• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବିଦ୍ୟୁତ ବିଭ୍ରାଟ ବିରୋଧରେ ସାରା ରାଜ୍ୟରେ ତେଜିଲାଣି ଅସନ୍ତୋଷ। ଭୁବନେଶ୍ବରଠାରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ, ପୂର୍ବ ପଶ୍ଚିମ ଓଡ଼ିଶା ସବୁଆଡ଼େ ପ୍ରତିବାଦର ସ୍ୱର । ଟାଟାର ବିଦ୍ୟୁତ ଅଫିସ ଘେରାଉ, କେତେକ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ବି ସୃଷ୍ଟି ହୋଇଛି। ଭୁବନେଶ୍ୱରରେ ଆଜି କଂଗ୍ରେସ ଗ୍ରୀଡକୋ ଅଫିସ ଘେରାଉ କରିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ସେପଟେ ବିଜେପି ବିଜୁଳି ଭିତ୍ତିଭୂମିରେ ୧୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି କହି ଏହା ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି।

ବିଜେପିର ପ୍ରଶ୍ନ ୧୫ ହଜାର କୋଟି ଟଙ୍କା କିଏ ଖାଇଲା ? ଗ୍ରୀଡକୋ ଅଫିସ ଘେରାଉ କରି ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ। ସୁନ୍ଦରଗଡ଼, ଢେଙ୍କାନାଳ, ବାଲେଶ୍ବରରେ ତାତିଲେ ଲୋକେ। ଏଥର ଅସହ୍ୟ ଗ୍ରୀଷ୍ମପ୍ରବାହକୁ ବଳିଗଲା ଲାଇନ୍ କଟ୍। ଆଉ ଏହା ହେଉଛି ତାର ପ୍ରତିଫଳନ। ଭୁବନେଶ୍ୱର ଗ୍ରୀଡକୋ ଅଫିସ ଉପରେ କଂଗ୍ରେସର ହଲ୍ଲାବୋଲ । ଅଫିସକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହିତ ଧସ୍ତାଧସ୍ତି । ଅଣ୍ଡାମାଡ଼, ଟମାଟୋ ମାଡ଼ ବି କରାଯାଇଛି। ପରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ । ବକେୟା ବିଲକୁ ସୁଧ ବନ୍ଦ, ବିଦ୍ୟୁତ ଦର ହ୍ରାସ, ଟାଟାକୁ ଅର୍ଥ ପ୍ରଦାନର ଶ୍ୱେତ ପତ୍ର ପ୍ରକାଶ ସହିତ ଭିତ୍ତିଭୂମି ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ।

ସେପଟେ ବିଦ୍ୟୁତ ଭିତ୍ତିଭୂମିରେ ୧୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ଦଳ ଅଭିଯୋଗ କରିଛି, ସରକାର କହୁଛନ୍ତି ୧୦ ବର୍ଷରେ ବିଜୁଳି ଭିତ୍ତିଭୂମିରେ ଖର୍ଚ୍ଚ ହୋଇଛି ୨୦ ହଜାର କୋଟି ଟଙ୍କା । ସେପଟେ ଟାଟା କହୁଛି, ୫ ହଜାର ଟଙ୍କାର ଭିତ୍ତିଭୂମି ଅଛି। ବିଜେପିର ପ୍ରଶ୍ନ ବାକି ୧୫ ହଜାର କୋଟି କୁଆଡ଼େ ଗଲା। କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ କରାଯାଉ। ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ ଏହାର ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛି ବିଜେପି । ଏଥିପାଇଁ ଦଳର ଏକ ଟିମ୍ ଆଜି ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଛି।

କେବଳ ରାଜଧାନୀ ନୁହେଁ-ବିଜୁଳି ବିଭ୍ରାଟ ବିରୋଧରେ ସାରା ରାଜ୍ୟରେ ତେଜିଛି ଅସନ୍ତୋଷ। ଟିପିସିଓଡିଏଲ୍ କର୍ମଚାରୀଙ୍କୁ ଅଫିସରୁ ବାହାର କରି ଦେଇ କମ୍ପାନିର ଢେଙ୍କାନାଳ ଅଫିସରେ ଆଜି ତାଲା ପକାଇଛି ବିଜେପି। ସେହିପରି ସୁନ୍ଦରଗଡ଼ରେ ଡିବିରି ଧରି, ବିଞ୍ଝଣାରେ ବିଞ୍ଚି ହୋଇ ଏକ ରାଲିରେ ଯାଇ ଟାଟା ପାୱାର ଅଫିସ ଘେରାଉ କରିଥିଲେ ଦଳୀୟ କର୍ମକର୍ତ୍ତା।ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବାଲେଶ୍ବର ସୋରରେ ମଧ୍ୟ ଦଳ ପକ୍ଷରୁ ବିଦ୍ୟୁତ ଅଫିସ ଘେରାଉ କରାଯାଇଛି। ସେପଟେ ବିଜେଡି କହିଛି, ଭଲ କାମ କରିବାକୁ ଟାଟାକୁ ଦାୟିତ୍ବ ଦିଆଯାଇଛି। ସମୟ ଆସିଲେ ତର୍ଜମା ହୋଇ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ।  

ସେପଟେ ବାଲେଶ୍ୱରରେ ଖୋଦ୍ ବିଦ୍ୟୁତ କର୍ମଚାରୀ ନିଜ ଅଫିସ ଘେରାଉ କରିଥିଲେ। ଭିତ୍ତିଭୂମି ଦୁର୍ବଳ କାରଣରୁ ବାରମ୍ବାର ବିଦ୍ୟୁତ କାଟ୍ ହେଉଛି। କମ୍ପାନି ଏଥିପ୍ରତି ଧ୍ୟାନ ଦେଉନଥିବାରୁ ବିଦ୍ୟୁତ କର୍ମଚାରୀମାନେ ଅଯଥାରେ ଲୋକଙ୍କ ରୋଷର ଶିକାର ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।