• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଞ୍ଚାୟତ ନିର୍ବାଚନ ସରିଲା, ହେଲେ ଥମୁନି ନିର୍ବାଚନ ପରବର୍ତ୍ତୀ ହିଂସା । ଏପରିକି ଆଜି ନାଏବ ସରପଞ୍ଚ ନିର୍ବାଚନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ତ ଆଉ କେଉଁଠି ପୋଲିସ-ଜନତା ଫେସ୍ ଟୁ ଫେସ୍ । ବଲାଙ୍ଗୀର ଏବଂ ନବରଙ୍ଗପୁରରେ ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ ମଧ୍ୟ ଆସିଛି । ସେପଟେ ନିଆଳିରେ ପକ୍ଷପାତିତା ଅଭିଯୋଗରେ ବିଡିଓଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ ।

ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ପୋଲିସ-ଜନତା କଥା କଟାକଟିରୁ ହାତାହାତି କେନ୍ଦୁଝର ସାହାରପଡା ବ୍ଳକ୍ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେମାନଙ୍କ ଆକ୍ରୋଶରୁ ମଧ୍ୟ ବାଦ୍ ପଡିନଥିଲା ପୋଲିସ । ଘଟଣାରେ ସହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ଆହତ ହୋଇଛନ୍ତି ।

ନିଆଳିରେ ମଧ୍ୟ ପୋଲିସ ବନାମ ଜନତା । ନାଏବ ସରପଞ୍ଚ ନିର୍ବାଚନରେ ପକ୍ଷପାତିତା ଅଭିଯୋଗରେ କଟକ ଜିଲ୍ଲା କଣ୍ଟାପଡା ବ୍ଳକ୍ ପାଟସୁନ୍ଦରପୁରରେ ଉପୁଜିଥିଲା । ଏଭଳି ସ୍ଥିତି ପ୍ରିଜାଇଡିଂ ଅଫିସର ପକ୍ଷପାତିତା କରିଥିବା ଅଭିଯୋଗରେ ଘେରିଥିଲେ ଗ୍ରାମବାସୀ । ବେନିୟମ ଭାବେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କୁ ଜିତାଇବା ଅଭିଯୋଗରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଅଟକ ରଖିଥିଲେ । ଓଲଟପୁର ପୋଲିସ ପହଁଚିଥିଲେ ମଧ୍ୟ ସରକାରୀ ଅଧିକାରୀଙ୍କୁ ମୁକୁଳାଇବାକୁ ହଟହଟା ହୋଇଥିଲା ।

କଟକ ଜିଲ୍ଲା ସାଲେପୁର ବ୍ଳକ୍ ଶିଶୁଆ ପଞ୍ଚାୟତ ଅଫିସର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ୱାର୍ଡ ସଭ୍ୟ ପ୍ରାର୍ଥୀ ଓ ସମର୍ଥକ। ନାଏବ ସରପଞ୍ଚ ନିର୍ବାଚନ ବନ୍ଦ ଦାବିରେ ଅଡି ବସିଛନ୍ତି । ୭ ନମ୍ବର ୱାର୍ଡର ଓ୍ୱାର୍ଡମେମ୍ବର ଭାବେ ଜୟଦେବ ରାଉତ ଜିତିଥିଲେ, ତେବେ ତାଙ୍କ ନାଁ ବଦଳାଇ ପରାଜିତ ପ୍ରାର୍ଥୀଙ୍କୁ ପ୍ରଶାସନ ବିଜୟୀ ଘୋଷଣା କରିଥିବା ଅଭିଯୋଗ ହୋଇଛି ।

ତେଣେ ବଲାଙ୍ଗୀର ଦେଓଗାଁ ଥାନା ସାହାଜବାହାଲରେ ଦୁଇ ୱାର୍ଡମେମ୍ବରଙ୍କୁ ଅପହରଣ ଅଭିଯୋଗ ହୋଇଛି । ପ୍ରତିବାଦରେ ଅପହୃତ ୱାର୍ଡମେମ୍ବରଙ୍କ ସମର୍ଥକ ପଞ୍ଚାୟତ ଅଫିସରୁ ବାଲାଟ୍ ବକ୍ସ ଉଠାଇ ନେଇଥିଲେ । ଫଳରେ ଏଠାରେ ବନ୍ଦ ରହିଛି ନିର୍ବାଚନ । ସେପଟେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଳକ୍ ମଂଚାଗାଁରେ ୱାର୍ଡ ସଭ୍ୟାଙ୍କୁ ୨ ଘଣ୍ଟା ପାଇଁ ଅପହରଣ କରିନେଇଥିଲେ ବିରୋଧୀ ଗୋଷ୍ଠୀ । ସେଠାରେ ବି ନିର୍ବାଚନ ସ୍ଥଗିତ ରହିଛି ।