Advertisment

ସାମ୍ବାଦିକଙ୍କୁ କ୍ୱାର୍ଟର୍ସ ମିଳିବା ପ୍ରସଙ୍ଗରେ ରାଜ୍ୟର ୭୫ ସାମ୍ବାଦିକଙ୍କୁ PCIର ନୋଟିସ୍

ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ବି ନାହିଁ। 30ରୁ 40 ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Press Council Of India issues notice to journalists

Press Council Of India issues notice to journalists

ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ପ୍ରସଙ୍ଗରେ ରାଜ୍ୟର 75 ସାମ୍ବାଦିକଙ୍କୁ ପ୍ରେସ କାଉନ୍ସିଲ୍ ଅଫ୍ ଇଣ୍ଡିଆର ନୋଟିସ୍। ରାଜ୍ୟରେ ସାମ୍ବାଦିକଙ୍କ ପାଇଁ କ୍ୱାର୍ଟର୍ସ ଆବଣ୍ଟନରେ କୌଣସି ସ୍ପଷ୍ଟ ନୀତି ନଥିବାରୁ ସାମ୍ବାଦିକମାନେ ସରକାରୀ କଳର ଗୋଡାଣିଆ ହେଉଥିବା ଅଭିଯୋଗ ଆଧାରରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି PCI। ସଂପୃକ୍ତ ସାମ୍ବାଦିକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ନଯିବ ସେନେଇ ୧୪ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ରହିଛି। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Advertisment

ସାମ୍ବାଦିକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳିବା ଉଚିତ୍ କି ନୁହେଁ ? ସରକାରୀ କ୍ୱାର୍ଟର୍ସ ପାଇଥିବା ସାମ୍ବାଦିକ ସରକାରଙ୍କ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିପାରିବେ ତ ? ସରକାର ଓ ସାମ୍ବାଦିକଙ୍କ ମିଲିଭଗତରେ ବଳିପଡୁଛି କି ପ୍ରେସ ସ୍ୱାଧୀନତା ? ନିକଟରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆରେ ଦାୟର ଏକ ପିଟିସନ୍ ଆଧାରରେ ଭୁବନେଶ୍ୱରରେ କ୍ୱାର୍ଟର୍ସ ପାଇଥିବା ୭୫ ଜଣ ସାମ୍ବାଦିକଙ୍କୁ ପିସିଆଇର ନୋଟିସକୁ ନେଇ ଜୋରଦାର ଚର୍ଚ୍ଚା। 

ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ବି ନାହିଁ। 30ରୁ 40 ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି। ଏପରିକି ମୃତ୍ୟୁ ପରେ ବି ଅନେକ ସାମ୍ବାଦିକଙ୍କ ପରିବାର ସରକାରୀ କ୍ୱାର୍ଟର୍ସ ଛାଡୁନାହାନ୍ତି। ଫଳରେ ସରକାରୀ କ୍ୱାର୍ଟର୍ସ ଦ୍ୱାରା ଉପକୃତ ସାମ୍ବାଦିକ ସରକାରଙ୍କ ବିରୋଧରେ ମୁକ୍ତ ସ୍ୱର ଉଠାଇ ପାରୁନାହାନ୍ତି। ଯାହା ସାମ୍ବାଦିକତାର ମାନ କ୍ଷୟ କରିବା ସହ ପିସିଆଇ ଗଠନର ମୂଳ ଉଦ୍ଦେଶ୍ୟକୁ ନଷ୍ଟ କରୁଛି।

Advertisment

ତେଣୁ ଏଭଳି ସ୍ଥିତିରେ ଏକ ସ୍ପଷ୍ଟନୀତି ଆସିବା ପର୍ଯ୍ୟନ୍ତ, ସଂପୃକ୍ତ ସାମ୍ବାଦିକଙ୍କ ଅଧିସ୍ୱୀକୃତିକୁ ପ୍ରତ୍ୟାହାର କରାଯିବାକୁ ଆବେଦନରେ ଦାବି କରାଯାଇଛି। ଯାହାକୁ ଗମ୍ଭୀରତାର ସହ ନେଇ ସଂପୃକ୍ତ ସାମ୍ବାଦିକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଟାନ ନିଆଯିବ ନାହିଁ ସେନେଇ ୧୪ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ୍ କରିଛନ୍ତି ପିସିଆଇ।

ପ୍ରେସର ସ୍ୱାଧୀନତା ଓ ସାମ୍ବାଦିକତା ମାନରେ ଉନ୍ନତି ଆଣିବା ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପୂର୍ବରୁ ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ସୁପାରିଶ କରିଛନ୍ତି।ପ୍ରେସର କାର୍ଯ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ପ୍ରେସ କାଉନସିଲ ମିଡିଆ କର୍ମୀ, ମାଲିକଙ୍କୁ ଭର୍ତ୍ସନା କରିପାରନ୍ତି ଓ ସରକାରଙ୍କୁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ସୁପାରିଶ ବି କରିପାରନ୍ତି।

ଓଡ଼ିଶା ପରିପ୍ରେକ୍ଷୀରେ ସରକାରୀ କ୍ୱାର୍ଟର୍ସ ପାଇଁ 75 ଜଣ ସାମ୍ବାଦିକଙ୍କୁ ନୋଟିସ ଦେବା ପରେ, ପିସିଆଇ ରାଜ୍ୟ ସରକାରଙ୍କୁ କିଭଳି ପରାମର୍ଶ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅପରପକ୍ଷେ ପିସିଆଇର ଏଇ ନୋଟିସକୁ ନେଇ ରାଜ୍ୟର ବରିଷ୍ଠ ସାମ୍ବାଦିକଙ୍କ ମହଲରେ ଭିନ୍ନମତ ପ୍ରକାଶ ପାଇଛି।ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଂଜନା ପ୍ରକାଶ ଦେଶାଇ ଏବେ ପିସିଆଇର ଅଧ୍ୟକ୍ଷ ଥିବାବେଳେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ 28 ଜଣ ସଭ୍ୟ ଅଛନ୍ତି।

ରିପୋର୍ଟ: ସ୍ୱାତୀ ଜେନା ଓ ଲକ୍ଷ୍ମୀନାରାୟଣ କାନୁନଗୋ

Journalists
Advertisment
Advertisment