Advertisment

ବାବା ପ୍ରସନ୍ନ ପାଟ୍ଟଶାଣୀ: କହିଲେ ଅଳପ, ଢୋକିଲେ ବେଶୀ…

ବିଜେଡି ରାଜ୍ୟସଭା ପ୍ରାର୍ଥୀ ପ୍ରସଙ୍ଗରେ, ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଆଜି ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି। ପୂରା ପ୍ରତିକ୍ରିୟା ଶୁଣିଲେ ଲାଗୁଛି- ବାବା ପାଟ୍ଟଶାଣୀ, କହିଲେ ଅଳପ, ଢୋକିଲେ ବେଶୀ ।

author-image
Prangyan Parimita
ଅଦ୍ୟତନ ହୋଇଛି
prasanna

prasanna

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଚୟନ ସରିବା ପରେ, ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସବୁ ଥର ପରି ଏଥର ମଧ୍ୟ ମିଡିଆ ସାମ୍ନାରେ ମୁହଁ ଖୋଲିଛନ୍ତି। ତେବେ ତାଙ୍କ ପୂରା ପ୍ରତିକ୍ରିୟା ଶୁଣିଲେ ଜାଣି ହେଉଛି, ସେ କହିଛନ୍ତି କମ୍, ଢୋକିଛନ୍ତି ବେଶୀ । ଅର୍ଥାତ କହିବାକୁ ଅନେକ କଥା ଅଛି, କିନ୍ତୁ କୌଣସି କାରଣରୁ ତାହା ସେ ଖୋଲାଖୋଲି କହିପାରୁ ନାହାଁନ୍ତି।

Advertisment

ସେ ସିଧାସଳଖ ଦଳର ନିଷ୍ପତ୍ତି ବିରୋଧରେ କିଛି ନକହିଲେ ମଧ୍ୟ ବୁଲେଇ ବଙ୍କେଇ ନବୀନଙ୍କ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି।  ସେ ଏକଥା ମଧ୍ୟ କହିଛନ୍ତି ଯେ,  ୨୨ ବର୍ଷ ଧରି ଦଳ ପାଇଁ ୨୪ ଘଣ୍ଟା କାମ କରୁଛନ୍ତି। ମିଡିଆ ପ୍ରଶ୍ନର ଉତ୍ତର ଦବାକୁ ଯାଇ ତାଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷକୁ ସେ ଚାପିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ବାହାରି ଆସିଛି। ସବୁଠୁ ବଡ଼ କଥା ହଉଚି ନବୀନ ତାଙ୍କୁ ପ୍ରତିଶ୍ରୁତି ଦେଇ କିଭଳି ତାହା ପାଳନ କରିନାହାଁନ୍ତି, ସେ ବାବଦ ପ୍ରଶ୍ନର ଉତ୍ତର ଦବାକୁ ଯାଇ ପ୍ରତିଶ୍ରୁତି ରକ୍ଷା କରିବା ସବୁ ସଫଳତାର ଚାବିକାଠି ବୋଲି କହିବାକୁ ମଧ୍ୟ ପଛେଇ ନାହାଁନ୍ତି। ପାଟ୍ଟଶାଣୀଙ୍କ ଏଭଳି ଚତୁର ଉତ୍ତର, ନବୀନଙ୍କ ନିଷ୍ପତ୍ତିକୁ ପରୋକ୍ଷରେ ସମାଲୋଚନା ବୋଲି କୁହାଯାଉଛି।

ତାଙ୍କୁ ଗତ ନିର୍ବାଚନରେ ଭୁବେନଶ୍ୱର ସାଂସଦ ଆସନ ପାଇଁ ଟିକେଟ ନମିଳିବାର ପରିଣାମ କ’ଣ ହେଲା ସେ କଥା କହୁ କହୁ ତାଙ୍କ ଭିତରେ ଥିବା ପୁରୁଣା ଅସନ୍ତୋଷ ବି ପଦାକୁ ବାହାରି ଆସିଛି। ତାଙ୍କ ପାଖରେ ଗୋଟିଏ ଟଙ୍କା ନଥାଇବି ସେ କୋଟିଏ ଭୋଟ୍ ହାତେଇ ପାରିବେ ବୋଲି ଚାଲେଞ୍ଜ କରିବା ସହ ଅନ୍ୟ ନେତାଙ୍କ ପାଖରେ କୋଟିଏ ଟଙ୍କା ଥାଇ ବି ଗୋଟିଏ ଭୋଟ୍ ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ତେବେ ରାଜ୍ୟସଭା ଯିବାକୁ ତାଙ୍କର ଆଉ ଆଶା ନାହିଁ ବୋଲି ଏଥର ସେ ସଫା ସଫା ଶୁଣାଇଛନ୍ତି।

Advertisment

ଏ କଥା କହିବା ବେଳେ ପାଟ୍ଟଶାଣୀ ତାଙ୍କ କବି ସୁଲଭ ଢଙ୍ଗରେ କହିଛନ୍ତି ଆଶା ହିଁ ସବୁ ଦୁଃଖର କାରଣ। ତେବେ ଏ ସବୁ କଥାରୁ ରାଜ୍ୟସଭା ନିର୍ବାଚନକୁ ନେଇ ତାଙ୍କ ଭିତରେ ଥିବା ହତାଶାଭାବ ଜଣା ପଡ଼ିଯାଇଛି। ତେବେ ସବୁ ଆଶା ମଉଳି ଯିବା ପରେ ଆଗକୁ ପାଟ୍ଟଶାଣୀଙ୍କ ଗତି କୁଆଡ଼େ ତା’ ଉପରେ ସମସ୍ତଙ୍କ ନଜର ରହିଛି।

Prasanna Kumar Patasani
Advertisment
Advertisment