• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏକାକୀ ରାଜନୀତିରେ ଲମ୍ଫ ଦେବାକୁ ଅଣ୍ଟା ଭିଡିଛନ୍ତି କି ପ୍ରଶାନ୍ତ ? ମେ ୫ରେ ପ୍ରଶାନ୍ତ କିଶୋର ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଦଳର ଗଠନ ନେଇ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୧୦ ବର୍ଷର ଯାତ୍ରା ପରେ ଗଣତନ୍ତ୍ରରେ ମୂଲ୍ୟଭିତ୍ତିକ ଯୋଗଦାନ ସହ ଲୋକାଭିମୁଖୀ ନୀତି ନିର୍ଦ୍ଧାରଣ ଲାଗି ଉଦ୍ୟମ କରିବେ ବୋଲି ଟୁଇଟ୍ କରିଛନ୍ତି ପ୍ରଶାନ୍ତ । ପ୍ରକୃତ ବସ୍ ଅର୍ଥାତ୍ ଜନତା ଜନାର୍ଦ୍ଦନଙ୍କ ନିକଟକୁ ସିଧାସଳଖ ଯାଇ ସେମାନଙ୍କ ସମସ୍ୟା ବୁଝିବା ଏବଂ ସୁଶାସନର ରାସ୍ତା ଆପଣେଇବା ଲାଗି ସମୟ ଆସିଛି ବୋଲି ଲେଖିଛନ୍ତି । ପ୍ରଶାନ୍ତଙ୍କ ଏହି ଟୁଇଟ୍ ପରେ ସେ ନୂଆ ରାଜନୈତିକ ଦଳ ଗଢିବା ଲାଗି ପାଗ ଭିଡୁଥିବା ଚର୍ଚ୍ଚା ହେଉଛି । ତେବେ ରାଜନୀତିରେ ସେ ନୂଆ ନୁହନ୍ତି ।

ନିତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳର ସେ ଉପସଭାପତି ଥିଲେ । ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ନିଜେ ତାଙ୍କୁ ଏହି ପଦରେ ବସାଇଥିଲେ । ତେବେ ବିଜେପି ସହ ମେଣ୍ଟ ପ୍ରସଙ୍ଗକୁ ନେଇ ମତଭେଦ ସୃଷ୍ଟି ହୋଇଥିଲା । ଫଳରେ ଜେଡିୟୁକୁ ବାୟ ବାୟ କହି ଭିନ୍ନ ବାଟ ଆପଣେଇଥିଲେ ପ୍ରଶାନ୍ତ। ତାମିଲନାଡୁରେ ଡିଏମକେ, ପଶ୍ଚିମବଙ୍ଗରେ ଟିଏମସି ଭଳି ଦଳଙ୍କ ଲାଗି ନିର୍ବାଚନ ରଣକୌଶଳ ପ୍ରସ୍ତୁତି ସହ ଏମାନଙ୍କ ବୃହତ ବିଜୟର ଶ୍ରେୟ ମଧ୍ୟ ପାଇଥିଲେ ପ୍ରଶାନ୍ତ । ତେବେ ତାଙ୍କ ହାତ ସ୍ପର୍ଶରେ ସତ୍ତା ହରାଉଥିବା ହତା ଅର୍ଥାତ୍ କଂଗ୍ରେସ ପୁନର୍ବୀଜିତ ହେବ ବୋଲି ଆଶା କରାଯାଉଥିଲା । ଏମିତିକି କଂଗ୍ରେସକୁ କିଭଳି ପୁନର୍ଜୀବିତ କରିହେବ ତାର ପୁରା ବ୍ଲୁପ୍ରିଣ୍ଟ ବି ସେ ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ ।

ସାଂଗଠନିକ ଢାଞ୍ଚାରେ ଆମୂଳଚୁଳ ପରିବର୍ତ୍ତନ ସହ କେତେକ କଠୋର ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଥିଲେ ପ୍ରଶାନ୍ତ। ସୋନିଆ ତାଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ରାଜି ହେବା ସହ ଦଳରେ ଯୋଗ ଦେବା ପାଇଁ ଆମନ୍ତ୍ରଣ ବି କରିଥିଲେ । ତେବେ ପ୍ରତିଦ୍ୱନ୍ଦ୍ୱୀ ଟିଏଆରଏସ୍ ସହ ପ୍ରଶାନ୍ତ କିଶୋର ଗଠନ କରିଥିବା ଆଇପ୍ୟାକ ସଂପୃକ୍ତିକୁ ନେଇ ଅନେକ ଭେଟେରାନ ପ୍ରଶ୍ନ ଉଠାଇଥିଲେ । ଏହା କନଫ୍ଲିକ୍ଟ ଅଫ୍ ଇଣ୍ଟେରେଷ୍ଟ ସୃଷ୍ଟି କରିବ ବୋଲି ସେମାନ ଯୁକ୍ତି ଦର୍ଶାଇଥିଲେ ।

ସେହିପରି ବ୍ୟବସ୍ଥା ଗତ ଢାଞ୍ଚା ବଦଳାଇବା ପାଇଁ ଜଣେ ବାହ୍ୟ ବ୍ୟକ୍ତିଙ୍କ ହାତରେ ନିରଙ୍କୁଶ କ୍ଷମତା ଦେବା ଲାଗି ରାଜି ହୋଇନଥିଲେ କଂଗ୍ରେସ ନେତା। ଖାସ୍ କରି ଗାନ୍ଧୀ ପରିବାରର ଅନୁଗତ ଏହାକୁ ସହ୍ୟ କରିବା ସ୍ଥିତିରେ ନଥିଲେ । ଅନ୍ୟପକ୍ଷରେ ନିଜ ଗୋଟି ନଚାଲିବାରୁ ସୋନିଆଙ୍କ ପ୍ରସ୍ତାବକୁ ବିନମ୍ରତାର ସହ ପ୍ରତ୍ୟାଖାନ କରିଥିଲେ ପ୍ରଶାନ୍ତ । ଏହା ପରେ ନିଜ ଦଳ ଗଢିବା ଛଡ଼ା ତାଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ ବୋଲି କୁହାଯାଉଛି । ଜାତୀୟ ରାଜନୀତିରେ ନିଜ ପାଦ ମଜଭୂତ କରିବାକୁ ପ୍ରଶାନ୍ତ ଏହା କରିପାରନ୍ତି । କାରଣ ଥାର୍ଡ ଫ୍ରଣ୍ଟ ବିଜେପିର ବିକଳ୍ପ ନୁହେଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।

ମାତ୍ର କଂଗ୍ରେସ ପ୍ରମୁଖ ବିରୋଧୀ ହେବାର ଭୂମିକାରେ ସଂପୂର୍ଣ୍ଣ ଫେଲ ମାରିଥିବାରୁ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନରେ ପ୍ରଶାନ୍ତ ନିଜ ଆସ୍ଥାନ ଜମାଇବା ଚକ୍କରରେ ଥିବା ଚର୍ଚ୍ଚା ହେଉଛି । ତେବେ ପୋଲ ଷ୍ଟ୍ରାଟେଜିଷ୍ଟରୁ ନେତା ହେବା ରାସ୍ତାରେ ତାଙ୍କୁ କି କି ବାଧାର ସମ୍ମୁଖୀନ ହେବାକୁ ପଡୁଛି ଓ ସେ କିଭଳି ଏହାର ମୁକାବିଲା କରିପାରୁଛନ୍ତି ତାହା ଦେଖିବା କଥା ।