• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ମୋଟ୍ ୯ଟି ଜିଲ୍ଲାର ୫୪ଟି ଆସନରେ ଆଜି ସକାଳୁ ଭୋଟ୍ ଗ୍ରହଣ ହେଉଛି । ଭୋଟ୍ ହେଉଥିବା ଜିଲ୍ଲା ଗୁଡ଼ିକ ହେଲା ଆଜମଗଡ଼, ମଉ, ଜଉନପୁର, ଘାଜିପୁର, ଚାନ୍ଦୌଲି, ବାରାଣସୀ, ଭାଦୋହି, ମିର୍ଜାପୁର ଓ ସୋନଭଦ୍ର । ଏଥିପାଇଁ ସମସ୍ତ ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ବାରାଣସୀରେ ଆଜି ଭୋଟ୍ ହେଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

୨୦୧୭ ନିର୍ବାଚନରେ ବାରାଣସୀ ଲୋକସଭା ଆସନ ଅଧିନରେ ଥିବା ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରିଥିଲା । ଏଥର ମଧ୍ୟ ସେହିଭଳି ପ୍ରଦର୍ଶନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନ ହେଲା ଆସି ବାରାଣସୀରେ ଡେରା ପକାଇଥିଲେ । ସେହିପରି ଆଜମଗଡ଼ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସାଂସଦ ଅଛନ୍ତି । ଏଣୁ ଏଠାରେ ସମାଜବାଦୀ ପାର୍ଟିର ଭଲ ପ୍ରଦର୍ଶନ ଉପରେ ଦଳର ସମ୍ମାନ ନିର୍ଭର କରୁଛି । ଏଥର ବିଧାନସଭା ନିର୍ବାଚନରେ ଏସ୍ପି ଓ କଂଗ୍ରେସଠାରୁ କଡ଼ା ମୁକାବିଲା ସାମନା କରୁଥିବା ବିଜେପି ପାଇଁ ସପ୍ତମ ପର୍ଯ୍ୟାୟ ଭୋଟିଂ ଅନେକ ମହତ୍ତ୍ୱ ରଖୁଛି ।

ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଉତ୍ତର ପ୍ରଦେଶରେ ହାଇଭୋଲଟେଜ୍ ପ୍ରଚାର ଚାଲିଥିଲା । କ୍ୟାମ୍ପେନର ଶେଷ ଦିନରେ ମୈଦାନରେ ଥିଲେ ସବୁ ଦଳର ହେଭିୱେଟ୍ ନେତା । ଶେଷ ପର୍ଯ୍ୟାୟରେ ୬୧୩ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ୨ କୋଟି ୬ ଲକ୍ଷ ଭୋଟର କାହାକୁ ଚୟନ କରୁଛନ୍ତି ତାହା ଉପରେ ନଜର ରହିଛି । ଆସନ୍ତା ୧୦ ତାରିଖରେ ହେବ ଭୋଟ ଗଣତି ।