• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଜେଡିର ଜନସଂପର୍କ ପଦଯାତ୍ରାରେ ଭୋଟ୍ ପ୍ରଚାର । ଭୁବନେଶ୍ୱରରେ ଶ୍ରୀମୟୀ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କହି ଭୋଟ୍ ମାଗିଲେଣି ମନ୍ତ୍ରୀ, ବିଧାୟକ । ପ୍ରଶ୍ନ ଉଠୁଛି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପୂର୍ବରୁ କେମିତି ଖୋଲାଖୋଲି ପ୍ରାର୍ଥୀ ଘୋଷଣା କରୁଛନ୍ତି ଜନପ୍ରତିନିଧି ଓ କର୍ମୀ ? ସେପଟେ ଶ୍ରୀମୟୀଙ୍କ ପ୍ରଚାର, ବିଜେଡିର ପୂର୍ବତନ ସାଂସଦ ତଥା ପ୍ରତାରଣା ଲାଭ କରିଥିବା ପ୍ରସନ୍ନ ପାଟ୍ଟଶାଣୀ ପାଇଁ କଟା ଘା' ରେ ଚୂନ ଭଳି ମନେ ହୋଇଛି । ପାଟ୍ଟଶାଣୀ କହିଛନ୍ତି ଦଳ ତାଙ୍କୁ ଟିକଟ ନଦେଇ ଥରେ ଭୁଲ କରିଛି, ପରିସ୍ଥିତି କଣ ହେଲା ସମସ୍ତେ ଜାଣିଛନ୍ତି ।

ଶ୍ରୀମୟୀ ହେବେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୫୬ ନମ୍ୱର ୱାର୍ଡ ଜନସମ୍ପର୍କ ପଦଯାତ୍ରାରେ ଖୋଲାଖୋଲି ଏହା ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା । ଖାଲି ଘୋଷଣା ନୁହେଁ ଭୋଟ୍ ଭିକ୍ଷା ବି କଲେ । ଭୋଟରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀମୟୀଙ୍କୁ ପଠାଇଛନ୍ତି, ତେଣୁ ବିପୁଳ ଭୋଟ୍ ଦେବାକୁ କହି ଅନୁରୋଧ କରିଛନ୍ତି । ଡବଲ ଇଞ୍ଜିନ୍ ଓ ରିପୋର୍ଟ କାର୍ଡ କଥା କହି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପରୋକ୍ଷରେ କଟାକ୍ଷ କରିବାକୁ ବି ଭୁଲିନାହାନ୍ତି ମନ୍ତ୍ରୀ ।

କେବଳ ଏକାମ୍ର ନୁହେଁ ଗତ ୧୨ ତାରିଖରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବି ଶ୍ରୀମୟୀଙ୍କୁ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଅଭିହିତ କରାଯାଇ ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତଙ୍କ ଉପସ୍ଥିତିରେ ମାଇକ୍ ଯୋଗେ ପ୍ରଚାର ଭାଷଣ ଦିଆଯାଇଥିଲା । ତେବେ ନିର୍ବାଚନ ତାରିଖ ଘୋଷଣା ନହେଉଣୁ, ଦଳପତି ଶ୍ରୀମୟୀଙ୍କ ନାଁ ଘୋଷଣା ନକରୁଣୁ ବିଧାୟକ ଓ ମନ୍ତ୍ରୀ କିପରି ଘୋଷଣା କରୁଛନ୍ତି । ପ୍ରତିକ୍ରିୟାରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ଶ୍ରୀମୟୀ ପ୍ରାର୍ଥୀ ହେବେ କି ନହେବେ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କର । ମୋ କଥାକୁ କଦର୍ଥ କରାଯାଇଛି । ବିଜେପି କହିଛି କେହି ପାରାଚୁଟରୁ ଆସି ନିର୍ବାଚନରେ ଲଢିଲେ ଭୁବନେଶ୍ୱର ବାସିନ୍ଦା ତାକୁ ଗ୍ରହଣ କରିବେନି ।

ସେପଟେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀଙ୍କ ନାଁକୁ ନେଇ ଚର୍ଚ୍ଚା ଉଠିବା ପରେ ଦଳରେ ଦେଖା ଦେଲାଣି ବିବାଦ । ଭୁବନେଶ୍ୱରର ପୂର୍ବତନ ସାଂସଦ ତଥା ବିଜେଡିର ଉପ ସଭାପତି ପ୍ରସନ୍ନ ପାଟ୍ଟଶାଣୀ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି । କହିଛନ୍ତି, ତିନି ତିନି ଥର ପ୍ରତିଶ୍ରୁତି ଦେଇ ଦଳ ମତେ ଦଳ ପ୍ରତାରଣା କରିଛି, ତଥାପି ଅସନ୍ତୁଷ୍ଟ ନାହିଁ । ଥରେ ଦଳ ଭୁଲ କରିଥିଲା ଯେ ପରିଣତ କଣ ହେଲା ତାହା ସମସ୍ତଙ୍କୁ ଜଣା । ମତେ ଟିକେଟ ମିଳିଲେ ବିପୁଳ ଭୋଟ୍‌ରେ ଜିତିବି । କେତେ ଏମିତି ଆସିଲେଣି, ଗଲେଣି କହି ଦଳକୁ ସିଧା ନିଶାନା କରିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଅପରାଜିତାଙ୍କ କ୍ରେଜକୁ ଦେଖି ବିଜେଡି ଆଗୁଆ କ୍ଷେତ୍ର ପ୍ରସ୍ତୁତି କରୁଛି । କିନ୍ତୁ ଅଘୋଷିତ ପ୍ରାର୍ଥୀ ଘୋଷଣା ନାଁରେ ବିଜେଡି ଚକମା ମଧ୍ୟ ଦେଇପାରେ ।

ଦଳ ନିକଟରେ ଘୋଷଣା କରିଥିବା ପର୍ଯ୍ୟବେକ୍ଷକ ତାଲିକାରେ ନୂଆ ପ୍ରାର୍ଥୀଙ୍କ ନାଁ ରହିଥିବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଶ୍ରୀମୟୀଙ୍କ ପ୍ରଚାର ସେ ଦିଗକୁ ଇସାରା କରୁଛି । କିନ୍ତୁ ଦଳ ଭିତରୁ ଆସୁଥିବା ବିରୋଧକୁ ଆଗାମୀ ଦିନରେ ସୁପ୍ରିମୋ କିଭଳି ସାମ୍ନା କରିବେ ତାଉପରେ ନଜର ।

  • Reported by:
  • BALRAM LENKA , ARACHANA SATPATHY , NIRANJAN REDDY