• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାଇକୋର୍ଟ ସ୍ଥାୟୀ ବେଞ୍ଚକୁ ନେଇ ପୁଣି ଚର୍ଚ୍ଚା...କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲଙ୍କ ମନ୍ତବ୍ୟ ପରେ ଏବେ ପୁଣି କଡ଼ ଲେଉଟାଇଛି ପ୍ରସଙ୍ଗ । ଓଡ଼ିଶା ଗସ୍ତରେ ଆସି ଆଜି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ମେଘୱାଲ୍ । କହିଛନ୍ତି, ଏବେ ବେଞ୍ଚ ଅପେକ୍ଷା ଇ-କୋର୍ଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଇ-କୋର୍ଟ କାମରେ ଓଡ଼ିଶା ଅନ୍ୟ ଅପେକ୍ଷା ଭଲ କରୁଛି । ଅର୍ଥାତ ସ୍ଥାୟୀ ବେଞ୍ଚରେ ଯାହା ହୋଇଥାନ୍ତା, ତାହା ଇ-କୋର୍ଟରେ ଯେତେବେଳେ ହୋଇପାରୁଛି, ଏଭଳି ସ୍ଥିତିରେ ସ୍ଥାୟୀ ବେଞ୍ଚର ଆବଶ୍ୟକତା ଆଉ ମହତ୍ୱପୂର୍ଣ୍ଣ ହୋଇରହିନି ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ।

କେବଳ ଏତିକି ନୁହେଁ, ହାଇକୋର୍ଟର ନୂଆ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଏବଂ ତା’ର ବିଧିବ୍ୟବସ୍ଥା ସଂପର୍କରେ ମଧ୍ୟ ମେଘୱାଲ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । କହିଛନ୍ତି,ଯଦି ବେଞ୍ଚ ଆବଶ୍ୟକ, ତେବେ ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସୁପାରିସ ଦରକାର । ଆଉ ଏମାନଙ୍କ ସୁପାରିସ ପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ସହମତି ବି ଜରୁରୀ । ଏହାପରେ ଯାଇ କେନ୍ଦ୍ର ସରକାର ନୂଆ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପଦକ୍ଷେପ ଆରମ୍ଭ କରିଥାନ୍ତି ବୋଲି କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ।

ଟେକ୍ନୋଲୋଜି ଉପଯୋଗରେ କୋର୍ଟ କାର୍ଯ୍ୟ ସମ୍ଭବପର ହୋଇପାରୁଥିବା ବେଳେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନର ଯଥାର୍ଥତା ନାହିଁ ବୋଲି ଡିସେମ୍ବର ୨୦୨୨ରେ ରୋକଠୋକ୍ ମନା କରି ଦେଇଥିଲେ ସୁପ୍ରିମକୋର୍ଟ । ତା’ସହ ବେଞ୍ଚ ଦାବି ନେଇ ଆଇନଜୀବୀ ମାନେ ଜାରି ରଖିଥିବା ଆନ୍ଦୋଳନ ବିରୋଧରେ କଡ଼ା ଆଭିମୁଖ୍ୟ ବି ଗ୍ରହଣ କରିଥିଲେ ।

ଏସବୁ ଭିତରେ ଗତ ମାର୍ଚ୍ଚରେ ଓଡ଼ିଶା ଆସିଥିବାବେଳେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଥିଲେ,ହାଇକୋର୍ଟ ଓ ରାଜ୍ୟ ସରକାରଙ୍କୁ ହିଁ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଅଛି । ରାଜ୍ୟ ସରକାର ଭିତ୍ତିଭୂମି ପ୍ରସ୍ତୁତି କଲେ ସହଯୋଗ ପାଇଁ ଆମେ ପ୍ରସ୍ତୁତ।

ଏହାବ୍ୟତୀତ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଏ ସଂପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ପକ୍ଷରୁ ବେଞ୍ଚ ସ୍ଥାପନ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିନଥିବା କହିଥିଲା । ଆଉ ଏବେ ମେଘୱାଲଙ୍କ ମନ୍ତବ୍ୟ ପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ହାଇକୋର୍ଟ ବେଞ୍ଚ ସବୁବେଳେ ପଶ୍ଚିମ ଓଡ଼ିଶାର ଦାବି । ଆଶା କରୁଛୁ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପଶ୍ଚିମ ଓଡ଼ିଶାବାସୀଙ୍କ ଆଶାକୁ ପୂରଣ କରିବେ। ତେବେ ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ କାହିଁକି ଦିଆଯାଉନି, ସେ କଥା ସେ କହିନାହାଁନ୍ତି ।

ଦୀର୍ଘ ଦିନ ଧରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବହୁ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଆନ୍ଦୋଳନ କରିଆସିଛନ୍ତି ଆଇନଜୀବୀ । ଏସବୁ ଭିତରେ ଗତ ଫେବୃୟାରୀ ୩ରେ ରାଜ୍ୟର ୧୦ଟି ଜିଲ୍ଲାରେ ଆରମ୍ଭ ହୋଇଥିଲା ଭର୍ଚୁଆଲ ହାଇକୋର୍ଟ। ନିଜେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡଃ ଡି.ୱାଇ.ଚନ୍ଦ୍ରଚୂଡ଼ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

 

  • Reported by:
  • SANJAY JENA , SOUMYA RANJAN SAHOO , Ghateswar Mishra