Advertisment

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଆହୁରି ତେଜିଲା ଶ୍ରଦ୍ଧା ଝଡ଼ !

ଭିନ୍ନ ଭିନ୍ନ ଦିଗରେ ବିରୋଧୀ ଦଳ ନେତାଙ୍କ ସଣ୍ଢୁଆଶୀ ଆକ୍ରମଣ । ଏକ୍ସପଞ୍ଜ ପରେ ବି ସିଏମ୍ କାହିଁକି ଦେଲେ ସ୍ପଷ୍ଟୀକରଣ: ଜୟନାରାୟଣ ।

author-image
Satyendu Shekher Mishra
Sradha, Politics

Sradha, Politics

ବଢୁଛି ଶ୍ରଦ୍ଧା ବିବାଦ । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ ଥମୁନି, ଆହୁରି ତେଜୁଛି । ବିଧାନସଭା ସରିବା ପରେ ବିଜେପି ବିଧାୟକଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି ଆଜି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Advertisment

ସେ ପ୍ରଶ୍ନ କରିଛନ୍ତି, ଅନ୍ୟ କେଉଁ ଦେଶକୁ ନନେଇ କେବଳ ଭାଟିକାନ୍ ସିଟିକୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଙ୍କୁ ନେଇ କାହିଁକି ଗଲେ ? ଆଗରୁ ଶ୍ରଦ୍ଧା କେଉଁଠି କାମ କରୁଥିଲେ । ଯଦି ସେ ମୁଖ୍ୟମନ୍ତ୍ରୀଙ୍କ ଫିଜିଓ ଥେରାପିଷ୍ଟ ତାହାଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ଯାଞ୍ଚ କରି ନିଯୁକ୍ତି ଦେଇଛି କି ? ଶ୍ରଦ୍ଧାଙ୍କର ସୁରକ୍ଷା ଯାଞ୍ଚ କରାଯାଇଛି ତ ?

ଜୟନାରାୟଣ କହିଛନ୍ତି, ଯେତେବେଳେ ସେ ଶ୍ରଦ୍ଧା ପ୍ରସଙ୍ଗ ଉଠାଇଲେ ସେତେବେଳେ ଏହାକୁ ଶାସକ ଦଳ ବିରୋଧ କରି ଏକ୍ସପଞ୍ଜ ପାଇଁ ଦାବି କଲା ଓ ବିଧାନସଭା ବିବରଣୀରୁ ବାଦ୍ ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଲେ । ତେବେ ଗୃହରୁ ବାଦ୍ ପଡ଼ିଥିବା ଶ୍ରଦ୍ଧା ପ୍ରସଙ୍ଗକୁ ନେଇ ହଠାତ୍  ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖିବାର କାରଣ କଣ ବୋଲି ପ୍ରଶ୍ନ କରିଛି ବିଜେପି ।

Advertisment

ଗତକାଲି ମୌସୁମୀ ଅଧିବେସନର ଶେଷ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ ଯେ, ଶ୍ରଦ୍ଧା ହେଉଛନ୍ତି ତାଙ୍କ ଫିଜିଓ ଥେରାପିଷ୍ଟ । ଫିଜିକାଲ୍ ଫିଟ୍‌ନେସ୍ ପାଇଁ ଦିବଂଗତ ଭଉଣୀ ଗୀତା ମେହଟ୍ଟା ଶ୍ରଦ୍ଧାଙ୍କୁ ପଠାଇଥିଲେ । ଖାଲି ସେତିକି ନୁହେଁ ବିରୋଧୀ ବିଜେପି ଉଠାଇଥିବା ପ୍ରଶ୍ନର କଡା ଉତ୍ତର ଦେଇ କହିଥିଲେ, ଶ୍ରଦ୍ଧାଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ କୌଣସି ସରକାରୀ କ୍ୱାର୍ଟର୍ସ ବା ଟ୍ରାଭେଲ ବିଲ୍ ଦିଆଯାଇନାହିଁ । ଏହା ସହ ପବିତ୍ର ଗୃହରେ ଲୋକଙ୍କ ସ୍ୱାର୍ଥ ବିଷୟରେ ଆଲୋଚନା କରିବାକୁ ନବୀନ ନିଜ ବିବୃତିରେ ବିରୋଧୀଙ୍କୁ ପରାମର୍ଶ କରିଥିଲେ । ଯାହାକୁ ଅସ୍ତ୍ର କରି ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲା ଶାସକ ଦଳ।

ସେପଟେ କଂଗ୍ରେସ ବି ଏହି ପ୍ରସଙ୍ଗକୁ ଉଠାଇ ଅଯଥା ଗୃହର ସମୟ ଅପଚୟ କରାଗଲା କହି ଅସନ୍ତୋଷ ପ୍ରକାଶ କରିଛି। ବିରୋଧୀ ବିଜେପି କହିଛି ଗୃହ ନଚଳାଇବା ପାଇଁ ଶାସକ ଦଳର ଏହା ଚକ୍ରାନ୍ତ ଥିଲା । ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଶ୍ରଦ୍ଧା ଝଡ଼ ଥମିବ ବୋଲି ଆଶା କରାଯାଉଥିଲା। ମାତ୍ର ବିଧାନସଭା ପରେ ବି ଗୃହ ବାହାରୁ ଶ୍ରଦ୍ଧାଙ୍କୁ ନେଇ ପାଲଟା ପ୍ରଶ୍ନ ପଚାରି ବିଜେଡିକୁ ଅକଳରେ ପକାଇଛି ବିଜେପି ।

BJP BJD Odisha Politics Congress
Advertisment
Advertisment