• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦ୍ରୌପଦୀଙ୍କୁ ସମର୍ଥନ କରିବ ଶିବସେନା । ଶିବସେନାର ସାଂସଦମାନେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇପାରନ୍ତି । ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ସହିତ ଆଲୋଚନା ବେଳେ ମୁର୍ମୁଙ୍କୁ ଭୋଟ ଦେବା ଠିକ ହେବ ବୋଲି ୧୬ ଜଣ ସାଂସଦ ମତ ଦେଇଛନ୍ତି । ଦ୍ରୌପଦୀ ଜଣେ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ଭୋଟ ଦେବା ଉଚିତ ହେବ ବୋଲି ସେମାନେ କହିଛନ୍ତି । ତେବେ ଏଥିରେ ଉଦ୍ଧବ ଠାକରେ କିଛି କହିନଥିବା ଜଣାପଡ଼ିଛି ।

ବିଧାୟକଙ୍କର ବିଦ୍ରୋହର ସମ୍ମୁଖୀନ ହେବା ପରେ ସାଂସଦମାନଙ୍କୁ ନିଜ ପଟରେ ରଖିବାକୁ ଉଦ୍ଧବ ଠାକରେ କିଛି କଡ଼ା ଆଭିମୁଖ୍ୟ ରଖିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ନିର୍ବାଚନରେ ହ୍ୱିପ ଲାଗୁ ହୁଏ ନାହିଁ । ତେଣୁ ସାଂସଦମାନେ ନିଜ ଇଚ୍ଛା ଅନୁସାରେ ଯାହାକୁ ବି ଭୋଟ ଦେଇପାରିବେ । ଲୋକସଭାରେ ଶିବସେନାର ୧୯ ଓ ରାଜ୍ୟସଭାରେ ୩ ଜଣ ସାଂସଦ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ ବୈଠକରେ ଯୋଗ ଦେଇନଥିଲେ । ଯେଉଁମାନେ ବୈଠକରେ ଥିଲେ, ସେମାନେ ହେଉଛନ୍ତି ଉଦ୍ଧବ ଠାକରେ ଗୋଷ୍ଠୀର ।

ଆଗରୁ କଂଗ୍ରେସ ଓ ଏନସିପି ସହିତ ମହା ଅଘାଡ଼ି ସରକାର ଥିବାରୁ ଶିବସେନା ବିରୋଧୀଙ୍କ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନେଇଥିଲା । ତେବେ ପରବର୍ତ୍ତୀ ପରିସ୍ଥିତିର ଏହି ଆଭିମୁଖ୍ୟରେ ପରିବର୍ତ୍ତନ କରି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇପାରନ୍ତି ଶିବସେନା ସାଂସଦ । ଦିନେ ଦୁଇ ଦିନ ଭିତରେ ଉଦ୍ଧବ ଠାକରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।

ସେପଟେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସମର୍ଥନ ଯୋଗାଡ ପାଇଁ ପଶ୍ଚିମବଂଗ ଗସ୍ତରେ ଯାଇଛନ୍ତି । ସେ ବିଜେପି ବିଧାୟକ ଓ ସାଂସଦମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । କୋଲକତା ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନକୁ ଯାଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଦ୍ରୌପଦୀ ମୁର୍ମୁ ।