• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ମନ୍ଦିର ପାଖରେ ଖୋଳା ଯାଇଛି ବିରାଟ ବିରାଟ ଗାତ । ତିଆରି ଚାଲିଛି ବଡ ବଡ ପିଲର । ମନ୍ଦିର ନିକଟରେ ଏଭଳି ନିର୍ମାଣକୁ ନେଇ ଗତକାଲି ପ୍ରଶ୍ନ ଉଠାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଜେସିବି ମେସିନ ଦ୍ୱାରା ନିଷିଦ୍ଧାଞ୍ଚଳରେ ୩୦ ଫୁଟ୍ ଗାତ ଖୋଳିିବାକୁ କେଉଁ ଇନ୍‌ଜିନିୟର ଓ ବିଶେଷଜ୍ଞ ଅନୁମତି ଦେଇଥିଲେ ବୋଲି ପଚାରିଥିଲେ ଅପରାଜିତା ।

ଅପରାଜିତାଙ୍କ ଏହି ପ୍ରଶ୍ନ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଥିବା ବେଳେ ଜନସାଧାରଣଙ୍କ ମନରେ ତେଜିଛି ସନ୍ଦେହ । ପ୍ରକୃତରେ କାହା ଅନୁମତିରେ ମନ୍ଦିର ପାଖରେ ଚାଲିଛି ଏଭଳି ବଡ ନିର୍ମାଣ? କେଉଁ ଇନ୍‌ଜିନିୟର ଓ ଆର୍କିଟେକ୍ ଏଭଳି ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି? ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଏଥିପାଇଁ ଅନୁମତି ଅଛି କି ? ନ୍ୟାସନାଲ ମନୁମେଣ୍ଟ ଅଥରଟି କିଛି ସୁପାରିଶ କରିଥିଲେ କି? ଉଠିଛି ଏମିତି ଅନେକ ପ୍ରଶ୍ନ । ତେବେ ଯାହାର ଅନୁମତି ଥାଉ କିମ୍ବା ନଥାଉ, ଏତେ ବଡ ନିର୍ମାଣ ଦ୍ୱାରା ମନ୍ଦିର ଉପରେ ଗଭୀର ପ୍ରଭାବ ପଡିବ ବୋଲି କହିଛନ୍ତି ଐତିହ୍ୟ ବିଶେଷଜ୍ଞ ଅନିଲ ଧୀର । ASI କେନ୍ଦ୍ର ସରକାରଙ୍କ ଚାପରେ କାମ କରୁଥିବା ସେ ଅଭିଯୋଗ କରିିଛନ୍ତି। 

ସେପଟେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ପକ୍ଷ ସ୍ପଷ୍ଟ କରୁନଥିବା ବେଳେ ତେଜିଛି ରାଜନୀତି । କିଛି ଲୋକ ପ୍ରକଳ୍ପ ସମର୍ଥନ ବାହାରି ଥିବା ବେଳେ ଆଉ କିଛି ବିରୋଧ କରୁଛନ୍ତି । ଦଳୀୟ ସାଂସଦ ଅପରାଜିତା ପୁରୀ ଗସ୍ତ ବେଳେ ଗତକାଲି ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଦେଖିବାକୁ ମିଳିନଥିଲା । ହେଲେ ଆଜି ମୁହଁ ଖୋଲିବା ସହ ଅପରାଜିତା ଯାହା କହୁଛନ୍ତି ତାହା ଠିକ୍ ବୋଲି ମତ ଦେଇଛନ୍ତି ଜୟନ୍ତ ।

ତେବେ  ନିର୍ମାଣ କାମକୁ ବି ସମର୍ଥନ କରିଛନ୍ତି ଜୟନ୍ତ । ଆଗାମୀ ୫ ସହ ବର୍ଷକୁ ଆଖି ଆଗରେ ରଖି ଏଭଳି ନିର୍ମାଣ କରାଯାଉଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ASI ଉପରେ ସେ ସବୁ ଦୋଷ ଲଦିଛନ୍ତି । ଏଏସ୍‌ଆଇର ଜାଣତରେ ସବୁ କାମ ହେଉଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି ।

ଏପଟେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର  ପ୍ରକଳ୍ପସ୍ଥଳ ପରିଦର୍ଶନ କରିବା ପରେ ଏତେ ବଡ ନିର୍ମାଣକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ସରକାରଙ୍କୁ ସାମଲୋଚନା କରିଛନ୍ତି । ଯେଉଁ ଭଳି କାମ ଚାଳିଛି ଏଏସ୍‌ଆଇର ବିନା ଅନୁମତିରେ ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି । ସେପଟେ ଯାହା ସବୁ କାମ ଚାଲିଛି ପ୍ରଶାସନ ବୁଝିସୁଝି କରୁଛି ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲୀକ ।

ପ୍ରକଳ୍ପକୁ ନେଇ ସରକାରଙ୍କ ନିରବତା ଏବେ ରାଜ୍ୟବାସୀଙ୍କ ସନ୍ଦେହ ବଢାଇବାରେ ଲାଗିଛି । ବିକାଶ ନାଁରେ ଶ୍ରୀମନ୍ଦିରକୁ କ୍ଷତି ନପହଞ୍ଚୁ ତାହା ସମସ୍ତଙ୍କର ଚିନ୍ତା ରହିଛି । ପ୍ରକଳ୍ପ ସଂପର୍କରେ ତଥ୍ୟ ସାର୍ବଜନିନ କରାଯିବ ବୋଲି ପୂର୍ବରୁ ପୁରୀ ଜିଲ୍ଲାପାଳ କହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇନାହିଁ ।

ରିପୋର୍ଟର- ହରିହର ଚାନ୍ଦ