• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାଲି ଆସିବ ଦେଶର ସର୍ବୋଚ୍ଚ ପଦରେ କିଏ ବସିବେ ତାର ରେଜଲଟ୍ । କିଏ ହେବ ଦେଶର ପଞ୍ଚଦଶ ରାଷ୍ଟ୍ରପତି, ଦ୍ରୌପଦୀ ମୁର୍ମୁ ନା ଯଶୋବନ୍ତ ସିହ୍ନା । ତାହା ସ୍ପଷ୍ଟ ହେବ । ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦିନ ୧୧ଟା ବେଳେ ସଂସଦର ୬୩ ନମ୍ବର ରୁମରେ ହେବ ଭୋଟ ଗଣତି । ଏଥିପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ସଂସଦ ଭବନରେ ବାଲାଟ୍ ବକ୍ସ ପହଞ୍ଚି ସାରିଛି ।

ଖୋଲିବ ବାଲଟ୍ ବକ୍ସ । ଦେଶ ପାଇବ ତାର ପଞ୍ଚଦଶ ରାଷ୍ଟ୍ରପତି । ତେବେ କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ମିଳିତ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ? ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା । ଏହାପରେ ଗତକାଲି ସନ୍ଧ୍ୟା ସୁଦ୍ଧା ଦେଶର ୩୦ଟି ମତଦାନ କେନ୍ଦ୍ରରୁ ବାଲଟ୍ ବକ୍ସ ସଂସଦ ଭବନରେ ପହଞ୍ଚିସାରିଛି । କଡ଼ା ସୁରକ୍ଷାରେ ରହିଛି ବକ୍ସ ।

ଆସନ୍ତାକାଲି ସକାଳ ୧୧ଟାରେ ପାର୍ଲାମେଣ୍ଟ ହାଉସର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍‌ରେ ଆରମ୍ଭ ହେବ ଭୋଟ ଗଣତି । ଭୋଟ ଗଣତି ବେଳେ ନିଜେ ପ୍ରାର୍ଥୀ ଓ ତାଙ୍କ ଦ୍ୱାରା ମନୋନୀତ ଜଣେ ପ୍ରତିନିଧି ଉପସ୍ଥିତ ରହିପାରିବେ । ଏହାଛଡ଼ା ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଅବଜରଭର, ପିଆଇବି ଦ୍ୱାରା ସ୍ୱୀକୃତିପ୍ରାପ୍ତ ତଥା ନିର୍ବାଚନ କମିଶନଙ୍କ ଅନୁମତିପତ୍ର ପାଇଥିବା ସାମ୍ବାଦିକ ମଧ୍ୟ ଗଣତି କେନ୍ଦ୍ରରେ ରହିପାରିବେ ।  ଭୋଟ ଗଣତି ଶେଷ ହେବା ମାତ୍ରେ ଫଳାଫଳ ଘୋଷଣା ହେବ । ଏପରିକି ଫଳାଫଳକୁ ରାଜ୍ୟସଭା ୱେବସାଇଟ୍‌ରେ ରାଷ୍ଟ୍ରପତି ନିର୍ବାଚନ ଲିଙ୍କ୍‌ରେ ଅପଲୋଡ୍ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ରିଟର୍ଣ୍ଣିଂ ଅଫିସର ପି ସି ମୋଦି ।

 

ଏପଟେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଦେଖିବାକୁ ପୂରା ଓଡ଼ିଶା ଚାହିଁବସିଛି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ମନାସି ମୟୂରଭଞ୍ଜ ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା । ଜାମଦା ବ୍ଲକ ତାଳଗାଁ ଶିବ ମନ୍ଦିରରେ ଭଗବତ୍ ଗୀତା ପାଠ, ହଜାରେ ଆଠ ରାମ ନାମ ଜପ ସହ ଯଜ୍ଞ ହୋଇଛି । ନିର୍ବାଚନରେ ଦ୍ରୌପଦୀଙ୍କ ପଲା ଭାରି ଥିବାରୁ ସମସ୍ତେ ଖୁବ୍ ଉତ୍ସାହିତ । ଆଉ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆସନ୍ତାକାଲି ଫଳାଫଳ ଘୋଷଣାକୁ ।

ଏହାମଧ୍ୟରେ ଓଡ଼ିଶାବାସୀଙ୍କ ମନରେ ସବୁଠୁ ଉତ୍କଣ୍ଠା । ସବୁ ଓଡ଼ିଆଙ୍କ ଗୋଟିଏ ପ୍ରାର୍ଥନା, ରାଷ୍ଟ୍ରପତି ଆସନରେ ବସି ରାଜ୍ୟ ପାଇଁ ନୂଆ ଇତିହାସ ରଚିବେ ଦ୍ରୌପଦୀ ମୁର୍ମୁ ।