• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ନୂଆ ନୁହେଁ । ଗତ ସାଧାରଣ ନିର୍ବାଚନରେ ଟିକେଟ୍ ବଣ୍ଟା ସମୟରୁ ହିଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଲାଗି ଆସୁଛି । ଭୁବନେଶ୍ୱର ଏକାମ୍ରରୁ ଲଢି ଆସୁଥିବା ପୂର୍ବତନ ବିଧାୟକ ଅଶୋକ ପଣ୍ଡା ଓ ମଧ୍ୟ ନିର୍ବାଚନମଣ୍ଡଳୀରୁ ଅନନ୍ତ ନାରାୟଣ ଜେନାଙ୍କୁ ଆଉ ଥରେ ଟିକେଟ୍ ନଦେବା ଲାଗି ପ୍ରବଳ ଦାବି ହୋଇଥିଲା ।

ବିଶେଷକରି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କ ନେତୃତ୍ୱରେ ଏହି ବିରୋଧ ସହ ଏମାନେ ମଧ୍ୟ ଟିକେଟ୍ ଦାବିଦାର ଥିଲେ । କିନ୍ତୁ ଦଳ ଏ ପରିସ୍ଥିତିକୁ ମ୍ୟାନେଜ୍ କରି ପୁଣି ଅଶୋକ ଓ ଅନନ୍ତଙ୍କୁ ଟିକେଟ୍ ଦେଇଥିବାରୁ ଏ ଅସନ୍ତୋଷ ଆହୁରି କୁହୁଳି ଥିଲା । ଫଳ ସ୍ୱରୂପ ଅଶୋକ ପଣ୍ଡା ପରାଜୟର ସାମ୍ନା କରିଥିବା ବେଳେ ଅନନ୍ତ ନାରାୟଣ ମାତ୍ର ୩୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।

ବିରଞ୍ଚିଙ୍କ ବିଦ୍ରୋହ ଲାଗି ଅଶୋକ ପଣ୍ଡା ପରାଜିତ ହୋଇଥିବା କଥା ଚର୍ଚ୍ଚା ମଧ୍ୟ ହୋଇଥିଲା । ସେହି ରାଗରେ ଅଶୋକ ପଣ୍ଡା ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାରଙ୍କ ବିରୋଧରେ ଅନ୍ୟ କର୍ପୋରେଟରଙ୍କୁ ଏକାଠି କରୁଥିବା କଥା ପଦାକୁ ଆସିଥିଲା । ସେ ନିଜ ଘରେ କିଛି ବିଜେଡି କର୍ପୋରେଟରଙ୍କ ବୈଠକ କରି ଦବଦବା ଜାହିର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ ଆସିଥିଲା ।

କର୍ପୋରେଟରଙ୍କୁ ସେ ବେଲପତ୍ର ଛୁଆଁଇ ଶପଥ କରାଉଥିବା କଥା ମଧ୍ୟ ସାମ୍ନାକୁ ଆଣିଥିଲେ ଅମରେଶ ଜେନା । ଏଥିରେ ଅଶୋକଙ୍କୁ କୁଆଡେ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ଅନନ୍ତନାରାୟଣ ଜେନାଙ୍କ ସହଯୋଗ କଥା ବି ଉଠିଥିଲା । ତେବେ ଅଶୋକ ପଣ୍ଡା ଏ ସମ୍ପର୍କରେ ମୁହିଁ ଖୋଲିନଥିବା ବେଳେ ଅନନ୍ତ କିନ୍ତୁ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ ।

ଏପଟେ ଭୁବନେଶ୍ୱର ବିଜେଡିରେ କନ୍ଦଳ ତୀବ୍ର ହେଉଥିବା ଲକ୍ଷ୍ୟ କରି ଦଳୀୟ ନେତୃବୃନ୍ଦ ଏମାନଙ୍କୁ ଏକାଠି କରି ଆଲୋଚନା ଲାଗି ଯୋଜନା କରିଥିଲା । ଆଜି ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବଙ୍କ ଘରେ ଏହି ବୈଠକ ପରେ ଅମରେଶ ଜେନା ପୁଣି ବିଭୀଷଣ କଥା ଉଠାଇଥିବାରୁ କନ୍ଦଳ ଆହୁରୀ ତୀବ୍ର ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now