସ୍ମିତ ପାତ୍ରଙ୍କ ବିଜେପି ସମର୍ଥିତ ଆଭିମୁଖ୍ୟକୁ ମୁନ୍ନାଙ୍କ କଡା ଭତ୍ସନା ପରେ ଏବେ ତାଙ୍କର ସମର୍ଥକମାନେ ନବୀନ ନିବାସ ଆଗରେ ଗର୍ଜିଛନ୍ତି । ନବୀନ ନିବାସରେ, ନବୀନଙ୍କ ଆଗରେ କମ୍ପିଛି 'ପାଣ୍ଡିଆନ ଗୋ ବ୍ୟାକ୍ ନାରା' । ଦିନେ ଯିଏ ଦଳର ତଥାକଥିତ ସର୍ବେସର୍ବା ପାଲଟିଥିଲେ ସେହି 'ପାଣ୍ଡିଆନଙ୍କୁ ତଡ଼, ବିଜେଡି ବଞ୍ଚାଅ' ନାରା ଦେଇଛନ୍ତି ଦଳୀୟ ସାଂସଦଙ୍କ ସମର୍ଥକ ।
ପାଣ୍ଡିଆନଙ୍କ ଭିତିରିଆ ନିର୍ଦ୍ଦେଶରେ ସସ୍ମିତ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବାର ସଙ୍ଗୀନ ଅଭିଯୋଗ ଆଣି ତାଙ୍କୁ ଦଳରୁ ନିଲମ୍ବନ ପାଇଁ ଗର୍ଜନ କରିଛନ୍ତି ମୁନ୍ନା ଖାନଙ୍କ ସମର୍ଥକ । ସେମାନଙ୍କର ଅଭିଯୋଗ ଯେ, ପାଣ୍ଡିଆନ ପ୍ରଚ୍ଛଦପଟରେ ରହି ସବୁ କରାଇଛନ୍ତି । ତାଙ୍କରି ନିର୍ଦ୍ଦେଶରେ ସସ୍ମିତା ପାତ୍ର ରାଜ୍ୟସଭାରେ ୱାକଫ୍ ବିଲ୍କୁ ସମର୍ଥନ କରିଛନ୍ତି । ତେଣୁ ସସ୍ମିତଙ୍କୁ ତୁରନ୍ତ ବିଜେଡିରୁ ନିଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି । ଏହାସହିତ ନବୀନଙ୍କ ଆଗରେ 'ପାଣ୍ଡିଆନ ତଡ଼ ବିଜେଡି ବଞ୍ଚାଅ' ନାରା ଲଗାଇଛନ୍ତି ସମର୍ଥକ ।
ଅଧିକ ପଢ଼ନ୍ତୁ: ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇଙ୍କ ବିସ୍ଫୋରକ ବୟାନ, କହିଲେ ମାଲିକ ଦୂର କରନ୍ତୁ ଦ୍ୱନ୍ଦ୍ୱ
ସେପଟେ ବିଜେଡି ସାଂସଦ ମୁନା ଖାନ୍ ମଧ୍ୟ ସସ୍ମିତଙ୍କ ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୁନା ଖାନଙ୍କ କହିବା ଅନୁସାରେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୱାକଫ୍ ବିଲ୍କୁ ବିରୋଧ କରିବାକୁ ସଂସଦୀୟ ବୋର୍ଡ ବୈଠକରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସତ୍ତ୍ୱେ ବିଳମ୍ବିତ ସନ୍ଧ୍ୟାରେ କାହା ନିର୍ଦ୍ଦେଶରେ ସସ୍ମିତ ପାତ୍ର ବିଲ୍ ସମର୍ଥନରେ ଭୋଟ୍ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହାପୂର୍ବରୁ ଗତକାଲି ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ବିସ୍ଫୋରକ ବୟାନ ଦେଇଥିଲେ । ଦଳର ଭିତରିଆ ନିର୍ଦ୍ଦେଶ ବିନା ସସ୍ମିତ ପାତ୍ର ଏତେ ବଡ଼ କାମ କରିପାରିବେନି ବୋଲି କହିଥିଲେ ପ୍ରଭାତ ।
ତେବେ ୱାକଫ୍ ବିଲ୍ ସମର୍ଥନ ପ୍ରସଙ୍ଗକୁ ନେଇ ବିଜେଡିର କମ୍ପନ ବଢୁଥିବାବେଳେ ନୀରବ ରହିଛନ୍ତି ଦଳର ମୁଖିଆ । ଦଳୀୟ ନେତାଙ୍କ ମଧ୍ୟରେ ଟଣାଓଟରା ଚାଲିଥିବାବେଳେ ନବୀନ ଏ ଯାଏଁ ପଦୁଟିଏ ମୁହଁ ଖୋଲି ନାହାନ୍ତି । ତାଙ୍କର ଏହି ନୀରବତାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠୁଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନ୍ ଆଜି ଭୁବନେଶ୍ୱରରେ ପହଞ୍ଚି ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କରିଥିଲେ । ଦଳରେ ଦୋମୁହାଁ ନୀତି ଚଳିବ ନାହିଁ । ଯାହାର ଯିବାର ଅଛି ସେ ବିଜେପିକୁ ପଳାନ୍ତୁ । ସସ୍ମିତ ପାତ୍ର କାହିଁକି ଏମିତି କଲେ ଆମକୁ କହି ନାହାନ୍ତି । ମୋର ବିଶ୍ବାସ ନବୀନ ବାବୁ ତାଙ୍କୁ କହି ନଥିବେ । ମୁଁ ସିଧାଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି ବୋଲି ମୁନ୍ନା ଖାନ୍ ଭୁବନେଶ୍ୱରରେ ପହଞ୍ଚିବା ପରେ କହିଥିଲେ ।