Advertisment

ନିଆଁ ଲଗାଇଲେ ଢାଲି, ଘିଅ ଢାଳିଲେ ଅମର: ତାସ୍ ଘର ପରି ଭୁଶୁଡ଼ିବ କି ବିଜେଡି ?

ନବୀନଙ୍କୁ ଝଟକା ପାଇଁ ଅନେକ ବିଜେଡି ନେତା ଲାଇନରେ ଥିବା ଚର୍ଚ୍ଚା । ବିଜେଡି ବସା ଖାଲି ହୋଇଯିବ କହି ନିଆଁ ଲଗାଇଲେ ଢାଲି । ସଂଗଠନ ପରିବର୍ତ୍ତନ ଲୋଡ଼ା ଦର୍ଶାଇ ଘିଅ ଢାଳିଲେ ଅମର ।

author-image
Sujit kumar Swain
ଅଦ୍ୟତନ ହୋଇଛି
BJP Leader Arabinda Dhali

BJP Leader Arabinda Dhali

ତାସ୍ ଘର ଭଳି ଗଳି ପଡ଼ିବ କି ବିଜୁ ଜନତା ଦଳ ? ନେତୃତ୍ବ ଉପରେ ଆଉ ପୂର୍ବ ଭଳି ଭରସା ପାଉନାହାନ୍ତି କି ନେତା ? ମମତା ମହାନ୍ତଙ୍କ ପରେ ଆଉ କିଏ ଦଳ ଡେଇଁବାକୁ ଚାହିଁ ବସିଛନ୍ତି ? ଏବେ ଏମିତି ଅନେକ ଚର୍ଚ୍ଚା ରାଜନୈତିକ ମହଲରେ ଘୁରି ବୁଲୁଛି । ଏହାରି ଭିତରେ ଅରବିନ୍ଦ ଢାଲିଙ୍କ ବିଜେଡି ବସା ଖାଲି ହୋଇଯିବା ସଂପର୍କିତ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି । ସେପଟେ ମମତା ମହାନ୍ତ ଝଟ୍‌କା ପରେ ଶଙ୍ଖ ଭବନରେ ଆଜି ମୟୂରଭଂଜ ନେତାଙ୍କୁ ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ।

Advertisment

ନିଆଁ ଲଗାଇଲେ ଢାଲି। ଘିଅ ଢାଳିଲେ ଅମର। ମମତା ମହାନ୍ତ ବିଜେଡି ଛାଡି ବିଜେପିକୁ ଯିବା ପରେ ଶଙ୍ଖ ଦଳରେ ତୀବ୍ର ହେଲାଣି ବିବାଦ। ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପି ଯାଇଥିବା ଅରବିନ୍ଦ ଢାଲି ଆଜି ସାଂଘାତିକ ବୟାନ ଦେଇ କହିଛନ୍ତି, ବିଜେଡି ବସା ଖାଲି ହୋଇଯିବ । ଦଳରେ ବାକ୍ ସ୍ବାଧିନତା ନଥିବାରୁ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ଯେଉଁଥିପାଇଁ ବିଜେଡି ବିଲିନ ହୋଇଯିବ। ସେହିପରି ପାଣ୍ଡିଆନ୍‌ଙ୍କୁ ନେଇ ବି କଡ଼ା ସମାଲୋଚନା କରିଛନ୍ତି ଢାଲି। ଆଉ ଢାଲିଙ୍କ ଏହି ବୟାନକୁ ଇଙ୍ଗିତରେ ସମର୍ଥନ କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ। ସେ କହିଛନ୍ତି ଦଳର ଆମୂଳଚୂଳ ସଂଗଠନକୁ ଠିକ୍ କରାନଗଲେ ଆଗକୁ ବଡ଼ ଅଘଟଣ ଘଟିବ। ଅନ୍ୟପଟେ ବିଜେଡି ନିଜ ଗୋଷ୍ଠୀ କନ୍ଦଳକୁ ନେଇ ଅଡୁଆରେ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଦଳୀୟ ନେତା ଉମା ସାମନ୍ତରାୟ। ଦଳ ନବୀନଙ୍କ ନେତୃତ୍ବରେ ସଂପୂର୍ଣ୍ଣ ସୁଦୃଢ ଅଛି ବୋଲି କହିଛନ୍ତି ଉମା।

ସେପଟେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ମୟୂରଭଞ୍ଜ ନେତ୍ରୀ ମମତାଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ବିଜେଡି ଆରମ୍ଭ କରିଛି କସରତ। ଆଜି ଶଙ୍ଖ ଭବନରେ ମୟୂରଭଞ୍ଜ ନେତା ଓ ବରିଷ୍ଠ ନେତାଙ୍କ ମଧ୍ୟରେ ବୈଠକ ହୋଇଥିବା ନେଇ ସୂଚନା ମିଳିଛି। ତେବେ ବୈଠକ ପରେ କୌଣସି ନେତା ମୁହଁ ଖୋଲି ନାହାନ୍ତି। ମୟୂରଭଞ୍ଜ ଜିଲ୍ଲା ବିଜେଡି ବିଧାୟକ ଶୂନ୍ୟ ହେବା, ପରେ ପୁଣି ମମତାଙ୍କ ଝଟକା ଦଳକୁ ଉତ୍ତର ଓଡ଼ିଶାରେ ରସାତଳକୁ ପଠାଇଦେଇଛି। ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡି ପୁନର୍ଗଠନ ଠିକ୍‌ରେ ନହେଲେ ଦଳ ଭୁଶୁଡ଼ିବା ସୁନିଶ୍ଚିତ।

Advertisment

ଗୋଷ୍ଠୀ କନ୍ଦଳ ପାଇଁ ବିଜେଡିର ଦବଦବା କମୁଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଆଉ କିଛି ଜନପ୍ରତିନିଧି ଦଳ ଛାଡିବାକୁ ସଜବାଜ ହେଉଛନ୍ତି। ଏଭଳି ସ୍ଥିତିରେ ସୁପ୍ରିମୋ ଦଳକୁ କିପରି ସଂଗଠିତ କରୁଛନ୍ତି ତାଉପରେ ନଜର।

BJD BJP Odisha BJP Politics
Advertisment
Advertisment